ଭୁବନେଶ୍ବର, ୨୫/୧୧ : ରାଜ୍ୟସ୍ତରୀୟ ଆଦିବାସୀ ଆରୋଗ୍ୟକାରୀ ସାକ୍ଷାତକାର ୨୦୨୫ର ଆଜି ଉଦଘାଟନ ହୋଇଯାଇଛି । ଭୁବନେଶ୍ବରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି ଅବସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି. ପରମେଶ୍ବରନ୍, SCSTRTIର ପୂର୍ବତନ ନିର୍ଦ୍ଦେଶକ ତଥା ଜନଜାତି ବିଶେଷଜ୍ଞ ପ୍ରଫେସର ଡ଼ଃ ଏ.ବି ଓତା, ପତଞ୍ଜଳି ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଡ଼ଃ ବେଦ ପ୍ରିୟା ଆର୍ଯ୍ୟା, SCSTRTIର ନିର୍ଦ୍ଦେଶକ ସୁଧାକର ଶବର, ଉପନିର୍ଦ୍ଦେଶକ ସନ୍ତୋଷ ଥ ପ୍ରମୁଖ ଉପସ୍ଥିତ ଥିଲେ।

ଆୟୁକ୍ତ ତଥା ଶାସନ ସଚିବ ବି. ପରମେଶ୍ବରନ୍ ଉପସ୍ଥିତ ରହି ଆଦିବାସୀ ଜ୍ଞାନ ପ୍ରଣାଳୀ ଏବଂ ପାରମ୍ପରିକ ପରମ୍ପରାକୁ ସଂରକ୍ଷିତ କରିବା, ଏହାକୁ କିପରି ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା କରିଥିଲେ । ଆୟୁର୍ବେଦ ଔଷଧ ଓ ଚିକିତ୍ସା ପଦ୍ଧତିକୁ ଅଧିକ ବ୍ୟାପକ କରିବା ନିମନ୍ତେ ବୈଜ୍ଞାନିକ ଓ ଆଧୁନିକ ଜ୍ଞାନକୌଶଳକୁ ବ୍ୟାପକ କରିବା ନିମନ୍ତେ ସେ ଗୁରୁତ୍ବାରୋପ କରିଛନ୍ତି । ପ୍ରଫେସର ଡ଼ଃ ଏ.ବି ଓତା ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଆଦିବାସୀ ଆରୋଗ୍ୟକାରୀମାନଙ୍କ ପାରମ୍ପରିକ ଅଭ୍ୟାସଗୁଡ଼ିକର ବୈଧିକରଣ କରିବା ନିମନ୍ତେ ମତପ୍ରକାଶ କରିବା ସହ SCSTRTI ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନର ଏକ ମିଳିତ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି ।

ସେହିପରି ପତଞ୍ଜଳି ଗବେଷଣା ପ୍ରତିଷ୍ଠାନର ରିସର୍ଚ୍ଚ ଡିଭିଜନ୍ ମୁଖ୍ୟ ଡ଼ ବେଦ ପ୍ରିୟା ଆର୍ଯ୍ୟା ଉପସ୍ଥିତ ରହି ଆୟୁର୍ବେଦର ସମୃଦ୍ଧ ଐତିହ୍ୟ ଓ ଏହାର ସଂରକ୍ଷଣ ସମ୍ପର୍କରେ ଆଲୋକପାତ କରିଛନ୍ତି। ଆୟୁର୍ବେଦ ଔଷଧର ଡକ୍ୟୁମେଣ୍ଟେସନର ଆବଶ୍ୟକତା ସମ୍ପର୍କରେ ସେ ଗୁରୁତ୍ବରୋପ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ଦେଇ ସୁଧାକର ଶବର ପାରମ୍ପରିକ ଔଷଧ ଓ ଚିକିତ୍ସାପଦ୍ଧତିର ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଫୋରମ୍ ରେ ଆଦିବାସୀ ଆରୋଗ୍ୟକାରୀଙ୍କୁ ସୁଯୋଗ ପ୍ରଦାନ କରିବା ନେଇ ନିର୍ଦ୍ଦେଶକ ଗୁରୁତ୍ବାରୋପ କରିଛନ୍ତି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆଦିବାସୀ ଜ୍ଞାନ ପ୍ରଣାଳୀକୁ ସମ୍ମାନିତ କରିବା, ଜ୍ଞାନ ଆଦାନପ୍ରଦାନକୁ ସହଜ କରିବା ଏବଂ ପାରମ୍ପରିକ ଶୈଳୀ ମାଧ୍ୟମରେ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଆଦିବାସୀ ଚିକିତ୍ସା ଅଭ୍ୟାସଗୁଡ଼ିକର ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟାକୁ ସୁଦୃଢ଼ କରିବା । କାର୍ଯ୍ୟକ୍ରମରେ ଆନ୍ଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, ଆୟୁର୍ବେଦ, ଜନସ୍ୱାସ୍ଥ୍ୟ ପ୍ରମୁଖ ବିଶେଷଜ୍ଞଙ୍କ ଦ୍ୱାରା ବୈଷୟିକ ଅଧିବେଶନ ଏବଂ ପ୍ୟାନେଲ ଆଲୋଚନା ସହିତ ସ୍ୱଦେଶୀ ଚିକିତ୍ସା ପଦ୍ଧତିର ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିବ । କାର୍ଯ୍ୟକ୍ରମରେ ଦେଶୀ ଔଷଧୀୟ ଉଦ୍ଭିଦ ପ୍ରଦର୍ଶିତ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ଆରୋଗ୍ୟକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ପାରସ୍ପରିକ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବେ ।

ଦୁଇ ଦିନିଆ ସାକ୍ଷାତକାର କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବ ବିଦ୍ୟାଳୟ, ରାଜ୍ୟ ଔଷଧୀୟ ବୋର୍ଡ଼, କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ, ପତଞ୍ଜଳି ଗବେଷଣା ପ୍ରତିଷ୍ଠାନ, ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଏମ୍.ଏସ୍ ସ୍ବାମୀନାଥନ ଗବେଷଣ ପ୍ରତିଷ୍ଠାନ, ଆୟୁଷ, ଏମ୍ସରୁ ବିଭିନ୍ନ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଆଜିବାସୀ ଆରୋଗ୍ୟକାରୀ ଯୋଗ ଦେଇଛନ୍ତି । ଓଡ଼ିଶାର ନଅଟି ଜିଲ୍ଲାରୁ ମୋଟ ୩୫ଟି ଆଦିବାସୀ ଆରୋଗ୍ୟକାରୀ ଅଂଶଗ୍ରହଣ କରୁଛନ୍ତି। ସଉରା, ଗଣ୍ଡ, ଲାଞ୍ଜିଆ ସଉରା, ବାଥୁଡି, ଭୁୟାଁ, ପରଜା, ଭତରା, ବଣ୍ଡା, ସାନ୍ତାଳ, କନ୍ଧ, କିସାନ, ମୁଣ୍ଡା ଓରାଓଁ, ଭୂମିଜ ଏବଂ କନ୍ଧ ଗୌଡା ପ୍ରମୁଖ ସମ୍ପ୍ରଦାୟ ଯୋଗ ଦେଇଛନ୍ତି । ଏଥିସହ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୧୨୦ଜଣ ଅଂଶଗ୍ରହଣକାରୀ ଭାଗ ନେଇଥିବାବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ,କିଟ୍, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗବେଷଣା କରୁଥିବ PhD Scholarମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।