ପ୍ରମୂଖ ଖବର
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ୧୨ଟାରେ ପହଣ୍ଡି

Published By : Prameya | July 5, 2025 7:56 AM

ପୁରୀ,୫/୦୬: ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ  ଶରଧାବାଲିରେ ଅପେକ୍ଷରେ ତିନି ରଥ । ହେରାପଞ୍ଚମୀରେ ମହାଲକ୍ଷ୍ମୀ  ଗୁଣ୍ଡିଚା ମନ୍ଦିର ଆସି ଫେରିଗଲା ପରେ  ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯିବାକୁ  ମନ ବଳାଇଛନ୍ତି । ଦଶମୀ ତିଥିରେ ଦାରୁଦିଅଁ ବଡ଼ଦେଉଳ ଅଭିମୁଖେ  ପ୍ରତ୍ୟାବର୍ତ୍ତନ କରିବେ। 

ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ  ପ୍ରସ୍ତୁତି ଚାଲିଛି। ବାହୁଡ଼ାରେ ପ୍ରାତଃ ୪ଟାରେ  ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ଯ୍ୟପୂଜା ସରିଛି। ଦ୍ୱାରପାଳ ପୂଜା ଓ ବେଶଶେଷ ସହ ଗୋପାଳବଲ୍ଲଭ  ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ  ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ କରିବେ । ଦଇତାପତିମାନେ ୧୧ଟା୩୦ମିନିଟ୍‌  ସୁଦ୍ଧା ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି  କରିବେ । ୧୧ଟା୪୫ମିନିଟ୍‌ରେ ଠାକୁରଙ୍କ ୩ବାଡରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ  ହେବ । ପରେ ମୁଦିରସ୍ତ ସେବକମାନେ  ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା  ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ  ହେବ । ଘଣ୍ଟ ଓ ପଖଉଜର ପାରମ୍ପରିକ ବାଦ୍ୟର  ତାଳେ ତାଳେ ଠାକୁରମାନେ ଧାଡି ପହଣ୍ଡିରେ  ଆସି ରଥ ଉପରେ ବିଜେ ହେବେ । ୧୨ଟାରୁ  ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ସୁଦ୍ଧା  ସରିବ ପହଣ୍ଡି । ସାଢ଼େ ୩ଟା ସୁଦ୍ଧା ଗଜପତି  ମହାରାଜ ରଥମାନଙ୍କରେ ଛେରା ପହଁରା  କରିବେ । ଏହାପରେ ଚାରମାଳ ଫିଟାଯାଇ  ଘୋଡା ଲାଗିବ । ଅପରାହ୍ନ ୪ଟାରେ ରଥଟଣା  ଆରମ୍ଭ ହେବ।


ମାଉସୀ ମାଙ୍କ ମନ୍ଦିର  ନିକଟରେ ରଥ ପହଞ୍ଚିଲା ପରେ ଠାକୁରେ  ମା ଅର୍ଦ୍ଧାଶିନୀଙ୍କ ଠାରୁ ପୋଡ଼ପିଠା ଗ୍ରହଣ  କରିବେ । ବିଜେ ପଥରେ ବିଭିନ୍ନ ଧାର୍ମିକ  ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ  ଠାକୁରଙ୍କୁ ପନ୍ତି ଭୋଗ ଅର୍ପଣ କରାଯିବ । ନନ୍ଦିଘୋଷ ଶ୍ରୀନହର ସମ୍ମୁଖରେ  ପହଞ୍ଚିଲେ ନାରାୟଣଙ୍କ ସହିତ ମା’ଲକ୍ଷ୍ମୀ  ଠାକୁରାଣୀଙ୍କ ଭେଟ ହେବ । ପାଲିଙ୍କିରେ ବିଜେ  ହୋଇ ଠାକୁରାଣୀ ସେବକମାନଙ୍କ ଗହଣରେ  ଆସି ପତିଦେବଙ୍କ ନନ୍ଦିଘୋଷ ରଥ ନିକଟରେ  ବିଜେ ହେବେ । ଠାକୁରଙ୍କୁ ପୂଜା, ଆଳତୀ  ଓ ବନ୍ଦାପନା କରାଯାଇ ଦହିପଟି ମଣୋହି  କରାଯିବ । ପାଲିଙ୍କିରେ ଠାକୁରାଣୀ ନନ୍ଦିଘୋଷ  ରଥକୁ ପରିକ୍ରମା କରିବେ । ରଥଗୁଡିକ  ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବାପରେ  ରଥରେ ଅନ୍ୟାନ୍ୟ ନୀତି ହେବ । 

୬ତାରିଖ  ରବିବାର ସିଂହଦ୍ୱାର ଠାରେ ଦିଅଁ ମାନଙ୍କ  ସୁନାବେଶ ସହ ହରିଶୟନ ନୀତି ଅନୁଷ୍ଠିତ  ହେବ । ୭ତାରିଖ ସୋମବାର ଠାକୁରଙ୍କ ରଥଉପରେ ଅଧରନୀତି ଓ ଶ୍ରୀଗରୁଡ଼  ଶୟନ ନୀତି ହେବ । ୮ତାରିଖ ମଙ୍ଗଳବାର  ନୀଳାଦ୍ରି ବିଜେ ଅବସରରେ ଶ୍ରୀବିଗ୍ରହମାନେ  ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ ହେବେ ।

ଶୁକ୍ରବାର ଆଡ଼ପ ମଣ୍ଡପରେ ପ୍ରାୟ  ୩ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସନ୍ଧ୍ୟା  ଦର୍ଶନ ପାଇଛନ୍ତି । ଦିନ ତମାମ  ପାଗ ମେଘୁଆ ଥିଲା । କିଛି ସମୟ ଝିପିଝିପି ବର୍ଷିଥିଲା । ଏଣୁ ଥଣ୍ଡା  ପାଗରେ ଭକ୍ତମାନେ ବେଶ୍‌ ଆନନ୍ଦରେ  ଶରଧାବାଲିରେ ପହଞ୍ଚି ବ୍ୟାରିକେଡରେ  ଲମ୍ୱା ଧାଡ଼ିରେ ଅପେକ୍ଷା କରୁଥିଲେ ।  ନୃସିଂହ ମନ୍ଦିର ନିକଟସ୍ଥ ଉତ୍ତରଦ୍ୱାର  ଦେଇ ସେବାୟତ ପରିବାର ଦର୍ଶନକୁ  ଯାଇଥିଲେ । ନୀତି ସହଳ ହୋଇ ଅନ୍ନ ମହାପ୍ରସାଦ ବାହାରିବାରେ ଦର୍ଶନ  ସମେତ ଆଡ଼ପ ଅବଢ଼ା ପାଇବାର  ସୌଭାଗ୍ୟ ମିଳିଥିଲା । ବଡ଼ ଆନନ୍ଦରେ  ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆନନ୍ଦବଜାର ହୋଇ ନାକଚଣା  ଦ୍ୱାରବାଟେ ଶରଧାବାଲିକୁ ଆସୁଥିଲେ ଭକ୍ତ । ରଥାରୂଢ ହୋଇ ସାତ ମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ । ବାହୁଡ଼ାଯାତ୍ରା  ପାଇଁ ପୂର୍ବ ନିର୍ଦ୍ଧାରିତ ପହଣ୍ଡି ଆରମ୍ଭ ସମୟ ୧୨ଟା ରହିଥିବା ସ୍ଥଳେ ରଥ ଟଣା ସମୟ  ରହିଛି ଅପରାହ୍ନ ୪ଟା । ବାହୁଡ଼ା ନୀତି ସହଳ କରିବାକୁ ପ୍ରଶାସକ ଓ ସେବକଙ୍କ  ଭିତରେ ଚାଲିଛି ସଜବାଜ । ସନ୍ଧ୍ୟା  ଦର୍ଶନରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ଶୁକ୍ରବାର ନୀତି ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ରହିଛି । ବାହୁଡ଼ାରେ ସ୍ଥିରୀକୃତ  ସମୟର ଯଥେଷ୍ଟ ପୂର୍ବରୁ ଠାକୁରଙ୍କ ପହଣ୍ଡି କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳୁଛି ।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି । ପାସ୍‌ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍‌ରେ ଛଡ଼ାଯିବ ।  ବିନା ପାସ୍‌ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ ଆର୍‌ଓବି ଦେଇ ଗ୍ରିଡ ଷ୍ଟେସନ ଛକରୁ ତାଳବଣିଆରେ ପାର୍କିଂକୁ ଯିବେ । ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ  ଗାଡ଼ିଗୁଡ଼ିକୁ ପାର୍କିଂ କରାଇବେ । ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ  କଟକଣା ପରିବର୍ତ୍ତନ କରାଯିବ । ଜଣେ ଶ୍ରଦ୍ଧାଳୁ କିଭଳି ଟ୍ରାଫିକକୁ ହଇରାଣ  ହରକତ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍‌ ଫୋର୍ସ  ମୁତୟନ କରାଯାଇଥିବା ବେଳେ ସେଥିରୁ ୫୦ ପ୍ଲାଟୁନ୍‌ ଟ୍ରାଫିକ୍‌ ଡ୍ୟୁଟି କରିବେ ।  ରଥ ସୁରକ୍ଷାରେ ୬ ଆଇପିଏସ୍‌ଙ୍କୁ ନିୟୋଜିତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.