ନୂଆଦିଲ୍ଲୀ,୧୯/୧୦: ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟ୍ରେ ତାଙ୍କ ପୁଅ। ଗିରଫ ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଲା ପୁଅ ଜିସାନ ସିଦ୍ଦିକିଙ୍କ ଫଟୋ । ହିଟ୍ ଲିଷ୍ଟରେ ରହିଛି ଜିସାନଙ୍କର ନାଁ। ତାଙ୍କୁ ମଧ୍ୟ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ଏଭଳି କିଛି ନୂଆ ଖୁଲାସା ହୋଇଛି।
ତେବେ ଅଭିଯୁକ୍ତର ଫୋନରୁ ମିଳିଥିବା ଏହି ଫଟୋକୁ ତାଙ୍କ ହ୍ୟାଣ୍ଡେଲର୍ ଦ୍ୱାରା ସ୍ନାପଚାଟ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ସେୟାର କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ସୁଟର ଏବଂ ଷଡଯନ୍ତ୍ରକାରୀମାନେ ମେସେଜ ଆଦାନ ପ୍ରଦାନ ପାଇଁ ସ୍ନାପଚାଟ ବ୍ୟବହାର କରିଛନ୍ତି ବୋଲି ମୁମ୍ବାଇ ପୋଲିସ ଏହି ସୂଚନା ଦେଇଛି। ଲରେନ୍ସ ଗ୍ୟାଙ୍ଗର ହ୍ୟାଣ୍ଡେଲରଙ୍କଠାରୁ ସ୍ନାପଚାଟ ଜରିଆରେ ସୂଚନା ମିଳିବା ପରେ ଉକ୍ତ ମେସେଜକୁ ଡିଲିଟ୍ କରାଯାଇଥିଲା। ଏଥିସହିତ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ପ୍ରଥମେ ଅଭିଯୁକ୍ତ ୧ କୋଟି ଟଙ୍କା ମାଗିଥିଲେ। ଗିରଫ ଅଭିଯୁକ୍ତ ରାମ କାନୌଜିଆକୁ ପଚରାଉଚରା ବେଳେ ପୁଲିସ ଏହା ଜାଣିବାକୁ ପାଇଛି। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶୁକ୍ରବାର ଦିନ ଆଉ ୫ ଜଣଙ୍କୁ ଗିରଫ କରିଥିଲା।
ସୂଚନାନୁସାରେ, ଗିରଫ ଅଭିଯୁକ୍ତ ରାମ କାନୌଜିଆ କହିଛି ଯେ ପ୍ରଥମେ ଶୁଭମ୍ ଲୋଙ୍କାର ତାଙ୍କୁ ଏବଂ ନିତିନ ସାପ୍ରେଙ୍କୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। ରାମ କାନୌଜିଆ ମହାରାଷ୍ଟ୍ରର ବାସିନ୍ଦା, ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ କ’ଣ ହୋଇପାରେ ସେ ବିଷୟରେ ତାଙ୍କର ଧାରଣା ଥିଲା, ତେଣୁ ସେ ଏହି ସୁପାରି ନେବାକୁ ମନା କରିଥିଲା। ତେବେ ରାମ କନୌଜିଆ ପଛକୁ ହଟିବା ପରେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଧର୍ମରାଜ କଶ୍ୟପ, ଗୁରନୈଲ ସିଂହ ଓ ଶିବକୁମାର ଗୌତମଙ୍କୁ ଶୁଭମ ସୁପାରି ଦେଇଥିବା ପୁଲିସ କହିଛି।