କଟକ, ୨୯/୧୦: ବାଲେଶ୍ୱର ଜିଲ୍ଲା ବାହାନଗା  ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଜାମିନ୍‌ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇବ । ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଜେଲ୍‌ରେ ଥିବା ଅଭିଯୁକ୍ତମାନେ ହେଲେ ମହମ୍ମଦ ଅମିର୍‌ ଖାନ୍‌, ଅରୁଣ କୁମାର  ମହନ୍ତ ଏବଂ ପପୁ କୁମାର। 

ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କ ଅଦାଲତରେ  ଏହି ମାମଲାର ବିଚାର ଚାଲିଥିଲା । ବାଲେଶ୍ୱର ଜିଲ୍ଲା ବାହାନାଗ ଠାରେ ୨୦୨୩ ଜୁନ୍‌ ୨ ତାରିଖରେ ମର୍ମନ୍ତୁଦ  ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୯୩ ଜଣ  ଲୋକଙ୍କ ମୃତ୍ୟୁ ହୋଇଥିଲା । ବହୁ ଲୋକ ଆହତ  ହୋଇଥିଲେ । ଏହି ଦୁର୍ଘଟଣା ଦେଶବ୍ୟାପୀ ଆଲୋଡ଼ନ  ସୃଷ୍ଟି କରିଥିଲା । ସିବିଆଇ ଏହି ମାମଲାର ତଦନ୍ତ  କରି ଉପରୋକ୍ତ ତିନିଜଣଙ୍କୁ ଗିରଫ କରିଥିଲା ।  ନିମ୍ନ ଅଦାଲତରୁ ଜାମିନ୍‌ ଖାରଜ ହେବା ପରେ  ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ଏହି ଜାମିନ୍‌ ମାମଲାର  ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆସନ୍ତାକାଲି  ରାୟ ପ୍ରକାଶ ପାଇବାକୁ ଯାଉଛି।