ଲଣ୍ଡନ, ୨୮/୦୬: ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ରବିବାର ଅଷ୍ଟ୍ରେଲିଆ ଓ ଭାରତ ପରସ୍ପରକୁ ଭେଟିବେ । ଗ୍ରୁପ-୧ରୁ ଅଷ୍ଟ୍ରେଲିଆ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ଅର୍ଜନ କରିବା ସହ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ଲେଖାଏଁ ଅର୍ଜନ କରିସାରିଛନ୍ତି । ଭାରତ ଆଜି ଅଷ୍ଟ୍ରେଲିଆକୁ ହରାଇଲେ ସେମି ଫାଇନାଲ୍‌ ନିଶ୍ଚିତ କରିବ । ଦକ୍ଷିଣ ଆଫ୍ରିକା ଅନ୍ତିମ ଲିଗ୍‌ ମ୍ୟାଚରେ ବାଂଲାଦେଶକୁ ଭେଟିବ । ରନ୍‌ ରେଟ୍‌ରେ ଭାରତ ଆଗରେ ରହିଥିଲେ ହେଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିଜୟ ଜରୁରି । ନଚେତ ବାଂଲାଦେଶକୁ ହରାଇ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌ରେ ପ୍ରବେଶ କରିପାରିବ ।

ସେପଟେ ଅଷ୍ଟ୍ରେଲିଆ ଅପରାଜେୟ ରହି ମନୋବଳ ସୁଦୃଢ ରଖିଛି । ଭାରତର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ ଦେଇପାରି ନାହିଁ । ୩ନଂ ସ୍ଥାନରେ ୟସ୍ତିକା ଭାଟିଆଙ୍କୁ ଖେଳାଇବା ବୁମେରାଂ ସାବ୍ୟସ୍ତ ହୋଇଛି । ଅଷ୍ଟ୍ରେଲିଆକୁ ଭେଟିବା ପୂର୍ବରୁ ଭାରତ ଏହି ସବୁ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ । ଦଳର ବୋଲିଂ ବିଭାଗ ମଧ୍ୟ ସେଭଳି ଶୃଙ୍ଖଳିତ ପ୍ରଦର୍ଶନ କରିପାରି ନାହିଁ । ଶ୍ରେୟଙ୍କା ପାଟିଲ ଆହତ ହୋଇ ବାଦ ପଡ଼ିବା ଫଳରେ ସ୍ପିନ ବୋଲିଂ ବିଭାଗ ଦୁର୍ବଳ ମନେ ହେଉଛି । ୪ଟି ଲିଗ୍ ମ୍ୟାଚ ମଧ୍ୟରେ ଭାରତ ସମସ୍ତ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଛି । ଅର୍ଥାତ ଚୂଡ଼ାନ୍ତ ଏକାଦଶ ଉପରେ ଏପର୍ଯ୍ୟନ୍ତ ଟିମ ମ୍ୟାନେଜମେଣ୍ଟ ଭରସା କରିପାରି ନାହିଁ । ଆଜିର ମ୍ୟାଚରେ କିଛି ପରିବର୍ତ୍ତନ ସମ୍ଭାବନା ରହିଛି । ବିଶେଷ କରି ପେସ୍‌ ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ ।

ଲର୍ଡ୍ସ ଗ୍ରାଉଣ୍ଡର ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ତଥାପି ଏଠାରେ କ୍ରିଜରେ ଜମି ରହିଲେ ବଡ଼ ସ୍କୋର ସମ୍ଭବ ହୋଇପାରିବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଭାରତ ଏକାଦଶ: ଶେଫାଳି ବର୍ମା, ସ୍ମୃତି ମନ୍ଧନା, ୟସ୍ତିକା ଭାଟିଆ, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର(ଅଧିନାୟିକା), ରିଚା ଘୋଷ, ଦୀପ୍ତି ଶର୍ମା, ରାଧା ଯାଦବ, ଅରୁନ୍ଧତି ରେଡ୍ଡୀ/ନନ୍ଦନି ଶର୍ମା, ରେଣୁକା ସିଂହ, ଶ୍ରୀ ଚରଣୀ ।

ଅଷ୍ଟ୍ରେଲିଆ ଏକାଦଶ: ବେଥ ମୁନି, ଜର୍ଜିୟା ଭୋଲ, ଫୋଏବ ଲିଚଫିଲ୍ଡ, ଏଲିସ ପେରୀ, ଆସଲି ଗାର୍ଡନର, ଜର୍ଜିୟା ୱାରେହାମ, ଆନାବେଲ ସୁଦରଲାଣ୍ଡ, ନିକୋଲା କ୍ୟାରୀ, ଶୋଫି ମୋଲିନକ୍ସ(ଅଧିନାୟିକା), ଆଲାନା କିଙ୍ଗ, କିମ ଗାର୍ଥ ।

ଅଧିକ ପଢନ୍ତୁ-FIFA World Cup 2026: ଇତିହାସ ରଚିଲା କେପ୍ ଭର୍ଡେ; ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ସବୁଠାରୁ ଛୋଟ ଦେଶ ଭାବେ ହାସଲ କଲା କିର୍ତ୍ତିମାନ