କାଳିଆପାଣି, ୨୮/୫:-- ସୁକିନ୍ଦା ଖଣି ଅଂଚଳରେ ମଙ୍ଗଳବାର ରାତିରେ ଏକ ବଡ ଧରଣର କ୍ରୋମାଇଟ ଲୁଟ ଯୋଜନାକୁ ବନ ବିଭାଗ ଫସର ଫଟେଇ ଦେଇଛି। କ୍ରୋମାଇଟ ମାଫିଆ ମାନେ ଭିମଟାଙ୍ଗର ବନ୍ଦ ଖଣିରେ ଏକ ବ୍ୟାକଲୋଡର ମେସିନ ସାହାଯ୍ୟ ରେ କ୍ରୋମାଇଟ ଭର୍ତ୍ତି କରୁଥିବା ବେଳେ  ବନ ବିଭାଗର ଅତର୍କିତ ଚଢ଼ାଉ କରିଥିଲେ।  ହାଇଓ୍ବା ଗାଡ଼ି ସହ ସଂପୃକ୍ତ ଲୋଡିଂ ମେସିନ କୁ ଘଟଣା ସ୍ଥଳରେ  ଛାଡ଼ି ମାଫିଆମାନେ ଫେରାର ହେଇ ଯାଇଥିଲେ।ବନ ବିଭାଗ ଜବତ ଗାଡି ଗୁଡିକୁ ସୁକିନ୍ଦାସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଆସିଥିବା ଜଣା ପଡ଼ିଛି।

 ପୂର୍ବରୁ କ୍ରୋମାଇଟ ଚୋରି ହେଉଥିବା ଘଟଣା ବାରମ୍ବାର ପ୍ରଚାରିତ ହେବା ପରେ ବନ୍ ବିଭାଗ ପକ୍ଷରୁ ଚୋରଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା । କଟକ ବନଖଣ୍ଡ ଅଧିକାରୀ ଅନୀଲ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ସହ ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ମାଝୀ ସୁକିନ୍ଦା ଓ ଟମକା ବନାଞ୍ଚଳର କର୍ମଚାରୀ ଙ୍କୁ ନେଇ ଏକ ଟିମ ଗଠନ କରିଥିଲେ। ଏହି ଟିମ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ରଂସୋଲ ସେକ୍ସନ ଅଫିସରେ ଜଗି ରହିଥିଲେ।  ମାଫିଆ ମାନେ  କ୍ରୋମାଇଟ ଚୋରି କରିବାକୁ ଏକ ବ୍ୟାକଲୋଡ଼ର ମେସିନ ଓ ହାଇଓ୍ବା ସହ ବନ୍ଦ ଖଣିକୁ ପଶିଥିଲେ। ତେବେ ସଂପୃକ୍ତ ମେସିନ ସାହାଯ୍ୟରେ କ୍ରୋମାଇଟ ଲୋଡିଙ୍ଗ କରିବା ସମୟରେ ପୂର୍ବ ଯୋଜନା ମୁତାବକ  ସୁକିନ୍ଦା ରେଞ୍ଜର ଏକ ଟିମ୍ ଧରି ଅତର୍କିତ ଚଢାଉ କରିଥିଲେ । ଚଢାଉ ସମୟରେ କ୍ରୋମାଇଟ ଭର୍ତ୍ତି ହାଇଓ୍ବା ଗାଡ଼ି ଓ  ବ୍ୟାକଲୋଡ଼ର ମେସିନ ଗାଡ଼ିକୁ ଜବତ୍  କରିଥିଲେ।  ମାଫିଆ ମାନେ କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

 ଚଳିତ ମାସ ୭  ତାରିଖ ରାତ୍ରିରେ  ମେସିନ ଲଗାଇ   କ୍ରୋମାଇଟ ଖୋଳି ନେଇଥିବା  ଖବର ପ୍ରଚାର ହୋଇଥିଲା। ଏହା  ପରେ କଟକ ଡି ଏଫ୍ ଓ ଅନିଲ ରାୟ ଓ ଡି ଡି ଏମ ବିଭୂତି ଭୂଷଣ ବେହେରାଙ୍କ  ନିର୍ଦ୍ଦେଶରେ , ରାଁସୋଳ ଫରେଷ୍ଟର ସର୍ଭେ କରି ଅଧିକାରୀଙ୍କୁ ଚୋରି ହେଉଥିବା ସୂଚନା ଦେଇଥିଲେ । ସେଦିନ ଠାରୁ ମାଫିଆ ଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ବେଳେ ଆଜି ବନ ବିଭାଗ ଜବତ୍ କରିଛି । ଏହାକୁ ନେଇ ବନ ବିଭାଗରେ ଏକ ମାମଲା  ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଜଣା ପଡ଼ିଛି ।