ଭବାନୀପାଟଣା, ୨୭।୨: ୨୦୨୫ ଫେବ୍ରୁଆରୀ ୨୫ । କଳାହାଣ୍ଡି ଜିଲ୍ଲାର ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲା ସମଗ୍ର ଦେଶ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି "ମନ କି ବାତ୍‌'ରେ ଗୋଲାମୁଣ୍ଡା ବ୍ଲକ ସାଲେଭଟା ଗାଁର ଜୟନ୍ତୀ ମହାପାତ୍ରଙ୍କ ‘ମାଣିକସ୍ତୁ ଗୋଟ୍‌ ବ୍ୟାଙ୍କ’ ସମ୍ପର୍କରେ ଆଲୋଚନା କରି ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଗୋଟ୍‌ ବ୍ୟାଙ୍କ ଜରିଆରେ ଜୟନ୍ତୀ ସଶକ୍ତ ହୋଇଛନ୍ତି । ଗ୍ରାମୀଣ ମହିଳାଙ୍କୁ ପର୍ଯ୍ୟାପ୍ତ ରୋଜଗାର ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି । ଉକ୍ତ ଗୋଟ୍‌ ବ୍ୟାଙ୍କ ମାଧ୍ୟମରେ ୫୦ ଗ୍ରାମର ପ୍ରାୟ ୧୦୦୦ ଚାଷୀ ଉପକୃତ ହେଉଛନ୍ତି । ଏଥିରେ ଜୟନ୍ତୀଙ୍କ ସହଭାଗୀ ହୋଇଛନ୍ତି ତାଙ୍କ ସ୍ୱାମୀ ବୀରେନ୍‌ ସାହୁ । ଜୟନ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିବା ପରେ ପୁନେରେ ରହି ଏଚ୍‌ଏସ୍‌ବିସି ବ୍ୟାଙ୍କର ନର୍ଥ ଆମେରିକା ବ୍ୟବସାୟ ବୁଝୁଥିଲେ । ପ୍ରାୟ ୧୫ବର୍ଷର ଉତ୍କର୍ଷ ବୃତ୍ତିଗତ ଅଭିଜ୍ଞତା ସାଉଁଟିବା ପରେ ଜନ୍ମମାଟିର ମୋହ ଓ କୃଷିର ଆକର୍ଷଣ ତାଙ୍କୁ ଗାଁକୁ ଡାକି ଆଣିଥିଲା ।

ଏହା ବି ପଢ଼ନ୍ତୁ... ​​​​​​​ଆହତଙ୍କୁ ସାହାଯ୍ୟ କଲେ ମିଳିବ ମୋଟା ଅଙ୍କର ପୁରସ୍କାର, ‘ଗୋଲ୍ଡେନ୍ ଆୱାର’ ରେ ମିଳିବ ଚିକିତ୍ସା

କର୍ପୋରେଟ ଚାକିରି ଛାଡ଼ି ୨୦୧୫ରେ ସେ ଗାଁକୁ ଆସି କୃଷି କ୍ଷେତ୍ରକୁ ଓହ୍ଲାଇଥିଲେ । ପରେ ଛେଳି ଚାଷକୁ କୃଷି ଉଦ୍ୟୋଗ ଭାବେ ଗଢ଼ିବାକୁ ନିଷ୍ପତ୍ତି ନେଇ ଆରମ୍ଭ କରିଥିଲେ ‘ମାଣିକସ୍ତୁ ଗୋଟ୍‌ ବ୍ୟାଙ୍କ’ । ଏହା ପରବର୍ତ୍ତୀ ସମୟରେ କେବଳ ଆର୍ଥିକ ସଶକ୍ତୀକରଣ ନୁହେଁ³ ବରଂ ପାରମ୍ପରିକ କୃଷିର ସଂଜ୍ଞା ବଦଳାଇ ଦେଇଥିଲା । ଛେଳି ପାଳନରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ କଳାହାଣ୍ଡିର ଦୁର୍ଗମ ଗ୍ରାମାଞ୍ଚଳରେ ପ୍ରଚଳିତ ଅନେକ କୁସଂସ୍କାର ଦୂର କରିଛି । ଜୟନ୍ତୀଙ୍କ ଉଦ୍ୟମରେ ଅଞ୍ଚଳରେ ପ୍ରାୟ ୧୨୦୦ ଛେଳି ଫାର୍ମ ଗଠନ ହୋଇଛି । ଏଥିପାଇଁ ସେ ପାଶ୍ୱର୍ବର୍ତ୍ତୀ ଗ୍ରାମରେ ଲୋକଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କରିଛନ୍ତି । ସମ୍ପ୍ରତି ୨୫୦ ଚାଷୀ ତାଙ୍କ ସହ ବିଭିନ୍ନସ୍ତରରେ ଜଡ଼ିତ । ‘ମାଣିକସ୍ତୁ ଗୋଟ୍‌ ବ୍ୟାଙ୍କ’ ମାଧ୍ୟମରେ ଅଞ୍ଚଳର ଚାଷୀଙ୍କୁ ମାଗଣାରେ ଛେଳିଙ୍କ ଚିକିତ୍ସା, ସୁଲଭ ଟିକାକରଣ, ଛେଳି ଖାଦ୍ୟ, ବୀମା, କୃତ୍ରିମ ପ୍ରଜନନ, ଋଣ, ହାଇବ୍ରିଡ ଛେଳି ଯୋଗାଣ କରାଉଛନ୍ତି ।

ବଟଲ, ଜମୁନାପାରୀ, ବର୍ବରୀ, ଗଞ୍ଜାମ, ବ୍ଲାକ୍‌ ଓ ବେଙ୍ଗଲ ଆଦି ପ୍ରଜାତିର ଛେଳି ରଖି ନିଜ ଫାର୍ମହାଉସରେ ଚାଷ ଆରମ୍ଭ କରିଛନ୍ତି ଜୟନ୍ତୀ । ସେ ସେଠାରେ ମଧ୍ୟ ମହୁ, କଦଳୀ, ଅମୃତଭଣ୍ଡା ଓ ମକା ଚାଷ କରୁଛନ୍ତି । ଉତ୍କୃଷ୍ଟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଯୁକ୍ତି, ଦାରିଦ୍ର‌୍ୟ ସମସ୍ୟା ସମାଧାନ, କୃଷି, ପଶୁପାଳନ ଓ ଔଦ୍ୟୋଗିକ କ୍ଷେତ୍ରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ଜୟନ୍ତୀ । ଏବେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କୃଷି ଓ ପ୍ରାଣୀ ପାଳନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଜୟନ୍ତୀଙ୍କୁ ରିସୋର୍ସ ପର୍ସନ ଭାବରେ ନିମନ୍ତ୍ରଣ କରାଯାଉଛି । ‘ଗୋଟ୍‌ ବ୍ୟାଙ୍କ’ ଗଠନ କରି ସେ କୃଷି କର୍ମଣରେ ସୃଜନାତ୍ମକ ଓ ଭିନ୍ନ ଚିନ୍ତାଧାରାକୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛନ୍ତି ।