ଭୁବନେଶ୍ୱର,୧୯/୦୧: ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍‌ ହଂସିକା ଅଭିଲିପ୍ସାଙ୍କ ଅଡୁ଼ଆ ବଢ଼ିଛି । ତାଙ୍କ ଜାମିନ୍‌ ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ଆସନ୍ତା ୨୧ରେ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି ।   

ଶନିବାର ଏଡିଜେ-୨ରେ ହଂସିକାଙ୍କ ଜାମିନ୍‌ ଆବେଦନର ଶୁଣାଣି ଚାଲିଥିଲା । ସ୍ୱାମୀ ସରୋଜ ସାହୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ହଂସିକାଙ୍କ ଓକିଲ ଜାମିନ ଆବେଦନକୁ ଗ୍ରହଣ କରିବାକୁ ପକ୍ଷ ରଖିଥିଲେ । କିନ୍ତୁ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌  ପକ୍ଷରୁ ମାମଲା ସମ୍ପର୍କିତ ଆହୁରି ଦସ୍ତାବିଜ୍‌ ଦାଖଲ କରାଯିବାକୁ ଥିବାରୁ ଜାମିନ୍‌ ନ ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ । ତେଣୁ ବିଚାରପତି ଜାମିନ ଆବେଦନକୁ ଖାରଜ କରି  ଦେଇଛନ୍ତି । 

ସୂଚନାଯୋଗ୍ୟ, ଗତ ୧୩  ତାରିଖରେ ଏହି ମାମଲାର ଜାମିନ ଶୁଣାଣି ଥିଲା। ତଦନ୍ତକାରୀ ଦଳ ଅଦାଲତରେ କେସ୍‌ ଡାଏରି ଦାଖଲ  କରି ନଥିବାରୁ ଜାମିନ ଶୁଣାଣି ତାରିଖ ଘୁଞ୍ଚିଥିଲା । ଜାଲ୍‌ ଦସ୍ତାବିଜ ମାମଲାରେ ହଂସିକା  ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଇନଫୋସିଟି ଥାନା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ନାଁରେ ସେ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସ୍‌ପୋର୍ଟ ଆବେଦନ ଖାରଜ ହୋଇଥିଲା । ପରେ ସେ କୋଲକତା ଯାଇ ନିଜର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ପରିବର୍ତ୍ତନ କରି ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିକା ଅଭିଲିପ୍ସା । ପ୍ଲାଷ୍ଟିକ ସର୍ଜରୀ କରି ନିଜର ଚେହେରାକୁ ବଦଳାଇ ଦେଇଥିଲେ । ହଂସିକା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ତାଙ୍କୁ ସହଜରେ ପାସ୍‌ପୋର୍ଟ ମିଳିଯାଇଥିଲା । ସେଥିରେ ସ୍ୱାମୀ ଅନୀଲ ମହାନ୍ତି ବୋଲି ଦର୍ଶାଇ ଥିଲେ । ନକଲି ଆଧାର କାର୍ଡ ଆସିବା ପରେ  ପାନ କାର୍ଡ ପ୍ରସ୍ତୁତ କରିଥିଲେ । ଜାଲ୍‌ ପରିଚୟପତ୍ର ହାତେଇବାରେ ସାମିଲ ଥିବା ସହଯୋଗୀମାନଙ୍କୁ ପୁଲିସ ଖୋଜୁଛି ।