ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ । ଶନିବାର ଦିନ ସେ ତାଙ୍କର ଦୀର୍ଘକାଳୀନ ସାଥୀ ଜୋଡି ହେଡେନ୍ ଙ୍କୁ ବିବାହ କରିଛନ୍ତି । ଏହା ଦେଶର ଇତିହାସରେ ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ପଦରେ ଥିବା ସମୟରେ ବିବାହ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ୬୨ ବର୍ଷ ବୟସ ହୋଇଥିବା ବେଳେ ବାନ୍ଧବୀ ତଥା ପତ୍ନୀ ହେଡେନଙ୍କୁ ୪୬ ବର୍ଷ । ରାଜଧାନୀ କାନବେରାରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦି ଲଜ୍ ର ବଗିଚାରେ ଏକ ବ୍ୟକ୍ତିଗତ ଉତ୍ସବରେ ଏହି ବିବାହ କାର୍ଯ୍ୟ ସମାପନ ହୋଇଛି । ବିବାହ ପରେ ଆଲବାନିଜ୍ କହିଛନ୍ତି କି, "ଆମେ ବହୁତ ଖୁସି।" ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟତମ ବନ୍ଧୁ ଯୋଗ ଦେଇଥିଲେ। ଏମାନଙ୍କ ଉପସ୍ଥିତିରେ ଆମର ବିବାହ ହୋଇଛି । ଆମେ ଏକାଠି ରହିବାକୁ ପ୍ରତିଜ୍ଞା କରିଛୁ।"
ସୋସିଆଲ୍ ମିଡିଆରେ ବିବାହର ଏକ ଝଲକ ସେୟାର କରିଛନ୍ତି…
ପ୍ରଧାନମନ୍ତ୍ରୀ ଆଲବାନିଜ୍ କେବଳ ଗୋଟିଏ ଶବ୍ଦ ଲେଖି ତାଙ୍କ ବିବାହର ଏକ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ, ସେ ଏକ ବୋ-ଟାଇ ସୁଟ୍ ପିନ୍ଧିଥିବାର ଦେଖାଯାଉଛନ୍ତି, ଯେତେବେଳେ କି ପତ୍ନୀ ହେଡେନ୍ ଏକ ଧଳା ରଙ୍ଗର ବିବାହ ଗାଉନ୍ ପିନ୍ଧି ହସିଥିଲେ। ସେମାନେ ହାତ ଧରିବା ସମୟରେ ସେମାନଙ୍କ ଉପରେ କନଫେଟି ବର୍ଷା ହୋଇଥିଲା।
ପାଞ୍ଚ ଦିନ ପାଇଁ ଅଷ୍ଟ୍ରେଲିଆରେ କରିବେ ହନିମୁନ୍…
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଦମ୍ପତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହିଁ ହନିମୁନ୍ କରିବେ ଏବଂ ଏହି ସମୟର ସମସ୍ତ ଖର୍ଚ୍ଚ ସେ ବହନ କରିବେ। ଏହା ଆନ୍ଥୋନି ଆଲବାନିଜଙ୍କ ଦ୍ୱିତୀୟ ବିବାହ। ସେ ୨୦୨୯ ରେ ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଏବଂ ସେମାନଙ୍କର ଏକ ପୁଅ ରହିଛି, ଯାହାର ନାଁ ନାଥନ୍। ସେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ମେଲବୋର୍ଣ୍ଣରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଜୋଡି ହେଡେନଙ୍କୁ ଭେଟିଥିଲେ।