ନୂଆଦିଲ୍ଲୀ : ବେଲୁଚିସ୍ତାନରେ ଜାରି ରହିଥିବା ହିଂସା ଏବେ ପାକିସ୍ତାନର ମୁଣ୍ଡ ବିନ୍ଧା କରିଦେଲାଣି। ହିଂସା ବନ୍ଦ କରିବାରେ ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି। ହେଲେ ଏହାର ବିଫଳତା ପାଇଁ ଏବେ ଭାରତକୁ ଦାୟୀ କରିବା ଆରମ୍ଭ କରିଛି। ପାକିସ୍ତାନ ଅଭିଯୋଗ କରିଛି ଯେ, ଭାରତ ଦ୍ୱାରା ସମର୍ଥିତ ଏକ ବିଦ୍ରୋହୀ ଗୋଷ୍ଠୀ ବାଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ଆକ୍ରମଣ କରିଛି।

ଦ ଡନ୍ ରିପୋର୍ଟ ଅନୁଯାୟୀ, ଗତକାଲି (ବୁଧବାର) ପ୍ରତିରକ୍ଷା ବାହିନୀର ମୁଖ୍ୟ ତଥା ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର କ୍ୱେଟାର ଏକ ହସ୍ପିଟାଲରେ BLA ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ବୈଠକ ସମୟରେ, ପାକିସ୍ତାନୀ ସେନା ଅସୀମ ମୁନିରଙ୍କୁ ବେଲୁଚିସ୍ତାନର ପରିସ୍ଥିତି ବିଷୟରେ ଅବଗତ କରାଇ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିଲା । 

ତେବେ ହସ୍ପିଟାଲରେ ପୀଡିତ ମାନଙ୍କ ସହିତ ସାକ୍ଷାତ କରିବା ପରେ, ଅସୀମ ମୁନିର କହିଥିଲେ ଯେ, ଆକ୍ରମଣ କରିଥିବା ଆତଙ୍କବାଦୀ ଏବଂ ସେମାନଙ୍କର ସହଯୋଗୀ ମାନଙ୍କୁ ଛଡ଼ାଯିବ ନାହିଁ। ଆକ୍ରମଣରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ। ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଅନୁଯାୟୀ, ଅସୀମ ମୁନିରଙ୍କ ସହିତ ଏକ ବ୍ରିଫିଙ୍ଗ୍ ସମୟରେ, ପାକିସ୍ତାନୀ ସେନା ମିଥ୍ୟା ଅଭିଯୋଗ କରିଥିଲା ଯେ ଭାରତ-ସମର୍ଥିତ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଗୁଡ଼ିକ ବେଲୁଚିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ବିକାଶକୁ ଦୁର୍ବଳ କରିବା ପାଇଁ ଏକ ପ୍ରୟାସ ଥିଲା, କିନ୍ତୁ ସୁରକ୍ଷା ବାହିନୀ ଦ୍ୱାରା ଏହାକୁ ବିଫଳ କରାଯାଇଥିଲା।

ସୂଚନାଥାଉକି, ଗତ ମାସରେ, BLA ବେଲୁଚିସ୍ତାନରେ ଅପରେସନ୍ ହେରୋଫ୍-୨ ଆରମ୍ଭ କରିଥିଲା । ଏହି ସମୟରେ ଆତ୍ମଘାତୀ ଆକ୍ରମଣ ସମେତ ଏକକାଳୀନ ୧୪ଟି ସହରରେ ବଡ଼ ଆକ୍ରମଣ କରିଥିଲା। BLA ସୋସିଆଲ ମିଡିଆରେ ଦୁଇ ବାଲୁଚ୍ ମହିଳା ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ଫଟୋ ମଧ୍ୟ ଜାରି କରିଥିଲା। ଏହି BLA ଆକ୍ରମଣରେ ୧୫ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅନେକ ସ୍ଥାନରେ, ପାକିସ୍ତାନୀ ସୁରକ୍ଷା କର୍ମୀମାନଙ୍କୁ ସେମାନଙ୍କ ପୋଷ୍ଟ ଛାଡ଼ିବାକୁ ପଡିଥିଲା।

ଏହା ସହ ପଢନ୍ତୁ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିସ୍ଫୋରକ ବୟାନ, ସଂସଦରେ ପିଏମ ମୋଦୀଙ୍କ ଉପରେ ଆକ୍ରମଣ ପାଇଁ ହୋଇଥିଲା ଷଡଯନ୍ତ୍ର...