ନୂଆଦିଲ୍ଲୀ,୨୬/୦୯: ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରୁ  ସାମ୍ନାକୁ ଆସିଛି ଅଭାବନୀୟ ଘଟଣା। ଶୌଚାଳୟରୁ ୪୦ଜଣ ନାବାଳିକା ଉଦ୍ଧାର କରିଛି ପୁଲିସ। ମଦ୍ରାସାରେ ଛାନଭିନ୍ ବେଳେ ତିନି ମହଲାରେ ଥିବା ଶୌଚାଳୟରେ ୪୦ଜଣ ନାବାଳିକାକୁ ଉଦ୍ଧାର କରାଯାଇଛି । ସେମାନେ ଶୌଚାଳୟ ଭିତରେ ବନ୍ଦ ଥିଲେ । ସମସ୍ତଙ୍କର ବୟସ ୯ରୁ ୧୪ ବର୍ଷ ମଧ୍ୟରେ ହେବ  । ତେବେ ଶୌଚାଳୟ ଭିତରେ କାହିଁକି ଥିଲେ  ? କିଏ ତାଙ୍କୁ ବନ୍ଦ ରଖିଥିଲା, ଏନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ପୁଲିସ ତଦନ୍ତ କରୁଛି । 

ରିପୋର୍ଟ ଅନୁଯାୟୀ, ଏସଡିଏମ୍ ଅଶ୍ୱିନୀ କୁମାର ପାଣ୍ଡେ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ୍ରାସାଗୁଡ଼ିକ ଚାଲିଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଥିଲା। ବୁଧବାର ଦିନ ଯେତେବେଳେ ପୁଲିସ ଚଢାଉ କରିଥିଲା, ସେତେବେଳେ ମଦ୍ରାସା କର୍ତ୍ତୃପକ୍ଷ ସେମାନଙ୍କୁ ଉପର ମହଲାକୁ ଯିବାରୁ ବାରଣ କରିଥିଲେ  । ହେଲେ ମହିଳା ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଶୌଚାଳୟର ଦ୍ୱାର ଖୋଲାଯାଇଥିଲା । ତେବେ ଏହା ଭିତରୁ ୪୦ଜଣ ନାବାଳିକା ବାହାରିଥିଲେ । ତଦନ୍ତ ସମୟରେ, ତଦନ୍ତ ଅଧିକାରୀ ମଦ୍ରାସା ପରିଚାଳକ ଏବଂ ଶିକ୍ଷକଙ୍କ ପଞ୍ଜୀକରଣ କାଗଜପତ୍ର ମାଗିଥିଲେ । ହେଲେ ମଦ୍ରାସା କର୍ତ୍ତୃପକ୍ଷ କୌଣସି କାଗଜପତ୍ର ପ୍ରଦାନ କରିପାରିନଥିଲେ । ଜିଲ୍ଲା ସଂଖ୍ୟାଲଘୁ କଲ୍ୟାଣ ଅଧିକାରୀ ମହମ୍ମଦ ଖାଲିଦ କହିଛନ୍ତି, ଯେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଜଣାଇଥିଲେ ଯେ ମଦ୍ରାସାଟି ପ୍ରାୟ ତିନି ବର୍ଷ ଧରି ଚାଲୁଥିଲା କିନ୍ତୁ ପଞ୍ଜୀକୃତ ହୋଇନାହିଁ । ୨୦୨୩ ସର୍ଭେ ରିପୋର୍ଟରେ ଜିଲ୍ଲାରେ ୪୯୫ଟି ବେଆଇନ ମଦ୍ରାସା ଚାଲୁଥିବା ଜଣାପଡ଼ିଥିଲା । ପଚରାଉଚରା ସମୟରେ ୮ଟି କୋଠରୀ ଥିବା ସତ୍ତ୍ୱେ ଛାତ୍ରମାନେ ଶୌଚାଳୟରେ କାହିଁକି ଲୁଚି ରହିଥିଲେ । ଶିକ୍ଷୟିତ୍ରୀ ତକସୀମ ଫାତିମା ସ୍ପଷ୍ଟ କରିଥିଲେ ଯେ ଚଢାଉ ସମୟରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଯୋଗୁଁ ପିଲାମାନେ ଭୟଭୀତ ହୋଇ ନିଜକୁ ଶୌଚାଳୟରେ ବନ୍ଦ କରିଦେଇଥିଲେ। ତେବେ ପ୍ରଶାସନ ବର୍ତ୍ତମାନ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି, ଏବଂ ନାବାଳିକାମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ପଠାଇ ଦିଆଯାଇଛି। ଖାଲିଦ୍ କହିଛନ୍ତି ଯେ ମଦ୍ରାସାର କାଗଜପତ୍ର ଯାଞ୍ଚ ଚାଲିଛି। ସେପଟେ ଅତିରିକ୍ତ ପୁଲିସ ଅଧୀକ୍ଷକ ରାମାନନ୍ଦ ପ୍ରସାଦ କୁଶୱାହା କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ପରିବାର, ଏସଡିଏମ୍ କିମ୍ବା ସଂଖ୍ୟାଲଘୁ କଲ୍ୟାଣ ଅଧିକାରୀ ଅଭିଯୋଗ ଦାଖଲ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।