ବଲାଙ୍ଗିର, ୩।୬: ଆଉ ଆଲୋଚନା କରନ୍ତୁ ନାହିଁ l ଏଣିକି ଛୁଟି ପରେ ଡିଇଓ, ବିଇଓ ଏବଂ ହେଡ୍ ମାଷ୍ଟର ସ୍କୁଲ ଟଏଲେଟ ବ୍ୟବହାର କରନ୍ତୁ। ସେଠି ପାଣି, ବିଦ୍ୟୁତ୍ ବିନା ପିଲାମାନେ କେମିତି ହଟହଟା ହେଉଛନ୍ତି ଜାଣିବେ ଏବଂ ମୋତେ ଜଣାଇବେ। ମଙ୍ଗଳବାର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଅନୁସାରେ, ଦୀର୍ଘ ୬ମାସ ପୂର୍ବରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ଶିକ୍ଷା ବିଭାଗକୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ଥିବା ସ୍କୁଲରେ ବାଳିକା ଶୌଚାଳୟଗୁଡ଼ିକରେ ବିଦ୍ୟୁତ୍ ଓ ପାଣି ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ମାଗିଥିଲେ। ସେତେବେଳେ ମଧ୍ୟ ବିଭାଗର ଅଧିକାରୀ ତଥ୍ୟ ସଂଗ୍ରହ କରୁଛୁ ବୋଲି କହୁଥିଲେ। ହେଲେ ମଙ୍ଗଳବାର ପୁଣି ବୈଠକ ରେ ବିଧାୟକ ସେ ସଂପର୍କରେ ପଚାରିଥିଲେ। ଡିଇଓ ଓ ତାଙ୍କ କର୍ମଚାରୀମାନେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ। ବିଧାୟକ ତାଗିଦ୍ କରିବା ସହ କଥା ଛଳରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଛୁଟି ପରେ ସ୍କୁଲ ଟୟଲେଟ କୁ ଯିବାକୁ କହିଥିଲେ।