ଭୁବନେଶ୍ଵର : ଚୁଗୁଲି କରୁଛନ୍ତି କି ? ତାହେଲେ ସତର୍କ ହୋଇଯାଆନ୍ତୁ। ନହେଲେ ଭରିବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍। ଲାଗୁ ହେଲା ନୂଆ ନିୟମ। ଆଶ୍ଚର୍ଯ୍ୟ ଲାଗୁଛି ନା... ହେଲେ ଏହା ସତ। ଆମେ କୌଣସି ଅଲଗା ଦେଶର କଥା କହୁ ନାହୁଁ। ଭାରତରେ ଲାଗୁ ହୋଇଛି ଏହି ନିୟମ। ତେବେ ଜାଣନ୍ତୁ କେଉଁଠି...
ଚୁଗୁଲି କଲେ ଜରିମାନା । ଛତିଶଗଡ଼ର ବାଲୋଦ ଜିଲ୍ଲାର ମେଢକୀ ଗାଁରେ ଏଣିକି କାହା ବିରୁଦ୍ଧରେ ଚୁଗୁଲି କଲେ ୫ ହଜାର ଟଙ୍କା ଜରିମାନା ଗଣିବାକୁ ହେବ । ଏଭଳି ଅଜବ ନିଷ୍ପତ୍ତି ପଛରେ ଏକ କାରଣ ରହିଛି । ଗାଁରେ କିଛି ଦିନ ତଳେ ଚୁଗୁଲି ଯୋଗୁ ଦୁଇ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସର୍ବସାଧାରଣରେ ଟିପ୍ପଣୀ ଯୋଗୁ ମାହୋଲ ବିଗିଡ଼ି ଯାଇଥିଲା । ତେଣୁ ଗ୍ରାମସଭାରେ ନିଷ୍ପତ୍ତି ହେଲା, ସାର୍ବଜନୀନ ସ୍ଥାନ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ କାହାର ଭାବନାକୁ ଆଘାତ ଦେବା ଭଳି ଟିପ୍ପଣୀ ଉପରେ କଟକଣା ଲାଗୁ ହେବ । ଜରିମାନା ଓ ନିୟମ ମଧ୍ୟ ସ୍ଥିର ହେବ । ଚୁଗୁଲି କଲେ ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ।
ଖାଲି ଚୁଗୁଲି ନୁହେଁ ମଦ ବିକ୍ରି ଏବଂ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କଲେ, ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ । ମଦ ପିଇ ଧାର୍ମିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଲେ, ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଏହି ଟଙ୍କା ଗାଁର ବିକାଶ କାର୍ଯ୍ୟରେ ଲାଗିବ । ସରପଞ୍ଚ କହିଛନ୍ତି, ଗାଁରେ ଶାନ୍ତି, ଭାଇଚାରା ଓ ସୁରକ୍ଷା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଗ୍ରାମବାସୀ ପ୍ରତି ମାସ ବସି ନିୟମଗୁଡ଼ିକର ସମୀକ୍ଷା କରିବେ । ଜିଲ୍ଲାପାଳ ଅଜୟ କିଶୋର କହିଛନ୍ତି, ଏହା ଗାଁ ସମିତିର ନିଜସ୍ୱ ନିୟମ । ପ୍ରଶାସନ ଏହାର ସମୀକ୍ଷା କିମ୍ବା ହସ୍ତକ୍ଷେପ କରିବ ନାହିଁ ।
ଏହି ଖବରଟିକୁ ପଢନ୍ତୁ- ମୃତ୍ୟୁ ପୂର୍ବରୁ କ'ଣ କୁହେ ମଣିଷ ? ଖୁଲାସା କଲେ ଫ୍ଲୋରିଡା ନର୍ସ...