ପ୍ରମୂଖ ଖବର
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ

Published By : Manoj | August 4, 2025 7:57 AM

ଭୁବନେଶ୍ୱର/ନୂଆଦିଲ୍ଲୀ,୦୪/୦୮:  ଆଜି ବଳଙ୍ଗା ପୀଡ଼ିତଙ୍କୁ ଦିଆଯିବ ଶେଷ ବିଦାୟ। ପୈତୃକ ଗାଁ ବାୟାବରରେ ସମୂହ ପ୍ରାର୍ଥନା ପରେ ପୀଡ଼ିତାଙ୍କୁ କବର ଦିଆଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବାୟାବରରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।   

ରବିବାର ରାତି  ପ୍ରାୟ ୧୧ଟା ୧୫ ବେଳକୁ ଦିଲ୍ଲୀରୁ ଆସିଥିବା ବିମାନରେ ତାଙ୍କ ମରଶରୀର ପହଞ୍ଚିଥିଲା ।  ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ  ନେତାମାନେ ଭିଡ଼ ଲଗାଇଥିଲେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପୂରା ଅଞ୍ଚଳ । ସମସ୍ତେ ଦୁଃଖୀ ଓ  ଭାବବିହ୍ୱଳ ହୋଇ ତାଙ୍କୁ ବିଦାୟ ଜଣାଉଥିଲେ । ଉତ୍ତେଜନା ଆଶଙ୍କାରେ ବିମାନବନ୍ଦରକୁ ପୁଲିସ ଛାଉଣି କରାଯାଇଥିଲା । ପ୍ରାୟ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । 

ଦିଲ୍ଲୀ ଏମ୍‌ସରେ ଶବ ବ୍ୟବଚ୍ଛେଦ  ପରେ ପୀଡ଼ିତାଙ୍କ ମୃତଦେହ ବିମାନବନ୍ଦର ଅଣାଯାଇଥିଲା । ଇଣ୍ଡିଗୋ ବିମାନ ଯୋଗେ ତାଙ୍କ  ମରଶରୀର ଭୁବନେଶ୍ୱର ଆସିଥିଲା । ବିଜେପି,  ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ  ଦଳର ନେତା ଓ କର୍ମୀ ବିମାନବନ୍ଦରରେ ପହଞ୍ଚିଥିଲେ । ରାତିରେ ବିମାନବନ୍ଦର ଲୋକାରଣ୍ୟ  ପାଲଟି ଯାଇଥିଲା । ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ନେତା ରୀତି ଅନୁସାରେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ।  

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଶାସକ  ଦଳ ଓ ବିରୋଧୀ ଦଳ ଭିତରେ ବୟାନବାଜି ଜାରି  ରହିଛି । ଏଥିପାଇଁ ପୁଲିସ ପକ୍ଷରୁ ବିମାନବନ୍ଦରରେ  କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ପୁଲିସ  ମରଶରୀରକୁ କର୍ଡନ କରି ନେଇଥିଲା ।  ମରଶରୀରକୁ ବିଏମ୍‌ସି ମହାଯାତ୍ରା ଗାଡ଼ିରେ  ବିମାନବନ୍ଦରରୁ ସିଧା ପିପିଲି ବଳଙ୍ଗାର ବାୟାବର  ଗାଁକୁ ନିଆଗଲା । ସୋମବାର  ସମୂହ ପ୍ରାର୍ଥନା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ  ହେବ ବୋଲି ସ୍ଥାନୀୟ ସୂତ୍ରରୁ ସୂଚନା ମିଳିଛି । 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଆଶ୍ରିତ  ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱର ବିଧାୟକ  ବାବୁ ସିଂ ଓ ବିଜେପି ନେତା ସମୀର ଦାଶ  ବିମାନବନ୍ଦରରେ ପୀଡ଼ିତାଙ୍କ  ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୀଡ଼ିତାଙ୍କ ବାପାଙ୍କୁ ଭେଟି ସମବେଦନା ଜଣାଇଥିଲେ । ବିଜେଡି ନେତା  ସଞ୍ଜୟ ଦାସବର୍ମା, ରୁଦ୍ର ମହାରଥୀ, ଲେଖାଶ୍ରୀ ସାମନ୍ତସିଂହାର,  ଉମାକାନ୍ତ ସାମନ୍ତରାୟ, ପ୍ରଦୀପ ମାଝୀ, ବିଧାୟକ ସୁଶାନ୍ତ  ରାଉତ ଓ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ପ୍ରମୁଖ ପୀଡ଼ିତାଙ୍କ ଶେଷଦର୍ଶନ କରିଥିଲେ । 

ରବିବାର ସକାଳୁ ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା ।  ତାଙ୍କ ପରିବାର ଲୋକଙ୍କ ସହ ଓଡ଼ିଶା ଭବନର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ । ଆଜି ଶବ  ବ୍ୟବଚ୍ଛେଦ ପୂର୍ବରୁ ପୀଡ଼ିତାଙ୍କ ବାପା କହିଥିଲେ, ଝିଅ ଯିବା  ପରେ ସମସ୍ତେ ବହୁ ଦୁଃଖରେ ଅଛୁ । ଆମେ କାହାକୁ ଦୋଷ  ଦେବାକୁ ଚାହୁଁନୁ । ଚିକିତ୍ସାରେ କୌଣସି ଅବହେଳା ହୋଇନି ।  ମୁଁ ଭାବୁଛି ଝିଅ ଆମ ଭାଗ୍ୟରେ ନ ଥିଲା । ଆମେ କାହାକୁ  ଦୋଷ ଦେବାକୁ ଚାହୁଁନୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.