ମୁମ୍ବାଇ,୨୧/୦୧: ମହାରାଷ୍ଟ୍ରର ବଦଲାପୁରରେ ଗତବର୍ଷ  ଅଗଷ୍ଟ ୧୨ରେ ଦୁଇଜଣ ନାବାଳିକାଙ୍କ ସହ ଯୌନ ଶୋଷଣ  ଘଟଣା ଘଟିଥିଲା। ଏହାପରେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେ  ସେପ୍ଟେମ୍ବର ୨୩ରେ ପୁଲିସ ଏନ୍‌କାଉଣ୍ଟରରେ ପ୍ରାଣ  ହରାଇଥିଲା । ଏନ୍‌କାଉଣ୍ଟର ଘଟଣାର ମାଜିଷ୍ଟ୍ରେଟ  ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।  ୪ ମାସ ପରେ ସୋମବାର ବମ୍ବେ ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ ହୋଇଛି । 

ରିପୋର୍ଟ ପାଇବା ପରେ ହାଇକୋର୍ଟ ବିଚାରପତି ରେବତୀ  ମୋହିତେ ଡେରେ ଓ ବିଚାରପତି ନୀଲା ଗୋଖଲେଙ୍କ ଡିଭିଜନ ଖଣ୍ଡପୀଠ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ଏନ୍‌କାଉଣ୍ଟର  ପାଇଁ ଭ୍ୟାନ୍‌ରେ ଥିବା ୫ ପୁଲିସ କର୍ମୀ ଦାୟୀ । ଏହି ୫ ଜଣଙ୍କ  ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଉ । ଏମାନଙ୍କ  ବିରୋଧରେ କିଭଳି ତଦନ୍ତ କରାଯିବ, ତାହା ନେଇ ରାଜ୍ୟ  ସରକାର ଆମକୁ ୨ ସପ୍ତାହ ମଧ୍ୟରେ ଅବଗତ କରାଇବେ ।  

ଉଲ୍ଲେଖଯୋଗ୍ୟ, ଥାନେ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ  ଅକ୍ଷୟକୁ ସେପ୍ଟେମ୍ବର ୨୩ ସନ୍ଧ୍ୟା ୬ଟା ୧୫ରେ  ଏନ୍‌କାଉଣ୍ଟର କରିଥିଲା । କ୍ରାଇମ ବ୍ରାଞ୍ଚ ଅକ୍ଷୟକୁ  ତଲୋଜା ଜେଲରୁ ବଦଲାପୁର ନେଇଥିଲା । ଏ  ନେଇ ସରକାର କହିଥିଲେ କି ଅକ୍ଷୟ ପୁଲିସଠାରୁ  ରିଭଲଭର ଛଡ଼ାଇ ଗୁଳି ଫୁଟାଇଥିଲା । ଆତ୍ମରକ୍ଷା ପାଇଁ ପୁଲିସ  ତା’ ଉପରେ ଗୁଳିମାଡ଼ କରିଥିଲା । ଅକ୍ଷୟର ମୃତ୍ୟୁ ପରେ ତା’ର  ପିତା ବମ୍ବେ ହାଇକୋର୍ଟରେ ପିଟିସନ କରି ଏନ୍‌କାଉଣ୍ଟରର ତଦନ୍ତ  ଲାଗି ଏସ୍‌ଆଇଟି ଗଠନ ପାଇଁ ଗୁହାରି କରିଥିଲେ ।

ସଞ୍ଜୟ ରାୟକୁ କାହିଁକି ମିଳିଲାନି ଫାଶୀ : ସିବିଆଇର ଦାବିରେ ବିଚାରପତି କହିଲେ ...