ପୁରୀ,୦୫/୦୭: ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ପାଗ ଅନୁକୂଳ ଥିବାରୁ ବାହୁଡ଼ା ଓ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରିଛି ପୁଲିସ । ସେଥିଲାଗି ଟ୍ରାଫିକ ସୁପରିଚାଳନା  ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଏସ୍‌ପି ଦାୟିତ୍ୱରେ ରହିଥିବା ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି ।  

ତାଙ୍କ କହିବାନୁଯାୟୀ, ବାହୁଡ଼ାରେ ଅପରିବର୍ତ୍ତିତ ରହିଛି ସୁରକ୍ଷା ବ୍ୟବସ୍ଥା । ରଥଯାତ୍ରାରେ ଯେଉଁ ବ୍ୟବସ୍ଥାବଳୀ ଥିଲା ସେଥିରେ କୌଣସି ପରିବର୍ତ୍ତନ  କରାଯାଇନାହିଁ । ମୁଖ୍ୟତଃ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ କିଭଳି  ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସାମିଲ୍‌ ହେବେ ଓ ଠାକୁରଙ୍କୁ ଦର୍ଶନ ସାରି ଫେରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ପୁଲିସ ତରଫରୁ  ଜାରି ହୋଇଥିବା ଟ୍ରାଫିକ କଟକଣାକୁ ଶ୍ରଦ୍ଧାଳୁମାନେ ଅନୁସରଣ କରିବାକୁ  ଅନୁରୋଧ କରିଛନ୍ତି ।   

ଯାନଗୁଡ଼ିକ ରଖିବା ନିମନ୍ତେ ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା  କରାଯାଇଛି । ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପାର୍କିଂ କରିବେ । ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଗାଡିକୁ ପାର୍କିଂ କରାଗଲେ ତାହାକୁ ସେଠାରୁ ଟ୍ରାଫିକ ପୁଲିସ ଦ୍ୱାରା ଉଠାଯାଇ ଜବତ କରାଯିବ । ସେଥିଲାଗି ସ୍ୱତନ୍ତ୍ର ଟିମ୍‌ ମୁତୟନ  କରାଯାଇଛି । 

ସେହିଭଳି ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ  କଟକଣା ପରିବର୍ତ୍ତନ କରାଯିବ । ସେହିଭଳି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ୍‌ରୁମ୍‌ରୁ  ବରିଷ୍ଠ ପୁଲିସ ଅଧିକାରୀମାନେ ସହର ସମେତ ପ୍ରବେଶ ପଥକୁ କେତେ  ଗାଡ଼ି ଆସୁଛି କେଉଁ ପାର୍କିଂ ପୂର୍ଣ୍ଣ ହେଲା ପରେ ଅନ୍ୟ କେଉଁ ପାର୍କିଂକୁ ପରିବର୍ତ୍ତନ କରାଯିବ ତାହାକୁ ସେମାନେ ନିୟନ୍ତ୍ରଣ କରିବେ । ଜଣେ ଶ୍ରଦ୍ଧାଳୁ  କିଭଳି ଟ୍ରାଫିକକୁ ହଇରାଣ ହରକତ ନ ହେବ ତାହା ଉପରେ ଗୁରୁତ୍ୱ  ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ  ସେଥିରୁ ୫୦ ପ୍ଲାଟୁନ୍‌ ଟ୍ରାଫିକ୍‌ ଡ୍ୟୁଟି କରିବେ । ସହରକୁ ୧୫ଟି ଡ୍ରୋନ୍‌ ଓ  ୨୯ ସେକ୍ଟରରେ ଜଗିବ ପୁଲିସ । ଡ୍ରୋନ୍‌ ଓ ସିସିଟିଭି ଜରିଆରେ ବାହୁଡ଼ା  ଓ ସୁନାବେଶରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖାଯିବ ।  ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବ ।

ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌

ବାହୁଡ଼ାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ପହଣ୍ଡି ସମୟରେ  ସୁରକ୍ଷା ଲାଗି ୨ ଏସ୍‌ପି, ୬ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୧୯ ଇନିସ୍‌ପେକ୍ଟର, ୫୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ଜଣ ହାବିଲଦାର,  ୭୧ଜଣ କନେଷ୍ଟବଳ ଓ ୨୧ ପ୍ଲାଟୁନ୍‌ ପୋର୍ସ । ତିନି ରଥ ସୁରକ୍ଷାରେ ୬  ଜଣ ଆଇପିଏସ ଦାୟିତ୍ୱରେ ରହିଥିବା ବେଳେ ସେମାନଙ୍କୁ ସହଯୋଗ  କରିବା ଲାଗି ୧୧ ଜଣ ଅତିରିକ୍ତ ଏସ୍‌ପି, ୧୮ ଜଣ ଡିଏସ୍‌ପି, ୩୨  ଜଣ ଇନିସପେକ୍ଟର, ୧୬୯ ଜଣ ଏସ୍‌ଆଇ/ଏଏସ୍‌ଆଇ, ୧୮ଜଣ  ହାବିଲଦାର, ୪୫ କନେଷ୍ଟବଳ, ୨୪୦ ହୋମଗାର୍ଡ ଓ ୭୨ ପ୍ଲାଟୁନ୍‌ ଫୋର୍ସ ।