ଛଳୟସି ଵିକ୍ରମଣେ ବଳିମଦ୍ଭୁତବାମନ
ପଦନଖନୀରଜନିତ ଜନପାଵନ ।
କେଶ ଧୃତବାମନରୂପ ଜୟ ଜଗଦୀଶ ହରେ ।।
ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ଅଦ୍ଭୁତ ବାମନ ରୂପ ଧାରଣ କରି ନିଜର ପ୍ରକାଣ୍ଡ ପଦଚାଳନା ଦ୍ୱାରା ବଳିଙ୍କୁ ଛଳ କରିଥିଲେ ଏବଂ ଯାହାଙ୍କର ପଦନଖରୁ ଝରୁଥିବା ନୀର (ଗଙ୍ଗା) ଜନଙ୍କୁ ପାବନ କରିଆସୁଅଛି ।
ପୁରୀ, ୦୪/୦୯ : ଭାଦ୍ରବ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବାତାର ବାମନଙ୍କ ଆବିର୍ଭାବ ଦିବସ। ତେଣୁ ବାମନ ଜନ୍ମ ବା ବାମନ ଦ୍ୱାଦଶୀ ଭାବରେ ମଧ୍ୟ ଏହି ଦିନଟି ଆଖ୍ୟାୟିତ। ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାମନ ସ୍ୱରୂପ ବେଶର ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ଵାସ ରହିଛି। ତେଣୁ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ଶ୍ରୀମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୂପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ।ତାଙ୍କୁ ବାମନ ଭାବରେ ଅବିହିତ କରାଜାଇ ସେହି ତିଥିରେ ତାଙ୍କ ଜନ୍ମ ନୀତି ପାଳିତ କରାଯାଏ। ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମ ନୀତି ଶ୍ରୀ କୃଷ୍ଣ ଜନ୍ମ ନୀତି ପାଳନ କରାଯାଏ, ସେହିପରି ବାମନ ଦ୍ଵାଦଶୀରେ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ପାଳିତ ହୁଏ।
ଏହିଦିନ ସକାଳ ଧୂପ ପୂଜା ସରିବା ପରେ ଠାକୁର ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ। ଶ୍ରୀବିଗ୍ରହ ମାନଙ୍କୁ କର୍ପୁର ଲାଗିହୋଇ ବେଶ ବଢିବା ପରେ ମଧ୍ୟାନ ଧୂପ ଉଠିଥାଏ ଏବଂ ଜୟ ବିଜୟ ଦ୍ଵାର ବନ୍ଦ ହୋଇ ଚନ୍ଦନ ଅର୍ଗଳିଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜରେ ମଣ୍ଡଳ କରିଥାନ୍ତି । ଏହା ପରେ ତିନି ବାଡରେ ଠାକୁରମାନଙ୍କର ବନ୍ଦାପନା ବରୁଣ ପୂଜା ହୋଇଥାଏ। ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ଵାରା ରତ୍ନସିଂହାସନରେ ବିଜେ ହୋଇଥାନ୍ତି ଏବଂ ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥାଏ। ଯାହା ଗୋଟିଏ ପ୍ରକାରର ସ୍ୱତନ୍ତ୍ର ପ୍ରସାଦ ଏହା ପରେ ଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିଥାନ୍ତି । ତତ୍ପରେ କୃଷ୍ଣଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଏ। ଏଠାରେ ପଞ୍ଚାମୃତରେ ଦିଅଁଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି , ଜନ୍ମବିଧିମାନ କରାଯାଇଥାଏ। ଏହାପରେ ପାଳିଆ ମହାସୁଆର କ୍ଷୀର , ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି । ଏଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବାମନ ମୂର୍ତ୍ତି ପଟି ଯୋଗାଇଥାନ୍ତି। ତତ୍ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିଥାନ୍ତି। ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରିଥାନ୍ତି । ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରିଥାନ୍ତି । ଏଠାରେ ପୂଜାପଣ୍ଡା ବସୁଧରା, ଯଜ୍ଞ ପବିତ୍ରା ଲାଗି କରିଥାନ୍ତି। ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥାଏ। ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରିଥାନ୍ତି । ଏହାପରେ ପ୍ରସାଦ ଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ି ଥାନ୍ତି। ସନ୍ଧ୍ୟାଧୂପ ନୀତି ସରିବା ପରେ ଶ୍ରୀମନ୍ଦିରରେ ପାରମ୍ପାରିକ ଭାବରେ ଇନ୍ଦ୍ରଧ୍ଵଜ ପୂଜା ଅନୁଷ୍ଠିତ ହୋଇଥାଏ ।
ଭଗବାନ ସତ୍ୟ ଯୁଗରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଅବତାର ପରେ ୫ମ ଅବତାର ହିସାବରେ ପ୍ରଭୁ ଶ୍ରୀ ବାମନଙ୍କ ରୂପରେ ଧରାପୃଷ୍ଠକୁ ଅବତରଣ ହୋଇ ଜନ୍ମ ଗ୍ରହଣ କରିଥିଲେ। ଯୁଗେ ଯୁଗେ ପ୍ରଭୁ ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଠା ନିମିତ୍ତ ଧରାପୃଷ୍ଠରେ ଅବତାର ନେଇଛନ୍ତି ଏବଂ ସତ୍ୟ ଯୁଗରେ ରାକ୍ଷସ ରାଜା ବଳି ଥିଲେ ମହାଦାନୀ ମାତ୍ର ସେହି ଦାନ ଅତ୍ୟଧିକ ହେବାରୁ ତାଙ୍କର ଦର୍ପ ମଧ୍ୟ ବଢିଯାଇଥିଲା । ତେଣୁ ତାଙ୍କର ଦର୍ପକୁ ଦଳନ କରି ଉଚିତ ଶିକ୍ଷା ଦେବା ନିମିତ୍ତ ପ୍ରଭୁ ପଞ୍ଚମ ଅବତାର ରୂପରେ ଶ୍ରୀ ବାମନଙ୍କ ରୂପରେ ଜନ୍ମ ଗ୍ରହଣ କରିଥିଲେ । ମହର୍ଷି କଶ୍ୟପ ଓ ଅଦିତିଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ ଏବଂ ସେଥିପାଇଁ ଦେବ ଦୀପାବଳୀ ଅବସରରେ କଳିଯୁଗର ଅବତାରୀ ପରବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବଦିପାବଳୀ ସମୟରେ ପ୍ରଭୁ ନିଜେ ସନ୍ତାନ ହୋଇ ମହର୍ଷି କଶ୍ୟପ ଓ ମାତା ଅଦିତିଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଇଥାନ୍ତି ।‘ଶ୍ରୀମଦ୍ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଏହି ବାମନାବତାରରେ ପ୍ରଥମେ ପ୍ରକଟ ହୋଇଥିଲେ ଚତୁର୍ଭୁଜ ରୂପରେ। କିନ୍ତୁ ସେ ଅଦ୍ଭୁତକର୍ମା ହୋଇଥିବାରୁ, ସେହି ଚତୁର୍ଭୁଜ ରୂପରୁ ବାମନରୂପୀ ବାଳବ୍ରହ୍ମଚାରୀରେ ପରିଣତ ହେଲେ। ତାଙ୍କର ସେହି ବଟୁବାମନ ରୂପ ଦେଖି ସମସ୍ତେ ଆନନ୍ଦିତ ହେଲେ। ସେହି ସମୟରେ ବହୁ ଅଶ୍ୱମେଧ ଯଜ୍ଞ କରି ଦାନବରାଜ ବଳି ନିଜର ଶକ୍ତି ବୃଦ୍ଧି କରିଥିଲେ। ତେଣୁ ବଟୁବାମନରୂପୀ ବିଷ୍ଣୁ, ନର୍ମଦା ନଦୀର ଉତ୍ତରତଟର ଭୃଗୁକଚ୍ଛଠାରେ ଥିବା ବଳିଙ୍କର ଯଜ୍ଞସ୍ଥଳକୁ ଯାତ୍ରା କଲେ। ତାଙ୍କର ହାତରେ ଥିଲା ଦଣ୍ଡ, ଛତ୍ର ଓ କମଣ୍ଡଳୁ।
ଦାନବରାଜ ବଳି ଥିଲେ ଅତିଦାନୀ। ବାମନଙ୍କୁ ପ୍ରଣାମ କରି ସେ କହିଲେ- ହେ ବଟୁବାମନ! ତୁମର ଯାହା ଇଚ୍ଛା ମୋ’ଠାରୁ ମାଗି ନିଅ। କିନ୍ତୁ ବଟୁବାମନ ତାଙ୍କୁ ମାତ୍ର ତିନିପାଦ ଭୂମି ମାଗିଲେ।ତାହା ଶୁଣି ବଳି କହିଲେ- ହେ ବ୍ରାହ୍ମଣପୁତ୍ର! ତୁମେ ବୃଦ୍ଧଙ୍କ ପରି ବାକ୍ୟ କହୁଛ, କିନ୍ତୁ ତୁମର ବୁଦ୍ଧି ବାଳକୋଚିତ। ହେ ଅଳ୍ପବୁଦ୍ଧି ବାଳକ! ତୁମେ ନିଜର ସ୍ୱାର୍ଥ ବୁଝି ପାରୁନାହଁ। ମୁଁ ତ୍ରିଲୋକର ଏକମାତ୍ର ଅଧୀଶ୍ୱର। ମୁଁ ତୁମକୁ ଦ୍ୱୀପ ପରେ ଦ୍ୱୀପ ଦାନ କରିପାରେ। ଅଥଚ ତୁମେ ତୁଚ୍ଛ ତିନିପାଦ ଭୂମି ମାଗିବା ପରି ନିର୍ବୋଧ ଆଚରଣ କରୁଛ?
ତାହାର ଉତ୍ତରରେ ବାମନରୂପୀ ବିଷ୍ଣୁ କହିଲେ- ହେ ରାଜା! ଯେଉଁ ବ୍ୟକ୍ତି ନିଜର ଇନ୍ଦ୍ରିୟକୁ ଜୟ କରି ନାହିଁ, ତିନିଲୋକରେ ଯେତେ ପ୍ରିୟତମ ଭୋଗ୍ୟବସ୍ତୁ ଅଛି, ସେସବୁ ତାକୁ ସନ୍ତୁଷ୍ଟ କରିବାକୁ ସକ୍ଷମ ନୁହନ୍ତି। ତିନିପାଦ ଭୂମିରେ ଯେ ସନ୍ତୁଷ୍ଟ ନୁହେଁ, ନୂଆଦେଶ ସମେତ ଏକ ଦ୍ୱୀପ ଦ୍ୱାରା ସେ କଦାପି ସନ୍ତୁଷ୍ଟ ହେବ ନାହିଁ। କାରଣ, ସେ ପୁନର୍ବାର ସପ୍ତଦ୍ୱୀପ ମାଗିବାକୁ ଇଚ୍ଛା କରିବ। ଦୈବଯୋଗେ ଯାହା ମିଳିଛି, ସେଥିରେ ସନ୍ତୁଷ୍ଟ ବ୍ୟକ୍ତି ସୁଖରେ ରହେ। କିନ୍ତୁ ଯେ ଇନ୍ଦ୍ରିୟକୁ ଜୟ କରି ନାହିଁ, ସେହି ଅସନ୍ତୁଷ୍ଟ ବ୍ୟକ୍ତି ତ୍ରିଲୋକ ପାଇଲେ ବି ସୁଖୀ ହୁଏ ନାହିଁ। ସଂସାରଚକ୍ରରେ ଘାଣ୍ଟି ହେବାର ଲକ୍ଷଣ ହେଉଛି- ଯେତେ ଧନ ଓ ଭୋଗ ଲାଭ କଲେ ମଧ୍ୟ ଅସନ୍ତୁଷ୍ଟ ରହିବ। କିନ୍ତୁ ମୁକ୍ତିର ଲକ୍ଷଣ ହେଉଛି- ଯାହା କିଛି ମିଳୁଛି, ସେଥିରେ ସନ୍ତୁଷ୍ଟ ହେବା। ତୁମେ ଦାତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏଣୁ ମାତ୍ର ତିନିପାଦ ଭୂମି ମୁଁ ତୁମକୁ ମାଗୁଛି।
ବଳି ସେହି ଦାନ ଦେବାକୁ ସତ୍ୟ କରିବା ପରେ, ବଟୁବାମନରୂପୀ ବିଷ୍ଣୁ ବିରାଟ ଆକାର ଧାରଣ କଲେ। ତାଙ୍କର ପ୍ରଥମ ପାଦ ସମଗ୍ର ପୃଥିବୀକୁ ଅଧିକାର କଲା। ଦ୍ୱିତୀୟ ପାଦ ସ୍ୱର୍ଗଲୋକକୁ ଆଚ୍ଛାଦିତ କଲା। ତୃତୀୟ ପାଦ ପାଇଁ ଆଉ ସ୍ଥାନ ନଥିବାରୁ ବଳି ନିଜର ମସ୍ତକ ପାତି ଦେଲେ। ଭଗବାନ ତାଙ୍କର ମସ୍ତକରେ ନିଜର ତୃତୀୟ ପାଦ ଥାପିଲେ।କିନ୍ତୁ ବଳିଙ୍କର ଭକ୍ତି ଓ ସତ୍ୟନିଷ୍ଠା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିଥିଲା। ସେ ବ୍ରହ୍ମାଙ୍କୁ କହିଲେ- ହେ ବ୍ରହ୍ମନ୍! ବଂଶର ଅଭିମାନ ବା ଧନଗର୍ବ ସମସ୍ତ ମଙ୍ଗଳର ଅନ୍ତରାୟ। କିନ୍ତୁ ବଳି ଏହାର ଊର୍ଦ୍ଧ୍ୱରେ। ମୁଁ ତାଙ୍କୁ ବହୁ ଛଳପୂର୍ଣ୍ଣ ଧର୍ମକଥା କହିଲି। କିନ୍ତୁ ସତ୍ୟବାଦୀ ବଳି ନିଜର ସତ୍ୟ ଓ ଧର୍ମ ତ୍ୟାଗ କଲେ ନାହିଁ। ତେଣୁ ମୁଁ ତାଙ୍କୁ ଏପରି ଏକ ସ୍ଥାନ ଦେଉଛି- ଯାହା ଦେବତାମାନଙ୍କୁ ବି ଦୁଷ୍ପ୍ରାପ୍ୟ। ସାବର୍ଣ୍ଣି ମନ୍ୱନ୍ତରରେ ସେ ସ୍ୱର୍ଗର ଅଧିପତି ଇନ୍ଦ୍ର ହେବେ। ସେ ପର୍ଯ୍ୟନ୍ତ ସେ ଦେବଦୁର୍ଲଭ ସୁତଳଲୋକରେ ବାସ କରିବେ। ଏହା ଫଳରେ ବଳି ଯାଇ ଦେବତାମାନଙ୍କର କାମ୍ୟ ସୁତଳଲୋକରେ ବାସ କଲେ।