ରାଜନଗର,୨୭/୦୮ : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବିଶେଷକରି ଏହା ବଉଳା କୁମ୍ଭୀରର ଅନ୍ତୁଡ଼ିଶାଳ ଭାବେ ପରିଚିତ । ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାକୁ ଆସିବା ପରେ ଜାତିସଂଘ ସହାୟତାରେ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ୧୯୭୫ ମସିହାରେ କୁମ୍ଭୀର ଚାଷ ପ୍ରକଳ୍ପ ଡାଙ୍ଗମାଳଠାରେ ଆରମ୍ଭ ହୋଇଥିଲା । କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖାଯାଇ କୁମ୍ଭୀର ବଂଶ ବୃଦ୍ଧି କରାଗଲା । ଏହା ମଧ୍ୟରେ କୁମ୍ଭୀର ଚାଷ ପ୍ରକଳ୍ପକୁ ୫୦ ବର୍ଷ ପୂରି ଯାଇଛି । ଏବେ ଜାତୀୟ ଉଦ୍ୟାନର ନଦୀନାଳମାନଙ୍କରେ ବହୁ ସଂଖ୍ୟାରେ ଅଣ୍ଡା ଦେଇ ବଂଶବିସ୍ତାର କରୁଛନ୍ତି । ତେବେ ଏହି ଛୁଆ କୁମ୍ଭୀରଙ୍କ ପାଇଁ ମାଛ ମାଫିଆମାନେ ମୃତ୍ୟୁର ସୌଦାଗର ସାଜିଛନ୍ତି।
ଜାତୀୟ ଉଦ୍ୟାନର ଅଭ୍ୟନ୍ତର ଅଂଚଳରେ ଥିବା ପ୍ରଭାତି ନାଳ, କଣ୍ଟିଆଖାଇ ନାଳ, ଗର୍ତ୍ତ ନାଳ, କେରୁଆଁପାଳ ନାଳ, ଚାଆଁରାକୋହ୍ଲା ନାଳ, ବନିପାହି ନାଳ ଓ ଭେକ୍ଟାନାଳ ସହ ବଗୁଲି ନାଳ, ରଣହଂସୁଆ ନାଳ, ହାବଳ ନାଳ, ପୋତାବଗୁଲୀ ନାଳ, ଅଙ୍ଗାରୀ ନାଳ, ବଗପାଟିଆ ନାଳ, ବ୍ରାହ୍ମଣୀ ନାଳ, ବାଉଁଶଗଡ଼ ନାଳ, ବେରି ନାଳ, ରାଇପାଟିଆ ନାଳ, ମଇପୁରା ନାଳ, ମଗରକନ୍ଦା ନାଳ, ଶୁଖୁଆଖଟି ନାଳ, ସାତଭାୟା ନାଳ, ଖୋଳା ନାଳ, ସୁନେଇ ନାଳ, ରୂପେଇ ନାଳ, ହାତିକେଲା ନାଳରେ ମାଛ ମାଫିଆମାନେ ଛୋଟଛୋଟ ହୁଲିଡଙ୍ଗା ସାହାଯ୍ୟରେ ଜାଲ ବସାଇ ମାଛ ଧରି ମାଲେମାଲ ହେଉଛନ୍ତି । ଏହି ନଦୀନାଳମାନଙ୍କରେ ଥିବା ଛୋଟ ଛୋଟ କୁମ୍ଭୀର ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି । ଏଥିରେ କିଛି ବନ ବିଭାଗର ତଳିଆ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହେଉଛି ।
ବଡ଼ କଥା ହେଲା, ଛୋଟ କୁମ୍ଭୀରଗୁଡ଼ିକ ଛୋଟ ଛୋଟ ମାଛ ଖାଇ ବଞ୍ଚୁଥିବା ବେଳେ ମାଛ ମାଫିଆମାନେ ସେମାନଙ୍କ ମୁହଁରୁ ଆହାର ଛଡ଼ାଇ ନେଉଛନ୍ତି । ବିଶେଷକରି ଏହି ନାଳମାନଙ୍କରେ କୁମ୍ଭୀର ମାଛ ମାଫିଆମାନଙ୍କ ଉପଦ୍ରବରେ ରହିନପାରି ଜାତୀୟ ଉଦ୍ୟାନର ବାହାରେ ଥିବା ନଦୀନାଳକୁ ଚାଲି ଯାଉଛନ୍ତି । ସେମାନେ ସେଠାରେ ରହି କିଛିଦିନ ପରେ ମଣିଷ ଓ ଗୃହପାଳିତ ପଶୁଙ୍କର ମୃତ୍ୟୁର କାରଣ ପାଲଟୁଛନ୍ତି । ବେଳ ଥାଉ ଥାଉ ବନ ବିଭାଗ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ନକଲେ ମାଛ ମାଫିଆମାନେ ମାଛ ମାରିବାକୁ ଯାଇ ବଉଳା କୁମ୍ଭୀର ମୃତ୍ୟୁର କାରଣ ସାଜିବେ, ଏଥିରେ ଦ୍ୱିମତ ନାହିଁ ।