ମୁମ୍ୱାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା କେସ୍ର ଯାଞ୍ଚ ମୁମ୍ୱାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ପୂରା କରି ସାରିଛି। ପୁଲିସ ଏହି ମାମଲାର ଲମ୍ୱା ଚଉଡ଼ା ଚାର୍ଜସିଟ୍ ଦାଖଲ କରିଛି। ୪୫୯୦ପୃଷ୍ଠାର ଚାର୍ଜସିଟ୍ରେ ମୁମ୍ୱାଇ ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସମେତ ୨୬ ଲୋକଙ୍କ ନାଁ ଏହି ମାମଲାରେ ସାମିଲ କରିଛି ଏବଂ ତାଙ୍କ ବିରୋଧରେ ଅଭିଯୋଗ ଲଗେଇଛି। ଚାର୍ଜସିଟ୍ରେ ପୁଲିସ ଖୁଲାସା କରିଛି କି, ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ନିକଟତର ହେବା କାରଣରୁ ବାବା ସିଦ୍ଦିକିଙ୍କର ହତ୍ୟା କରିଥିଲା।
ପୁଲିସର ଯାଞ୍ଚରେ ଏହା ମଧ୍ୟ ନିଷ୍କର୍ଷ ବାହାରିଛି ଯେ, ବିଷ୍ଣୋଇ ଗ୍ୟାଙ୍ଗ ମୁମ୍ୱାଇରେ ନିଜର ଦବଦବା ବଜାୟ ରଖିବାକୁ ହତ୍ୟାକାଣ୍ଡର ଯୋଜନା କରିଥିଲା। ଚାର୍ଜସିଟ୍ରେ ପୁଲିସ ଏହା ମଧ୍ୟ କହିଛି କି, ମୁମ୍ୱାଇରେ ସ୍ଲମ୍ ରିହାଲିବିଟେସନ ଅଟୋରିଟି ପ୍ରୋଜେକ୍ଟ ସହ ଜଡ଼ିତ ବିବାଦର ଏହି ହତ୍ୟାକାଣ୍ଡରେ କୌଣସି ନେଣଦେଣ ନାହିଁ।
ପୁଲିସ ସୋମବାର ଏହି ମାମଲାରେ ୨୬ ଗିରଫ ଅଭିଯୁକ୍ତ ଓ ଜେଲ୍ରେ ବନ୍ଦୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସହ ୩ ୱାଣ୍ଟେଡ୍ ବ୍ୟକ୍ତିଙ୍କ ବିରୋଧରେ , ଏକ ସ୍ୱତନ୍ତ୍ର ଅଦାଲତରେ ୪,୫୯୦ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରିଛି। ଅଭିଯୋଗ ପତ୍ର ଅନୁସାରେ , ଅନମୋଲ ବିଷ୍ଣୋଇ ଭୟର ମାହୋଲ କାଏମ ରଖିବା ଓ ଦବଦବା ସ୍ଥାପନ କରିବାର ଉଦ୍ଦେଶ୍ୟରେ ସିଦ୍ଦିକିଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା। ଅନମୋଲ ବିଷ୍ଣୋଇ ବ୍ୟତୀତ, ଅନ୍ୟ ୱାଣ୍ଟେଡ୍ ଅଭିଯୁକ୍ତମାନେ ହେଲେ ମହମ୍ମଦ ୟାସିନ ଅଖତର ଓ ଶୁଭମ ଲୋନକର।
ପୁଲିସ ମାମଲାରେ ଏବେସୁଦ୍ଧା ୨୬ ଲୋକଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ (ଏମସିଓସି)ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିଛି। ସବୁ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ୬୬ ବର୍ଷିୟ ସିଦ୍ଦିକିଙ୍କର ୧୨ ଅକ୍ଟୋବର ୨୦୨୪ରେ ମୁମ୍ୱାଇର ବାନ୍ଦ୍ରା ଅଞ୍ଚଳରେ ତାଙ୍କର ପୁଅ ଜିସାନ ସିଦ୍ଦିକିଙ୍କ ଅଫିସ ବାହାରେ ୩ ଆକ୍ରମଣକାର ଗୁଳି କରି ହତ୍ୟା କରିଦେଇ ଥିଲେ। ମୁଖ୍ୟ ସୁଟର ଘଟଣାସ୍ଥଳରୁ ଫେରାର ହୋଇଥିଲା, ହେଲେ ପରେ ତାକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିନେଇ ଥିଲା।
ପୁଲିସ ଚାର୍ଜସିଟ୍ରେ କୁହାଯାଇଛି ଯେ ଅଭିଯୁକ୍ତମାନେ ବାବା ସିଦ୍ଦିକିଙ୍କୁ ଏଥିପାଇଁ ଟାର୍ଗେଟ କଲେ ,କାରଣ ତାଙ୍କର ଦାବି ଯେ, ସେ ଅଭିନେତା ସଲମାନ ଖାନଙ୍କ ନିକଟତର , ଯିଏ ବିଷ୍ଣୋଇ ଗୋଷ୍ଠୀ ଦ୍ୱାରା ପବିତ୍ର ଭାବେ ବିଶ୍ୱାସ କରାଯାଉ ଥିବା କୃଷ୍ଣସାର ମୃଗର ଶିକାର କରିବାର ଅଭିଯୋଗରେ ଗ୍ୟାଙ୍ଗର ଟାର୍ଗେଟ୍ରେ ଅଛନ୍ତି। ଏହା ବ୍ୟତୀତ , ଚାର୍ଜସିଟ୍ରେ କୁହାଯାଇଛି କି ଅଭିଯୁକ୍ତମାନେ ସିଦ୍ଦିକିଙ୍କୁ ଏଥିପାଇଁ ଚୟନ କଲେ କି , ସେମାନେ ଭାବିଲେ ସେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ମଧ୍ୟ ନିକଟତର।