ବଳଙ୍ଗା,୨୨/୦୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ବସ୍ତିର ନାବାଳିକାଙ୍କୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳିଦେବା ମାମଲାକୁ ୭୦ ଘଣ୍ଟାରୁ ଅଧିକ ବିତି ଯାଇଥିଲେ ସୁଦ୍ଧା ଘଟଣାର  ରହସ୍ୟ ଭେଦ କରିପାରିନି ପୁଲିସ୍‌ । ବିଭିନ୍ନ  ଦିଗକୁ ନେଇ ପୁଲିସ୍‌ ଅନୁଧ୍ୟାନ ଜାରି ରଖିଛି । ତଦନ୍ତ ବେଳେ ଘଟଣାସ୍ଥଳରୁ ଜବତ  କରାଯାଇଥିବା ରୁପା ମୁଦି ଓ ଚୁଡ଼ି ପୀଡ଼ିତାଙ୍କ ନୁହେଁ ବୋଲି ତାଙ୍କ ଖୁଡ଼ି କହିଥିଲା ବେଳେ ଦରପୋଡ଼ା ପୋଷାକ ତାଙ୍କ ଝିଆରିର ବୋଲି ଚିହ୍ନଟ କରିଛନ୍ତି ।  ପୁଲିସ ଟିମ୍‌ ଘଟଣାସ୍ଥଳରୁ ମିଳିଥିବା ରୁପା  ମୁଦିକୁ ନେଇ ତନାଘନା ଆରମ୍ଭ କରିଛି । 

ବଳଙ୍ଗା ବଜାରରେ ଥିବା ବିଭିନ୍ନ ଦୋକାନକୁ ଯାଇ ମୁଦି ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି । ପୁଲିସର ସମସ୍ତ ଚେଷ୍ଟା ସତ୍ତେ୍ୱ ଘଟଣା ଉପରୁ  ପରଦା ହଟି ପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୋମବାର ସ୍ପେଶାଲ୍‌ ବ୍ରାଞ୍ଚର ଆଇଜି  ଜୟନାରାୟଣ ପଙ୍କଜଙ୍କ ନେତୃତ୍ୱରେ ଏକ  ୮ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ  କରିବା ସହିତ ଥାନାରେ ପୀଡ଼ିତାଙ୍କ ସାଙ୍ଗ ଓ  ସମ୍ପର୍କୀୟଙ୍କୁ ମିଶାଇ ୧୦ରୁ ଅଧିକ ବ୍ୟକ୍ତିଙ୍କୁ  ଜେରା କରିଥିବା ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚର  ୫ ଜଣିଆ ଦଳ ବଳଙ୍ଗାରେ ଦୁଇ ଦିନ ହେବ  ରହି ଦିନରାତି ମାମଲାରେ ତଦନ୍ତ ଜାରି ରଖିଛି । 

ରବିବାର ରାତିରେ ସ୍ପେଶାଲ ସ୍କ୍ୱାଡ୍‌  ପୀଡ଼ିତାଙ୍କ ଘରକୁ ଯାଇ ଛାନ୍‌ଭିନ କରିଥିଲା ।  ସୋମବାର ସ୍ପେଶାଲ ବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ୮ଜଣିଆ ଟିମ ସହ କ୍ରାଇମ୍‌ବ୍ରାଞ୍ଚ ୫ଜଣିଆ ଟିମ୍‌  ଘଟଣାସ୍ଥଳକୁ ଯାଇଥିଲା । ସେହିପରି ତଦନ୍ତରେ  ସହଯୋଗ କରିବା ଲାଗି ଗଠନ କରାଯାଇଥିବା  ୩ଟି ସ୍ପେଶାଲ ସ୍କ୍ୱାଡ୍‌ ସହ ଅତିରିକ୍ତ ଏସ୍‌ପି  ସଚିନ ପଟ୍ଟେଲ ଓ ପିପିଲି ଡିଏସ୍‌ପି ଦେବାଶିଷ  ମିଶ୍ର ପୀଡ଼ିତାଙ୍କ ଘରକୁ ଯାଇ ସମ୍ପର୍କୀୟ  ଓ ଗ୍ରାମବାସୀଙ୍କୁ ପୁନର୍ବାର ପଚରାଉଚରା  କରିବା ସହ ପୀଡ଼ିତାଙ୍କ ସାଙ୍ଗସାଥୀ,  ସମ୍ପର୍କୀୟଙ୍କୁ ମିଶାଇ ୧୦ଜଣଙ୍କୁ ଥାନାକୁ ଆଣି ଦିନ ତମାମ ପଚରାଉଚରା କରିଥିଲେ ।

କ୍ରାଇମ୍‌ ବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚର ଟିମ୍‌  ଘଟଣାସଳକୁ ଯାଇ ଅନୁଧ୍ୟାନ କରି ଫେରିବା  ପରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ତେରହଳ  ଗ୍ରାମର ଦୁଃଖୀଶ୍ୟାମ ସେନାପତିଙ୍କୁ ଭେଟି  ଘଟଣା ଦିନ ନାବାଳିକା କେଉଁଭଳି ପରିସ୍ଥିତିରେ  ଆସିଥିଲେ ଓ କ’ଣ ହୋଇଥିଲା ଏବଂ ସେମାନଙ୍କୁ ପୀଡ଼ିତା ଘଟଣା ସମ୍ପର୍କରେ କ’ଣ  ସବୁ କହିଥିଲେ ସେନେଇ ପଚାରି ବୁଝିଥିଲେ ।  

ସୋମବାର ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା  କରି ସମୂହ ଦୀପଦାନ କରାଯାଇଥିଲା । ଘଟଣାର  ରହସ୍ୟ ଉନ୍ମୋଚନ କରି ଦୋଷୀଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରାଯାଇଛି।