ପୁରୀ,୦୨/୦୭: ଘୋଷ ଯାତ୍ରାରେ  ବଡ଼ଦାଣ୍ଡରେ ତିନି ରଥ ଟଣା ହୋଇ ଗୁଣ୍ଡିଚା ଘର  ସମ୍ମୁଖରେ ପହଞ୍ଚିଥିଲା । ଏଣିକି ଠାକୁରଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି । ଶରଧାବାଲିରେ ବୁଧବାର ରଥ  ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ । ଏଣୁ ଦଣିକ୍ଷ  ମୋଡ଼ ପୂର୍ବରୁ ମଙ୍ଗଳବାର ତିନି ରଥ ଯାଞ୍ଚ କରାଯାଇ ଆବଶ୍ୟକ ମରାମତି କରାଯାଇଛି ।  ତାଳଧ୍ୱଜ ରଥର ୩ଟି ଚକରେ ୪ଟି ଲେଖା ପ୍ଲେଟ୍‌  ଲାଗିଛି । ଏଥିସହ ନନ୍ଦିଘୋଷ ରଥର ନାହାକା  ଅଖରେ କ୍ଲାମ୍ପ ଲାଗିଛି । ସେହିଭଳି ଦେବଦଳନ  ରଥର ସ୍ଥିତି ପରଖି ଆବଶ୍ୟକ ମରାମତି ହୋଇଛି । 

ରଥ ଦକ୍ଷିଣ ମୋଡ଼ରେ ଶ୍ରୀଗୁଣ୍ଡିଚା ଘର  ସିଂହଦ୍ୱାର ସମ୍ମୁଖରୁ ରଥତ୍ରୟ ଟଣା ହୋଇ  ନାକଚଣା ଦ୍ୱାରକୁ ଆସିବ । ଏଣୁ ଆଜି ବିଶ୍ୱକର୍ମା, ଭୋଇ ସେବକ, କମାର ସେବକ, ଇଂଜିନିୟରଙ୍କ  ଉପସ୍ଥିତିରେ ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।  ପ୍ରଶାସନିକ ଧାର୍ଯ୍ୟ ସମୟ ଅନୁସାରେ ଠାକୁରଙ୍କ  ରଥ ଆଜ୍ଞାମାଳ ବିଜେ ରହିଛି ସାଢ଼େ ୧୨ଟାରେ ।  ଏପଟେ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିରେ  ବାଲି ପକାଯାଇଛି। ରଥ ମୋଡ଼ ନେବାରେ  ରାସ୍ତାରେ ପଡ଼ିଥିବା ବାଲି ସାହାଯ୍ୟ କରେ । ବହୁ  ମୋଡ଼ ଖାଇ ରଥତ୍ରୟ ଆଗପଛ ହୋଇ ନାକଚଣା ଦ୍ୱାରେ ପହଞ୍ଚି ଥାଏ । ଦକ୍ଷିଣ ମୋଡ଼ ଅବସରରେ  ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ  ଶେଷରେ ନନ୍ଦିଘୋଷ ରଥ ଟଣାଯିବ । ଆସନ୍ତା ୫  ତାରିଖ ଶନିବାର ବାହୁଡ଼ା ଯାତ୍ରାରେ ଗୁଣ୍ଡିଚା ଘରୁ  ଶ୍ରୀମନ୍ଦିରକୁ ବାହୁଡ଼ିବେ ରଥାରୂଢ ଠାକୁରେ ।  ଦକ୍ଷିଣ ମୋଡ଼ ପରେ ବାହୁଡ଼ା ପୂର୍ବରୁ ପୁଣି ତିନି  ରଥର ସ୍ଥିତି ଯାଞ୍ଚ ହେବ ବୋଲି ଶ୍ରୀମନ୍ଦିର ବରିଷ୍ଠ  ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।

ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ