କଟକ ୧୨/୧୧: ଚଳିତବର୍ଷ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । କଟକ ଇନ୍‌ କଟକ ଭିତରେ ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶକୁ ନେଇ ପ୍ରସ୍ତୁତ ହେଉଛି ଏକ ସୁନ୍ଦର ପରିବେଶ । ପୁରୁଣା କ୍ଲାସିକ୍‌ ଓଡ଼ିଆ  ଚଳଚ୍ଚିତ୍ରର କିଛି ସ୍ମୃତିକୁ ନେଇ କଟକ ଇନ୍‌ କଟକକୁ ନୂଆ ରୂପ ଦିଆଯାଉଛି । 

ପ୍ରଥମ  ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ରୁ ଆଗକୁ  ପ୍ରାୟ ୫୦ବର୍ଷ ପର୍ଯ୍ୟନ୍ତର ବିଭିନ୍ନ ହିଟ୍‌  ଚଳଚ୍ଚିତ୍ରର କିଛି ସ୍ମୃତିଚିହ୍ନକୁ ନେଇ ବିଭିନ୍ନ ଜୋନ୍‌ କରାଯାଇଛି । ଯେଉଁଥିରେ ଜାତୀୟ ପୁରସ୍କାରପ୍ରାପ୍ତ  ଚଳଚ୍ଚିତ୍ର ସୀତାବିବାହ, ମାୟାମିରିଗ, ଗପ ହେଲେ ବି ସତ ଚଳଚ୍ଚିତ୍ରର ଏକ କର୍ଣ୍ଣର କରାଯାଇଥିବା ବେଳେ  କଟକର ଦିବଂଗତ ସିନେ ପ୍ରତିଭାମାନଙ୍କୁ  ନେଇ ଏକ ଜୋନ୍‌ ନିର୍ମାଣ କରାଯାଇଥିବା  ଦେଖିବାକୁ ମିଳିଛି । ଏକ ଆମ୍ପି ଥିଏଟର୍‌  କଟକ ଇନ୍‌ କଟକ ଭିତରେ କରାଯିବ ।  ଯେଉଁଥିରେ ଦର୍ଶକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର  ଦେଖିବାକୁ ସୁଯୋଗ ପାଇବେ । ଏହା  ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି ଜଣାପଡିଛି ।  ଏଥିରେ ବହୁ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର  ପ୍ରଦର୍ଶିତ ହେବ । ସେହିପରି କାରାଓକେ  ବ୍ୟବସ୍ଥା ବି ଏଠାରେ ଉପଲବ୍ଧ ରହିବ ।  ଅର୍ଥାତ୍‌ ଓଡ଼ିଆ ଗୀତଗୁଡିକର କେବଳ  ଧୂନ୍‌ଗୁଡିକ ଏଠାରେ ରହିଥିବ । ମାଇକ୍‌  ଯୋଗେ ଧୂନ୍‌କୁ ବ୍ୟବହାର କରି ବାଲିଯାତ୍ରା ବୁଲିବାକୁ  ଆସୁଥିବା ଲୋକେ ନିଜେ ସେହି ଗୀତ ବୋଲିପାରିବେ ।