ପୁରୀ ୩/୮: ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ରରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା। ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି - 

                                 “ ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।

                               ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”

     ମହାମାରୀକୁ  ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ''ବାଡ଼ି ନୃସିଂହ ବିଜେ" । ପ୍ରତିବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି।  ଏହାଛଡା ପ୍ରତିବର୍ଷ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି। ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ  ଦକ୍ଷିଣି ଘରୁ ନୃସିଂହ ବିଜେ କରିଥାନ୍ତି। ଏହାପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ ନୃସିଂହଙ୍କୁ ବିମାନକୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକମାନେ ବିମାନକୁ ସ୍କନ୍ଧରେ  ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ ,ଅଙ୍ଗିରା ,କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମକୁ ବିଜେ କରାଇଥାନ୍ତି। ୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହରର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହଙ୍କୁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି।                 

                     " ତ୍ରାଭି ବିଷ୍ଣୁ ଜଗନ୍ନାଥ  ପାଣ୍ଡୁରୁପ  ନମୋସ୍ତୁତେ ।

                         ନରସିଂହ ମହାବୀର୍ଯ୍ୟ ତ୍ରାହିମାଂ ଦୀପ୍ତ ଲୋଚନ ।।"

    ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା , ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି। ଯେପରି କୁହାଯାଇଥାଏ  ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ। ସେଇଭଳି ଆଜି ବିଶ୍ୱ ଏକ ମହାମାରୀ ରେ ଆକ୍ରାନ୍ତ । ଏହି ମହାମାରୀ ରେ ବହୁ ଜୀବନ ହାନି ହେଲାଣି।  ଜଗତର କଲ୍ୟାଣ ନିମନ୍ତେ , ଏହି ମହମାରୀର ନିବାରଣ ନିମନ୍ତେ  ଆମେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଶ୍ରୀଚରଣେ  ପ୍ରାର୍ଥନା କରୁଛୁ ।