ମେଲବର୍ଣ୍ଣ,୧୯/୦୧: ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ୍ର ସପ୍ତମ ଦିବସରେ ଅନେକ ବିପର୍ଯ୍ୟୟ ଘଟିଛି । ବହୁ ସିଡେଡ୍ ଖେଳାଳି ତୃତୀୟ ରାଉଣ୍ଡ୍ରୁ ବିଦାୟ ନେଇଛନ୍ତି । ମହିଳା ବର୍ଗରେ ଚତୁର୍ଥ ସିଡ୍ ଜସ୍ମିନ ପାଓଲିନ୍, ଦଶମ ସିଡ୍ ଡାନିଏଲ କଲିନ୍ସ, ଏମା ରାଡୁକାନୁ, ବିଟ୍ରିଜ ହାଦାଦ ମାୟା, ଓନ୍ସ ଜାବେଓର, ପୁରୁଷ ବର୍ଗରେ ଚତୁର୍ଥ ସିଡ୍ ଟେଲର ଫ୍ରିଜ ପ୍ରମୁଖ ପରାଜିତ ହୋଇଛନ୍ତି । ମାତ୍ର ଡିଫେଣ୍ଡିଂ ଚାମ୍ପିଅନ ଜାନିକ ସିନରଙ୍କ ସମେତ ୫ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ସାରିଥିବା ଇଗା ସ୍ୱିଟେକ, ଷଷ୍ଠ ସିଡ୍ ଏଲିନା ସ୍ୱିତୋଲିନା ପ୍ରମୁଖ ବିଜୟ ଜାରି ରଖି ପ୍ରି-କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ମହିଳା ସିଙ୍ଗଲ୍ସ:
ଦ୍ୱିତୀୟ ସିଡ୍ ସ୍ୱିଟେକ ସିଧା ସଳଖ ୬-୧, ୬-୦ ସେଟ୍ରେ ରାଡୁକାନୁଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ସ୍ୱିଟେକଙ୍କୁ ୭୦ମିନିଟ୍ ଲାଗିଥିଲା । ପୂର୍ବତନ ୱିମ୍ବଲଡନ ଚାମ୍ପିଅନ୍ ତଥା ଷଷ୍ଠ ସିଡ୍ ରିବାକିନା ଦେଢ ଘଣ୍ଟା ମଧ୍ୟରେ ୩୨ତମ ସିଡ୍ ଡାରିଆ ୟାସ୍ତ୍ରେମସ୍କାଙ୍କୁ ୬-୩, ୬-୪ ସେଟ୍ରେ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । ଅଷ୍ଟମ ସିଡ୍ ଏମା ନାଭାରୋ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓନ୍ସ ଜାବେଓରଙ୍କୁ ୬-୪, ୩-୬, ୬-୪ ସେଟ୍ରେ ପରାସ୍ତ କରିଥିବାବେଳେ ନବମ ସିଡ୍ ଡାରିଆ କାସାଟକିନା ୭-୫, ୬-୧ ସେଟ୍ରେ ୟୁଲିୟା ପୁଟିନସେଭାଙ୍କୁ ହରାଇଥିଲେ । ୧୯ତମ ସିଡ୍ ମାଡିସନ କିଜ ୬-୪, ୬-୪ ସେଟ୍ରେ ଦଶମ ସିଡ୍ ଡାନିଏଲା କଲିନ୍ସଙ୍କୁ ପରାସ୍ତ କରିଥିବାବେଳେ ଯୋଗ୍ୟତା ପର୍ଯ୍ୟାୟରେ ପରାଜିତ ହୋଇଥିବା ଇଭା ଲିସ୍ ପ୍ରଥମ ଲକି ଲୁଜର ଭାବେ ବିଜୟ ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । ସେ ରୋମାନିଆର ଜାନଲିକ କ୍ରିଷ୍ଟିଆନଙ୍କୁ ୪-୬, ୬-୩, ୬-୩ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡ୍ରେ ପ୍ରବେଶ କରିଥିଲେ ।
ଚତୁର୍ଥ ସିଡ୍ ପାଓଲିନ୍ ୧ଘଣ୍ଟା ୪୬ମିନିଟ୍ ଲଢେଇ କରିବା ପରେ ଏଲିନା ସ୍ୱିତୋଲିନାଙ୍କ ଠାରୁ ୬-୨, ୪-୬, ୦-୬ ସେଟ୍ରେ ପରାଜିତ ହୋଇ ବିଦାୟ ନେଇଥିଲେ । ସେହିପରି ୧୫ତମ ସିଡ୍ ମାୟା ୪-୬, ୨-୬ ସେଟ୍ରେ ଭେରୋନିକା କୁଦର୍ମେତୋଙ୍କ ଠାରୁ ପରାଜିତ ହୋଇଥିଲେ ।
ପୁରୁଷ ସିଙ୍ଗଲ୍ସ:
ଟପ୍ ସିଡ୍ ସିନର ମାତ୍ର ୨ଘଣ୍ଟା ମଧ୍ୟରେ ମାର୍କସ ଗିରନଙ୍କୁ ୬-୩, ୬-୪, ୬-୨ ସେଟ୍ରେ ପରାସ୍ତ କରିଥିଲେ । ଅଷ୍ଟମ ସିଡ୍ ଆଲେକ୍ସ ଡି ମିନାଉର ୫-୭, ୭-୬(୭-୩), ୬-୩, ୬-୩ ସେଟ୍ରେ ୩୧ତମ ସିଡ୍ ଫ୍ରାନ୍ସିସ୍କୋ ସେର୍ୟୁଣ୍ଡୋଲୋଙ୍କୁ ହରାଇଥିଲେ । ୧୩ତମ ସିଡ୍ ହୋଲଗର ରୁନେ ୩ଘଣ୍ଟା ୨୭ମିନିଟ୍ ସଂଘର୍ଷ କରି ମିଓମିର କେସମାନୋଭିକଙ୍କୁ ୬-୭(୫-୭), ୬-୩, ୪-୬, ୬-୪, ୬-୪ ସେଟ୍ରେ ହରାଇଥିଲେ ।
୨୧ତମ ସିଡ୍ ବେନ ସେଲଟନ ଓ ୧୭ତମ ସିଡ୍ ଲରେଞ୍ଜୋ ମୁସେଟ୍ଟିଙ୍କ ମଧ୍ୟରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଶେଷରେ ସେଲଟନ୍ ୬-୩, ୩-୬, ୬-୪, ୭-୬(୭-୫) ସେଟ୍ରେ ବିଜୟ ହାସଲ କରିଥିଲେ । ଦ୍ୱିତୀୟ ରାଉଣ୍ଡ୍ରେ ଡାନିଲ ମେଡଭେଡେଭଙ୍କୁ ପରାସ୍ତ କରିଥିବା ଲର୍ଣ୍ଣର ଟିନ୍ ଦମ୍ଦାର ପ୍ରଦର୍ଶନ ଜାରି ରଖି ୭-୬(୧୨-୧୦), ୬-୩, ୬-୩ ସେଟ୍ରେ କରେଣ୍ଟିନ ମୁଟେଟଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ ।
ଚତୁର୍ଥ ସିଡ୍ ଫ୍ରିଜ୍ ୬-୪, ୫-୭, ୬-୭(୧-୭), ୪-୬ ସେଟ୍ରେ ଗାଏଲ ମନଫିଲ୍ସଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ । ସେହିପରି ୧୯ତମ ସିଡ୍ କାରେନ କାଚାନୋଭ ୩-୬, ୬-୭(୫-୭), ୨-୬ ସେଟ୍ରେ ଆଲେକ୍ସ ମିଚେଲସେନଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ ।