ବାଲେଶ୍ୱର,୨୬/୦୪ : ବାଲେଶ୍ୱରର ଯୁବ ଫଟୋଗ୍ରାଫର ଶ୍ରୀତମ ସେଠୀ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ବହୁ ଚର୍ଚ୍ଚିତ ଫୋର୍ବସ୍‌ ପତ୍ରିକାରେ ସେ ସ୍ଥାନ ପାଇଛନ୍ତି । ଏହି ପତ୍ରିକାରେ ବିଶ୍ୱର ୧୨ ଜଣ ଫଟୋଗ୍ରାଫରଙ୍କୁ ସ୍ଥାନ ମିଳିଛି । ସେଥିରେ ଶ୍ରୀତମ ଅଛନ୍ତି । ଏହି ପତ୍ରିକାରେ ସ୍ଥାନୀତ ତାଙ୍କ ଫଟୋ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ପ୍ରଶଂସା ସାଉଁଟିଛି ।

ନିକନ୍‌ କମେଡି ୱାଇଲ୍ଡଲାଇଫ୍‌ ପୁରସ୍କାର ପାଇଁ ଫଟୋ ଆବେଦନ କରାଯାଇଥିଲା । ପ୍ରତିବର୍ଷ ଏହି ପ୍ରତିଯୋଗିତା ଯୁକ୍ତରାଜ୍ୟ(ଇଂଲଣ୍ଡ)ରେ ଅନୁଷ୍ଠିତ ହୁଏ । ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଫଟୋଗ୍ରାଫରମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥା’ନ୍ତି । ପ୍ରକୃତି କୋଳରେ ଜୀବଜନ୍ତୁଙ୍କ ବିଚରଣ, ହସଖସି କିମ୍ବା ବିପଦପୂର୍ଣ୍ଣ ସମୟ ଫଟୋ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉପରୋକ୍ତ ତିନୋଟି ବିଭାଗରେ ବିଭିନ୍ନ ଦେଶର ଫଟୋଗ୍ରାଫରମାନେ ସେମାନଙ୍କ ଫଟୋ ପଠାଇଥିଲେ । ଏହି ପ୍ରତିଯୋଗିତା ପାଇଁ ଶ୍ରୀତମ ୨୦୨୪ରେ ନିଜ ଘର ପଛପଟରୁ ଉଠାଇଥିବା କିଡ୍‌ନୀ ଗାର୍ଡେନ୍‌ ସ୍ପାଇଡର ଫଟୋଟି ପଠାଇଥିଲେ । ଏହି ଫଟୋର ବିଶେଷତ୍ୱ ଥିଲା, କିଡ୍‌ନୀ ଗାର୍ଡେନ୍‌ ସ୍ପାଇଡର ଶରୀରରେ ପ୍ରାକୃତିକ ଚିହ୍ନ ଯାହା ମଣିଷର ମୁହଁ ସହିତ ନିଶ ବା ମୁଛ ପରି ଦେଖାଯାଏ ।

କିଡ୍‌ନୀ ଗାର୍ଡେନ୍‌ ସ୍ପାଇଡର ଏହି ଅନନ୍ୟ ସୌନ୍ଦର୍ଯ୍ୟ ପ୍ରାୟତଃ ଅଧିକାଂଶ ଲୋକ ଦେଖିବାକୁ ପାଇନଥାନ୍ତି । ଏହି ଫଟୋକୁ ଚୟନ କମିଟି ସଦସ୍ୟମାନେ ଗ୍ରହଣ କରିଥିଲେ । ଫୋର୍ବସ୍‌ ପତ୍ରିକାରେ ଏହି ଫଟୋ ସ୍ଥାନୀତ କରିବା ସହ ତଳେ କାପସନରେ ଲେଖା ହୋଇଛି ‘ନିଶ’ ବା ‘ମୁଚ୍ଛ’ ଦେଖି ପ୍ରତାରିତ ହୁଅନ୍ତୁ ନାହିଁ । ଏହି ଉଦ୍ୟାନ ରକ୍ଷକ ଖାଦ୍ୟ ବିକ୍ରି କରୁନି । ଅନୁକରଣର ଆକର୍ଷଣୀୟ କଳା, ମିମିକ୍ରି, ପ୍ରାକୃତିକ ଜଗତରେ ଆମ ଚାରିପାଖରେ ଉପସ୍ଥିତ ।’ ପ୍ରତିଷ୍ଠିତ ଫୋର୍ବସ୍‌ ପତ୍ରିକାରେ ଶ୍ରୀତମଙ୍କ ଫଟୋ ସ୍ଥାନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କ ଏଭଳି ସଫଳତାକୁ ପ୍ରଶଂସା କରାଯାଉଛି । ବାଲେଶ୍ୱର ସହରସ୍ଥ ଶୋଭାରମପୁର ଅଞ୍ଚଳର ବାସିନ୍ଦା ୨୬ ବର୍ଷୀୟ ଶ୍ରୀତମ ନେଚର ଆଣ୍ଡ ମାଇକ୍ରୋ ୱାଇଲ୍ଡଲାଇଫ୍‌ ଫଟୋଗ୍ରାଫର ଭାବେ ଜଣାଶୁଣା । ବିଭିନ୍ନ ଅଜଣା କିମ୍ବା ଅଣଦେଖା ହେଉଥିବା ବିଭିନ୍ନ ପ୍ରଜାତିରୁ କ୍ଷୁଦ୍ରରୁ କ୍ଷୁଦ୍ରତର ଇକୋସିଷ୍ଟମର ଜଟିଳ ସୌନ୍ଦର୍ଯ୍ୟକୁ ନିଜ କ୍ୟାମେରାରେ କଏଦ କରିବାକୁ ପସନ୍ଦ କରିଥା’ନ୍ତି । ଫାର୍ମାସୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀତମଙ୍କୁ ଫଟୋଗ୍ରାଫି ପାଇଁ ପୂର୍ବରୁ ବିବିସି ୱାଇଲ୍ଡଲାଇଫ୍‌, ଇଣ୍ଟରନ୍ୟାସନାଲ୍‌ ଫଟୋଗ୍ରାଫି ପୁରସ୍କାର, ସ୍ମିଥସାନିଆନ୍‌ ଇନଷ୍ଟିଚ୍ୟୁସନ୍‌, ୟୁନେସ୍କୋ, ନ୍ୟାସନାଲ୍‌ ଜିଓଗ୍ରାଫିକ୍‌ ଭଳି ସଙ୍ଗଠନଗୁଡ଼ିକ ଦ୍ୱାରା ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଛି ।

ଏହି ଖବରଟିକୁ ପଢନ୍ତୁ୩୦ରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନ : ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ, ବିରୋଧୀଙ୍କ ମୁଣ୍ଡରେ ପାପ ବୋଳିବ ଶାସକ