ପ୍ରମୂଖ ଖବର

ଓଡ଼ିଶାରେ "ଆୟୁଷ୍ମାନ୍‌ ଭାରତ' କାର୍ଯ୍ୟକାରୀକୁ ଦେଢ଼ ମାସ, ସରୁନି ପ୍ରଥମ ପର୍ଯ୍ୟାୟ କାର୍ଡ ବଣ୍ଟନ

Published By : Prameya | May 26, 2025 12:05 PM

ଅସ୍ତରଙ୍ଗ, ୨୬/୦୫: ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀକୁ ଦେଢ଼ ମାସ ବିତିଲାଣି । ହେଲେ  ଅସ୍ତରଙ୍ଗ ବ୍ଲକ୍‌ରେ ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟନ୍ତ କାର୍ଡ ବଣ୍ଟନ ଶେଷ ହୋଇନି ।  ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ  ଅସନ୍ତୋଷ ପ୍ରକାଶ ପାଇଛି ।  

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଓ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ୍‌  ୧୧ରେ "ଆୟୁଷ୍ମାନ୍‌ ଭାରତ' ଯୋଜନାର  ଶୁଭାରମ୍ଭ କରିଥିଲେ । ଆଭାସୀ  ଜରିଆରେ ସାରା ରାଜ୍ୟରେ ଏହାର  ଉଦ୍‌ଘାଟନ ହୋଇଥିଲା । ଅସ୍ତରଙ୍ଗ  ବ୍ଲକ୍‌ର ଖଣ୍ଡାସାହି ଓ ରତନପୁରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।  ବ୍ଲକ୍‌ର ୭୩ ହଜାର ୫ ଶହ  ୨୮ ଜଣ ହିତାଧିକାରୀଙ୍କୁ  ସାମିଲ କରାଯାଇଥିବା  ବେଳେ ପ୍ରଥମ ପର୍ଯ୍ୟାୟରେ  ୩୫ ହଜାର  ୮ ଶ ହ  ୮୪ କାର୍ଡ  ଆସିଛି । କିନ୍ତୁ  ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ  ଅଧିକାଂଶ ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ କାର୍ଡ ମିଳି ନଥିବା ଅଭିଯୋଗ ହୋଇଛି ।  

ସ୍ୱାସ୍ଥ୍ୟ ଓ ଭିଏଲ୍‌ଇ କର୍ମୀମାନେ  ଘର ଘର ବୁଲି ଏହି  କାର୍ଡ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ହିତାଧିକାରୀଙ୍କ ଇ-କେୱାଇସି କରି  ଏହାକୁ ପ୍ରଦାନ କରିବାକୁ  କୁହାଯାଇଛି । ମେ  ୨୨ ସୁଦ୍ଧା ମାତ୍ର ୨୦  ହଜାର ୬୨ ଜଣ  ହିତାଧିକାରୀଙ୍କୁ କାର୍ଡ  ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ  ଆୟୁଷ୍ମାନ୍‌ ଭାରତ କାର୍ଡ ଦେବାକୁ  ସରକାର ପ୍ରସ୍ତୁତ ହେଉଛନ୍ତି । କିନ୍ତୁ  ପ୍ରଥମ ପର୍ଯ୍ୟାୟ କାର୍ଡର ଇ-କେୱାଇସି  ଶେଷ ହୋଇନି । ଫଳରେ ସରକାରଙ୍କ  ଏହି ମହତ ଜନକଲ୍ୟାଣକାରୀ  ଯୋଜନାର ସଫଳ ରୂପାୟନ ନେଇ  ସନ୍ଦେହ ପ୍ରକାଶ ପାଇଛି । 

ଏନେଇ ଅସ୍ତରଙ୍ଗ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସଞ୍ଜୟ  ପ୍ରଧାନ କହିଛନ୍ତି, କାର୍ଡ ଗୁଡ଼ିକର  ଇ-କେୱାଇସି କରିବା ପାଇଁ ଦାୟିତ୍ୱ  ନେଇଥିବା ଭିଏଲଇମାନେ ଠିକ୍‌ ଭାବେ  ସହଯୋଗ କରୁନାହାନ୍ତି । ଯେଉଁଥିପାଇଁ  ଏପରି ସମସ୍ୟା ସୃଷ୍ଟି ହୋଇଛି । ଏନେଇ  ଜିଲ୍ଲାସ୍ତରରେ ଅଭିଯୋଗ କରାଯାଇଥିବା  ସେ କହିଛନ୍ତି ।  

କମନ ସର୍ଭିସ୍‌ ସେଣ୍ଟର ଜିଲ୍ଲା  ମ୍ୟାନେଜର ସୁନୀଲ ସାହୁ କହିଛନ୍ତି, ଅଳ୍ପ  କିଛି ଜାଗାରେ କାର୍ଡ ପହଞ୍ଚିନି । ଆମେ  ତୁରନ୍ତ ବାଣ୍ଟିବା କାର୍ଯ୍ୟ ଜାରି ରଖିଛୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.