ମେଲବର୍ଣ୍ଣ,୧୯/୦୧: ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ୍‌ର ସପ୍ତମ ଦିବସରେ ଅନେକ  ବିପର୍ଯ୍ୟୟ ଘଟିଛି । ବହୁ ସିଡେଡ୍‌ ଖେଳାଳି ତୃତୀୟ  ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି । ମହିଳା ବର୍ଗରେ  ଚତୁର୍ଥ ସିଡ୍‌ ଜସ୍ମିନ ପାଓଲିନ୍‌, ଦଶମ ସିଡ୍‌  ଡାନିଏଲ କଲିନ୍ସ, ଏମା ରାଡୁକାନୁ, ବିଟ୍ରିଜ ହାଦାଦ  ମାୟା, ଓନ୍ସ ଜାବେଓର, ପୁରୁଷ ବର୍ଗରେ ଚତୁର୍ଥ  ସିଡ୍‌ ଟେଲର ଫ୍ରିଜ ପ୍ରମୁଖ ପରାଜିତ ହୋଇଛନ୍ତି ।  ମାତ୍ର ଡିଫେଣ୍ଡିଂ ଚାମ୍ପିଅନ ଜାନିକ ସିନରଙ୍କ ସମେତ  ୫ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତି ସାରିଥିବା ଇଗା  ସ୍ୱିଟେକ, ଷଷ୍ଠ ସିଡ୍‌ ଏଲିନା ସ୍ୱିତୋଲିନା ପ୍ରମୁଖ ବିଜୟ ଜାରି ରଖି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । 

 ମହିଳା ସିଙ୍ଗଲ୍ସ: 

ଦ୍ୱିତୀୟ ସିଡ୍‌ ସ୍ୱିଟେକ  ସିଧା ସଳଖ ୬-୧, ୬-୦ ସେଟ୍‌ରେ ରାଡୁକାନୁଙ୍କୁ  ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ  ସ୍ୱିଟେକଙ୍କୁ ୭୦ମିନିଟ୍‌ ଲାଗିଥିଲା । ପୂର୍ବତନ  ୱିମ୍ବଲଡନ ଚାମ୍ପିଅନ୍‌ ତଥା ଷଷ୍ଠ ସିଡ୍‌ ରିବାକିନା  ଦେଢ ଘଣ୍ଟା ମଧ୍ୟରେ ୩୨ତମ ସିଡ୍‌ ଡାରିଆ  ୟାସ୍ତ୍ରେମସ୍କାଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ  ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । ଅଷ୍ଟମ ସିଡ୍‌  ଏମା ନାଭାରୋ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ  ଓନ୍ସ ଜାବେଓରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ  ପରାସ୍ତ କରିଥିବାବେଳେ ନବମ ସିଡ୍‌  ଡାରିଆ କାସାଟକିନା ୭-୫, ୬-୧ ସେଟ୍‌ରେ ୟୁଲିୟା ପୁଟିନସେଭାଙ୍କୁ  ହରାଇଥିଲେ । ୧୯ତମ ସିଡ୍‌ ମାଡିସନ  କିଜ ୬-୪, ୬-୪ ସେଟ୍‌ରେ ଦଶମ  ସିଡ୍‌ ଡାନିଏଲା କଲିନ୍ସଙ୍କୁ ପରାସ୍ତ କରିଥିବାବେଳେ  ଯୋଗ୍ୟତା ପର୍ଯ୍ୟାୟରେ ପରାଜିତ ହୋଇଥିବା  ଇଭା ଲିସ୍‌ ପ୍ରଥମ ଲକି ଲୁଜର ଭାବେ ବିଜୟ  ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ ।  ସେ ରୋମାନିଆର ଜାନଲିକ କ୍ରିଷ୍ଟିଆନଙ୍କୁ ୪-୬,  ୬-୩, ୬-୩ ସେଟ୍‌ରେ ହରାଇ ଚତୁର୍ଥ  ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।  

ଚତୁର୍ଥ ସିଡ୍‌ ପାଓଲିନ୍‌ ୧ଘଣ୍ଟା ୪୬ମିନିଟ୍‌  ଲଢେଇ କରିବା ପରେ ଏଲିନା ସ୍ୱିତୋଲିନାଙ୍କ  ଠାରୁ ୬-୨, ୪-୬, ୦-୬ ସେଟ୍‌ରେ  ପରାଜିତ ହୋଇ ବିଦାୟ ନେଇଥିଲେ ।  ସେହିପରି ୧୫ତମ ସିଡ୍‌ ମାୟା ୪-୬, ୨-୬  ସେଟ୍‌ରେ ଭେରୋନିକା କୁଦର୍ମେତୋଙ୍କ ଠାରୁ  ପରାଜିତ ହୋଇଥିଲେ ।  

ପୁରୁଷ ସିଙ୍ଗଲ୍ସ: 

ଟପ୍‌ ସିଡ୍‌ ସିନର  ମାତ୍ର ୨ଘଣ୍ଟା ମଧ୍ୟରେ ମାର୍କସ ଗିରନଙ୍କୁ ୬-୩,  ୬-୪, ୬-୨ ସେଟ୍‌ରେ ପରାସ୍ତ କରିଥିଲେ ।  ଅଷ୍ଟମ ସିଡ୍‌ ଆଲେକ୍ସ ଡି ମିନାଉର ୫-୭,  ୭-୬(୭-୩), ୬-୩, ୬-୩  ସେଟ୍‌ରେ ୩୧ତମ ସିଡ୍‌ ଫ୍ରାନ୍‌ସିସ୍କୋ  ସେର‌୍ୟୁଣ୍ଡୋଲୋଙ୍କୁ ହରାଇଥିଲେ ।  ୧୩ତମ ସିଡ୍‌ ହୋଲଗର ରୁନେ ୩ଘଣ୍ଟା  ୨୭ମିନିଟ୍‌ ସଂଘର୍ଷ କରି ମିଓମିର  କେସମାନୋଭିକଙ୍କୁ ୬-୭(୫-୭), ୬-୩,  ୪-୬, ୬-୪, ୬-୪ ସେଟ୍‌ରେ ହରାଇଥିଲେ ।  

୨୧ତମ ସିଡ୍‌ ବେନ ସେଲଟନ ଓ ୧୭ତମ ସିଡ୍‌  ଲରେଞ୍ଜୋ ମୁସେଟ୍ଟିଙ୍କ ମଧ୍ୟରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ  ରହିଥିଲା । ଶେଷରେ ସେଲଟନ୍‌ ୬-୩, ୩-୬,  ୬-୪, ୭-୬(୭-୫) ସେଟ୍‌ରେ ବିଜୟ  ହାସଲ କରିଥିଲେ । ଦ୍ୱିତୀୟ ରାଉଣ୍ଡ୍‌ରେ ଡାନିଲ ମେଡଭେଡେଭଙ୍କୁ ପରାସ୍ତ କରିଥିବା ଲର୍ଣ୍ଣର ଟିନ୍‌  ଦମ୍‌ଦାର ପ୍ରଦର୍ଶନ ଜାରି ରଖି ୭-୬(୧୨-୧୦),  ୬-୩, ୬-୩ ସେଟ୍‌ରେ କରେଣ୍ଟିନ ମୁଟେଟଙ୍କୁ  ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । 

ଚତୁର୍ଥ ସିଡ୍‌ ଫ୍ରିଜ୍‌ ୬-୪, ୫-୭,  ୬-୭(୧-୭), ୪-୬ ସେଟ୍‌ରେ ଗାଏଲ  ମନଫିଲ୍ସଙ୍କ ଠାରୁ ପରାଜିତ ହୋଇ ବିଦାୟ  ନେଇଥିଲେ । ସେହିପରି ୧୯ତମ ସିଡ୍‌ କାରେନ  କାଚାନୋଭ ୩-୬, ୬-୭(୫-୭), ୨-୬  ସେଟ୍‌ରେ ଆଲେକ୍ସ ମିଚେଲସେନଙ୍କ ଠାରୁ  ପରାଜିତ ହୋଇ ବିଦାୟ ନେଇଥିଲେ ।