କଟକ,୦୯/୧୧: ଦୁଇ ମିନିଟ୍‌ ଝୁଲିରେ  ଦୁଇ ହଜାର ଟଙ୍କା ଜିତିବେ । ଏହି ଖବର ଶୁଣିବା ପରେ ଏହାକୁ ଦେଖିବା ପାଇଁ ଝୁଲା ଆଗରେ ଯାତ୍ରୀଙ୍କ ଭିଡ଼ ଲାଗିରହିଛି । ବାଲିଯାତ୍ରାରେ  ଏଭଳି ଏକ ପ୍ରତିଯୋଗିତା ଦେଖିବାକୁ ମିଳିଛି  ତଳ ପଡ଼ିଆରେ । ନୟାଗଡ଼ ଜିଲ୍ଲାର ଜଣେ  ଯୁବ ବ୍ୟବସାୟୀ ଦୁଇଟି ବାଉଁଶ ମଝିରେ ଏକ  ଲୁହାର ମୋଟା ବାର୍‌କୁ ଖଞ୍ଜିଛନ୍ତି । ବାର୍‌ଟି  ମେସିନ୍‌ ସାହାଯ୍ୟରେ ବୁଲୁଛି । ଆଉ ଏହି  ବାର୍‌କୁ ଧରି ଦୁଇ ମିନିଟ୍‌ ଓହଳି ରହିବାକୁ  ପଡ଼ିବ । ଏହି କୌତୂହଳ ଖେଳ ଖେଳିବାକୁ  ଲୋକମାନେ ମଧ୍ୟ ବେଶ୍‌ ଉତ୍ସାହର ସହିତ ଝୁଲା  ଆଗରେ ଭିଡ଼ ଲଗାଇଛନ୍ତି । ପ୍ରଥମେ ଶହେ ଟଙ୍କା  ଟିକେଟ କିଣି ଦୁଇ ମିନିଟ ଓହଳି ପାରିଲେ ୫  ଶହ ଟଙ୍କା ମିଳିବ । ସେହିପରି ଦୁଇ ଶହ ଟଙ୍କା ଟିକେଟ କିଣି ଦୁଇ ମିନିଟ ଓହଳି ପାରିଲେ ଦୁଇ ହଜାର ଟଙ୍କା ମିଳିବ ।

ଏ ସଂପର୍କରେ ବ୍ୟବସାୟୀ  ଜଣଙ୍କ କହିଛନ୍ତି, ଏହାକୁ "ଦୁଇ ମିନିଟ ଓହଳିବା  ପ୍ରତିଯୋଗିତା’ କୁହାଯାଉଛି । ପ୍ରଥମ ଥର ପାଇଁ ଏହାକୁ ମୁଁ ବାଲିଯାତ୍ରାକୁ ଆଣିଛି । ବାହାର ରାଜ୍ୟ  ଓ ଦେଶରେ ଏହି ଝୁଲା ମେଳା ଓ ଯାତ୍ରାମାନଙ୍କରେ ପଡ଼େ । ଆଉ ମୋର ଜଣେ ସାଙ୍ଗ ମୋତେ  ଏହି ବ୍ୟବସାୟ କରିବାକୁ କହିଥିଲା । ଏବେ ମୁଁ ଏହି ବେପାର ଆରମ୍ଭ କରିଛି । ଏପର୍ଯ୍ୟନ୍ତ  ୫ ଜଣ ଲୋକ ଓହଳି ଟଙ୍କା ଜିତି ସାରିଲେଣି । 

ମେଳାରେ ଏହି ନୂଆ ଧରଣର  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଟଙ୍କା  ପୁରସ୍କାର ପାଇବା ଲୋଭରେ ଯୁବବର୍ଗ ଟିକେଟ୍‌  କିଣିବାକୁ ଗହଳି କରୁଥିବା ଦେଖିବାକୁ ମିଳିଛି ।