ଚେନ୍ନାଇ, ୧୪/୦୪: ମୁମ୍ବାଇର ଯୁବ ବ୍ୟାଟର ଆୟୂଷ ମାହତ୍ରେଙ୍କୁ ଖୁବଶୀଘ୍ର ଆଇପିଏଲ୍‌ ଖେଳୁଥିବାରୁ ଦେଖିବାକୁ  ମିଳିବ । ୫ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ତାଙ୍କୁ ଋତୁରାଜ  ଗାଏକୱାଡ୍‌ଙ୍କ ସ୍ଥାନରେ ସାମିଲ କରିବାକୁ ଯୋଜନା କରୁଛି ।  

ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଗାମୀ  ଲିଗ୍‌ ମୁକାବିଲା ପୂର୍ବରୁ ମାହତ୍ରେ ସୁପରକିଙ୍ଗ୍‌ସ ଦଳ ସହ ଯୋଗ  ଦେବାର କାର୍ଯ୍ୟକ୍ରମ ରହିଛି । ସୁପରକିଙ୍ଗ୍‌ସ ନିୟମିତ ଅଧିନାୟକ  ଗାଏକୱାଡ ଆହତ ହୋଇ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିଲେ । ସୁପରକିଙ୍ଗ୍‌ସ ପକ୍ଷରୁ ଗତ ୩ ତାରିଖରେ ୧୭ବର୍ଷୀୟ ମାହତ୍ରେଙ୍କୁ  ଟ୍ରାଏଲ ପାଇଁ ଡକାଯାଇଥିଲା । ସେ ରାଜକୋଟରୁ ସିଧା ଚେନ୍ନାଇ  ସ୍ଥିତ ଚିପକ ଷ୍ଟାଡିୟମରେ ପହଞ୍ଚି ଟ୍ରାଏଲ ଦେଇଥିଲେ । ତାଙ୍କ  ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଥିଲା । 

ଗତ ଆଇପିଏଲ୍‌  ମେଗା ନିଲାମରେ କୌଣସି ଦଳ ତାଙ୍କୁ କିଣିବା ପାଇଁ ଆଗ୍ରହ  ଦେଖାଇ ନଥିଲେ । ବିସିସିଆଇ ଘରୋଇ ସିଜନ (୨୦୨୪-୨୫)ରେ  ମାହତ୍ରେ ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ । ସେ ବିଜୟ ହଜାରେ ଟ୍ରଫିରେ ପଦାର୍ପଣ  କରିବା ସହ ୭ଟି ମ୍ୟାଚ୍‌ ଖେଳି ୬୫.୪୨ ଆଭରେଜରେ  ମୋଟ ୪୫୮ (୨ଶତକ, ୧ଅର୍ଦ୍ଧଶତକ) ରନ୍‌ କରିଥିଲେ ।  ସେହିପରି ରଣଜୀ ଟ୍ରଫିରେ ୮ଟି ମ୍ୟାଚ୍‌ ଖେଳି ୪୭୧  (୨ଶତକ, ୧ଅର୍ଦ୍ଧଶତକ) ରନ୍‌ ସଂଗ୍ରହ କରିଥିଲେ ।