ନୂଆଦିଲ୍ଲୀ, ୧୨/୨ : ଧିମା ବ୍ୟାଟିଂ ପାଇଁ ସର୍ବଦା ସମାଲୋଚନାର ଶିକାର ହୋଇଥାନ୍ତି ପାକିସ୍ତାନୀ ବ୍ୟାଟର ବାବର ଆଜମ । କିଙ୍ଗ୍ ବାବର ଭାବେ ପରିଚିତ ଏହି ଖେଳାଳିଙ୍କୁ କିନ୍ତୁ ନିଜ ଦେଶର ଖେଳାଳିମାନେ ମଧ୍ୟ ସମାଲୋଚନା କରିଥାନ୍ତି । ଏବେ ପୁଣି ନିଜ ଦେଶର ଦୁଇ ପୂର୍ବତନ ଖେଳାଳି ତାଙ୍କ ମଜାକ୍ କରିଛନ୍ତି । ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କ ଧିମା ବ୍ୟାଟିଂକୁ ନେଇ ଲାଇଭ ଶୋ’ରେ ମଜା କରିଛନ୍ତି । ମହମ୍ମଦ ଅମୀର ପୁଣିଥରେ ତାଙ୍କ ଅବସର ପ୍ରସଙ୍ଗ ଉଠାଇଥିବାବେଳେ ଅହମ୍ମଦ ଶେହେଜାଦ୍ ବାବରଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ଡିନର ପାର୍ଟି ଦେବାକୁ କହି ଖୁବ୍ ହସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 

ଅହମ୍ମଦ କହିଛନ୍ତି କି, ବାବର ଯଦି ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ରନ କରି ଯଦି ପାକିସ୍ତାନକୁ କୌଣସି ମ୍ୟାଚ ଜିତାଇ ଦିଅନ୍ତି ତାହେଲେ ସେ ଡିନର ପାର୍ଟି ଦେବେ । ଏହାସହ ମହମ୍ମଦ ଆମୀର କହିଥିଲେ କି, ବାବର ଯଦି ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ଖେଳନ୍ତି ତାହେଲେ ସେ ନିଜର ଅବସରକୁ ପ୍ରତ୍ୟାହାର କରିବେ । ପୁଣିଥରେ ପାକିସ୍ତାନ ପାଇଁ ଖେଳିବେ । ଏହାପରେ ଲତିଫ କହିଥିଲେ କି, ବାବର ତ ଏତେ ସମୟ ପର୍ଯ୍ୟନ୍ତ ଖେଳନ୍ତି ନାହିଁ । ଯାହା ଶୁଣିବା ପରେ ଉଭୟ ହସିଥିଲେ । ଲାଇଭ୍ ଟିଭି ଶୋ’ ସମୟରେ ବାବରଙ୍କ ଧିମା ବ୍ୟାଟିଂ ଏବଂ ପ୍ରଦର୍ଶନକୁ ନେଇ ଏଭଳି ମଜାକ ଉଡ଼ାଇଥିବାବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଟି-୨୦ ବିଶ୍ବକପ ୨୦୨୬ରେ ବାବର ନିରାଶଜନକ ବ୍ୟାଟିଂ କରିଛନ୍ତି । ସେ ଦୁଇଟି ମ୍ୟାଚରେ ମାତ୍ର ୬୧ ରନ କରିଛନ୍ତି । ଯେଉଁଠାରେ ଷ୍ଟ୍ରାଇକ୍ ରେଟ୍ ମାତ୍ର ୧୨୨ ରହିଛି । ପ୍ରଥମ ମ୍ୟାଚରେ ନେଦରଲ୍ୟଶଣ୍ଡ ବିପକ୍ଷରେ ମାତ୍ର ୧୫ ରନ କରିଥିଲେ । ଯେଉଁଥିରେ ସେ ୧୮ ବଲର ସାମ୍ନା କରିଥିଲେ । ତାଙ୍କ ଧିମା ବ୍ୟାଟିଂ ଦଳକୁ ବିଜୟ ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇଥିବା ପୂର୍ବରୁ ସମାଲୋଚନା କରାଯାଇଛି । ସେପଟେ କିନ୍ତୁ ଆମେରିକା ବିପକ୍ଷରେ ୪୬ ରନର ପାଳି ଖେଳିଥିଲେ ବାବର । ଟି-୨୦ରେ ୧୩୦ରୁ କମ୍ ଷ୍ଟ୍ରାଇକ୍ ରେଟରେ ଖେଳୁଥିବା ବାବର ସବୁବେଳେ ସମାଲୋଚକଙ୍କ ଶିକାର ହୋଇଥାନ୍ତି । ଅଧିକାଂଶ ସମୟରେ ନିଜ ଦେଶର ଖେଳାଳିମାନେ ହିଁ ତାଙ୍କୁ ସମାଲୋଚନା କରିବା ସହ ଟ୍ରୋଲ ମଧ୍ୟ କରିଥାନ୍ତି ।

ଏହାସହ ପଢ଼ନ୍ତୁ : ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିଶେକ ଶର୍ମା