ଚନ୍ଦ୍ରଶେଖରପୁର,୩୧/୦୩: ରାଜଧାନୀରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ପାର୍କିଂ ହୋଇଥିବା ଏକ ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଏମିତି ଘଟଣା ପଟିଆ ଶୁଭମ୍ ଆପାର୍ଟମେଣ୍ଟ ନିକଟରେ ଦେଖିବାକୁ ମିଳିଛି । ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ ।
ସୂଚନା ଅନୁଯାୟୀ ରାତି ପ୍ରାୟ ସାଢ଼େ ୯ଟା ହେବ । ହଠାତ୍ ପାର୍କିଂ ସ୍ଥାନରୁ ଶିଶୁଟିର କାନ୍ଦ ଶୁଭିଥିଲା । ସେହି ବାଟ ଦେଇ ଯାଉଥିବା ଲୋକେ ଖୋଜା ଖୋଜି କରିବା ପରେ ଶିଶୁଟିକୁ ଅଟୋ ସିଟ୍ ଉପରୁ ପାଇଥିଲେ । ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରିବା ପରେ ପିସିଆର ଭ୍ୟାନ୍ ଆସି ପହଞ୍ଚିଥିଲା । ଏହି ସମୟରେ ଅଟୋ ଚାଳକ ମଧ୍ୟ ଆସି ପହଞ୍ଚିଥିଲେ । ହେଲେ ପିଲା ବିଷୟରେ କିଛି ଜାଣି ନଥିବା କହିଥିଲେ । ପୁଲିସ ବୁଲି ବୁଲି ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିଥିଲା । ହେଲେ ପିଲା ବିଷୟରେ କେହି ଜାଣି ନଥିବା କହିଥିଲେ । ପୁଲିସ ଶିଶୁଟିକୁ ଉଦ୍ଧାର କରି କୋଳାଥିଆସ୍ଥିତ ଏକ ଶିଶୁ ସେବା ସଦନରେ ରଖିଛି । ଶିଶୁଟିର ବୟସ ୧ରୁ ୨ ମାସ ଭିତରେ ହେବ । ପୁଲିସ ଅଟୋ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶିଶୁଟିକୁ କିଏ ଆଣି ଅଟୋରେ ଥୋଇଲା ଚନ୍ଦ୍ରଶେଖରପୁର ଥାନା ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି । ଶିଶୁ ନିକଟରୁ ପୁଲିସ ଏକ ଚିଠି ପାଇଛି । ସେଥିରେ ଶିଶୁଟିକୁ ଯିଏ ନେବ ତାର ଯତ୍ନ ନେବାକୁ ଅନୁରୋଧ କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଏକାଧିକ ଲୋକ ପହଞ୍ଚି ଶିଶୁଟିକୁ ନେବାକୁ ଅଡି ବସିଛନ୍ତି ।
ଅଧିକ ପଢ଼ନ୍ତୁ :- ଚିନ୍ତା ବଢ଼ାଇଲା ଜଙ୍ଗଲ ନିଆଁ: ବନାଗ୍ନିରେ ଓଡ଼ିଶା ଦେଶରେ ପ୍ରଥମ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
ଅନ୍ୟପଟେ ଶିଶୁପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ ଅଟୋ ଚାଳକ ପୀତବାସ ବେହେରା। ଫଳ ବ୍ୟବସାୟ ସହ ଟ୍ରାନ୍ସପୋର୍ଟ ବ୍ୟବସାୟ ଥିବାରୁ ସେ ଛୁଆଟିର ସଠିକ୍ ଲାଳନପାଳନ କରି ପାରିବେ ବୋଲି କହିଛନ୍ତି।