ବଲାଙ୍ଗୀର, ୨୩/୧୨ : ଆଜି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା। ଖଇରଗୁଡ଼ାର ବଡ଼ ଖଳା ଓ କୁମୁରିଆର ସାନଖଳାରେ ପଡ଼ିଲା ବଳି। ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଳି ପଡ଼ୁଥିବା ସ୍ଥାନରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି।
ସୂଚନାନୁଯାୟୀ, ଗତକାଲି ରାତିରେ ନିଶି ପୂଜା ପରେ ଭୋର ୪ଟାରୁ ବିଭିନ୍ନ ନୀତିକାନ୍ତି ହୋଇଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଭୋରରୁ ମୁଖ୍ୟ ପୂଜକ ବଡ଼ ଖଳାକୁ ଯାଇ ସେଠାରେ ଗାଧୋଇବା ପରେ ନୀତିକାନ୍ତି ଆରମ୍ଭ କରିଥିଲେ। ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା, ଛେଳି, ମେଣ୍ଢା, ମଇଁଷିକୁ ବଳି ଦିଆଯାଇଥିଲା।
ବିଶ୍ୱାସ ରହିଛି ଯେ, ଯିଏ ଯାହା ମାଗିଛି ଏଠି ପାଇଛି। ତେବେ ପ୍ରତି ବର୍ଷ ଭଳି ଦେଓଗାଁ ବ୍ଲକ କୁମୁରିଆର ବଡ଼ ଖଳା ଓ ସାନ ଖଳା ମୁଖ୍ୟ ପୀଠରେ ଶୁଲିଆ ଯାତ୍ରା ହୋଇଥିବା ବେଳେ ଅନ୍ୟ ୬ ଟି ସ୍ଥାନରେ ବି ଯାତ୍ରା ପାଳିତ ହୋଇଛି। ବଲାଙ୍ଗୀର ଜିଲ୍ଲା ସମେତ, ବରଗଡ଼, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ, ସମ୍ବଳପୁର, ବୌଦ୍ଧ, ସୋନୌର, ନୂଆପଡା, ଦେବଗଡ଼, ଝାରସୁଗୁଡା ଭଳି ବହୁ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟ ଓ ଝାରଖଣ୍ଡ ରାଜ୍ୟରୁ ବି ଶ୍ରଦ୍ଧାଳୁମାନେ ଆସନ୍ତି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ଅସମ୍ଭାଳ ଜାଡ଼: ୭ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ରାତି ତାପମାତ୍ରା ଅନୁଭୂତ, ୨୬ ଯାଏ ଘନ କୁହୁଡ଼ି ଆଶଙ୍କା