ଋଷି ଅରବିନ୍ଦ ତାଙ୍କର ଉତ୍ତରଯୌବନ କାଳରେ ବଙ୍କିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍‌’ ଗୀତକୁ ଦେଶପ୍ରେମର ମନ୍ତ୍ର ବୋଲି କହି ବଙ୍କିମ ଚନ୍ଦ୍ରଙ୍କୁ ଋଷି ବଙ୍କିମ ଚନ୍ଦ୍ର ବୋଲି ଅଭିହିତ କରିଥିଲେ । ୧୯୦୯-୧୦ରେ ସେ ତାଙ୍କର ଇଂରାଜୀ ସାପ୍ତାହିକ ‘କର୍ମଯୋଗୀ’ରେ ‘ବନ୍ଦେ ମାତରମ୍‌’କୁ ନେଇ ରଚିତ କ୍ଲାସିକ ଉପନ୍ୟାସ ‘ଆନନ୍ଦ ମଠ’ର ଇଂରାଜୀ ଅନୁବାଦ ଧାରାବାହିକ ରୂପେ ପ୍ରକାଶ କରୁଥିଲେ । ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ଇଂରାଜୀ ଅନୁବାଦ ପୁସ୍ତକ ‘ଆନନ୍ଦ ମଠ’ ଅରବିନ୍ଦ ବାର୍ଥ ସେଣ୍ଟେନାରୀ ଲାଇବ୍ରେରୀ ଦ୍ୱାରା ପ୍ରକାଶିତ ହୋଇଥିଲା । ଏ ଘଟଣାର ବହୁ ପୂର୍ବରୁ ୧୮୯୪ ଏପ୍ରିଲ ୮ ତାରିଖରେ ବଙ୍କିମ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା । ବଙ୍କିମ ଚନ୍ଦ୍ର ମୃତ୍ୟୁର ଅଳ୍ପ ବର୍ଷ ପୂର୍ବରୁ ତାଙ୍କର ଜ୍ୟେଷ୍ଠା କନ୍ୟା ଶରତ କୁମାରୀଙ୍କୁ କହିଥିଲେ ‘ଦିନେ ଦେଖିବ, କୋଡ଼ିଏ ବର୍ଷ ପରେ ଏଇ ଗୀତ ସାରା ବଙ୍ଗଳାକୁ ଅନୁପ୍ରାଣୀତ କରିବ’ । ‘ବନ୍ଦେ ମାତରମ୍‌’ ପ୍ରକୃତରେ ପ୍ରାକ୍‌ ସ୍ୱାଧୀନତା କାଳରେ ଅଖଣ୍ଡ ଭାରତର ଜାତୀୟ ସଙ୍ଗୀତ ରୂପେ ଗୃହୀତ ହୋଇଥିଲା ଏବଂ ଆଜିର ଭାରତରେ ଏହି ଜାତୀୟ ସଙ୍ଗୀତର ପ୍ରଥମ ଦୁଇପଦ ଶ୍ରଦ୍ଧା ସହକାରେ ବୋଲାହେଉଛି ।

ଫ୍ରାନ୍ସର ଜାତୀୟ ସଙ୍ଗୀତ ‘ଲାମାର୍ସେଇନୟଜ’ ୧୭୯୨ରେ ଏପ୍ରିଲରେ ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଯାତ୍ରା ବେଳେ ଫରାସୀ ସୈନିକଙ୍କୁ ଉଦ୍‌ବୁଦ୍ଧ କରିବା ଲଗି ରାତାରାତି ରଚିତ ହୋଇଥିଲା । ଦିନେ ସାହେବମାନେ ଆପଣେଇଥିବା ବଙ୍କିମ ଚନ୍ଦ୍ରଙ୍କ ମଧ୍ୟରେ ‘ବନ୍ଦେ ମାତରମ୍‌’ ରଚନା କରିବାର ଅଭୀପ୍‌ସା କିପରି ଜାଗରିତ ହୋଇଥିଲା, ସେ ସମୟର ଗବେଷକ ବିଷନ ଚନ୍ଦ୍ର ଭଗତ ଉଲ୍ଲେଖ କରିଛନ୍ତି । ୧୮୬୯ ଡିସେମ୍ବରରେ ବଙ୍କିମ ଚନ୍ଦ୍ରଙ୍କର ପଦୋନ୍ନତି ଘଟି, ସେ ରାଜସାହି ସବଡିଭିଜନର ତତ୍କାଳୀନ ପ୍ରଧାନ କାର୍ଯ୍ୟାଳୟରେ ମାସିକ ୭୦୦ ଟଙ୍କା ବେତନରେ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ ରୂପେ କାମ କଲେ । ତାଙ୍କର ବରହମପୁର ରହଣିର ଶେଷ ପର୍ଯ୍ୟାୟରେ ଏକ ବିଚିତ୍ର ଅଭାବନୀୟ ଘଟଣା ଘଟିଲା । ଏ ଘଟଣା ସରକାରୀ ନଥିଭୁକ୍ତ ଏବଂ ସେତେବେଳର ଇଂରାଜୀ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ।

୧୭୬୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳାର ବରହମପୁର ଠାରେ ଚାଳିଶ ଏକର ବ୍ୟାପୀ ଏକ ଚତୁସ୍କୋଣ ଜମିରେ କାଣ୍ଟନମେଣ୍ଟ କରିଥିଲେ । ଆଜି ସେଠାରେ କାଣ୍ଟନମେଣ୍ଟ ରୋଡ୍‌ ବିଦ୍ୟମାନ । କାଣ୍ଟନମେଣ୍ଟ ମଧ୍ୟରେ ଏକ ବର୍ଗାକାର ପଡ଼ିଆ ଥିଲା, ଯେଉଁଠାରେ ସୈନ୍ୟମାନେ ପ୍ୟାରେଡ ଏବଂ ଅନ୍ୟାନ୍ୟ ସାମରିକ ଅଭ୍ୟାସ କରନ୍ତି । ଅନ୍ୟ ସମୟରେ ଗୋରାମାନେ ସେଠାରେ କ୍ରିକେଟ ଖେଳନ୍ତି । ବଙ୍କିମ ଚନ୍ଦ୍ରଙ୍କ ବସାରୁ କଚେରି ଯିବାପାଇଁ ଦୁଇଟି ରାସ୍ତା ଥିଲା । ଗୋଟିଏ କାଣ୍ଟନମେଣ୍ଟ ବାହାରପଟେ ଏକ ବୁଲାଣି ରାସ୍ତା ଏବଂ ଅନ୍ୟଟି ପୂର୍ବୋକ୍ତ ପଡ଼ିଆକୁ ତେର୍ଚ୍ଛା ଭାବରେ ଅତିକ୍ରମ କରିବା ରାସ୍ତା, ଯେଉଁଟି ଦେଇ ସହଜରେ ଯାଇ ହେଉଥାଏ । ସୈନ୍ୟମାନଙ୍କ ସାମରିକ ଅଭ୍ୟାସ ବନ୍ଦ ଥିଲେ ଲୋକେ ସେଇ ରାସ୍ତାରେ ଯିବା ଆସିବା କରୁଥିଲେ । ବଙ୍କିମ ଚନ୍ଦ୍ର ପାଲିଙ୍କିରେ ବା ପଦବ୍ରଜରେ ପ୍ରାୟତଃ ଏଇବାଟେ ଯିବାଆସିବା କରନ୍ତି । ୧୮୭୩ ମସିହା ଡିସେମ୍ବର ୨୫ରେ ବଙ୍କିମ ପାଲିଙ୍କି ଚଢ଼ି ଏଇବାଟେ ଅଫିସରୁ ଆସୁଥାନ୍ତି । ସେତେବେଳେ ସେହି ପଡ଼ିଆରେ ଗୋରାମାନେ କ୍ରିକେଟ ଖେଳୁଥିବା କଥା ବଙ୍କିମଙ୍କୁ ଜଣାନଥିଲା । ପାଲିଙ୍କିବାହକମାନେ ମଧ୍ୟ ବାବୁ ନିଷେଧ କରିନଥିବା ଯୋଗୁଁ ସେଇ ବାଟଦେଇ ପାଲିଙ୍କିରେ ଆସୁଥାନ୍ତି । ହଠାତ୍‌ ପାଲିଙ୍କି ଉପରେ କିଏ ଜୋରରେ ଆଘାତ କଲା । ବଙ୍କିମ ପାଲିଙ୍କି ବାହାରକୁ ଆସି ଦେଖିଲେ ଜଣେ ଗୋରାସାହେବ ପାଲିଙ୍କି ଉପରେ ପଦାଘାତ କରୁଛନ୍ତି । ବଙ୍କିମ ରାଗିଯାଇ କହିଲେ- ହୁ ଦି ଡେଭିଲ ୟୁ ଆର୍‌?

୧୮୭୪ ଜାନୁଆରୀ ୮ରେ ଇଂରାଜୀ ଦୈନିକ ‘ଅମୃତ ବଜାର’ ପତ୍ରିକାରେ ସବୁକଥା ପ୍ରକାଶ ପାଇଲା । ବାବୁ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଗତ ଡିସେମ୍ବର ୧୫ ତାରିଖରେ, ଡେପୁଟି ମାଜିଷ୍ଟ୍ରେଟ ଅଫିସରୁ ଘରକୁ  ଆସୁଥିବାବେଳେ ବରହମପୁର କାଣ୍ଟନମେଣ୍ଟର ଲେଫ୍ଟନେଣ୍ଟ କର୍ଣ୍ଣେଲ ଡଫିନ୍‌ ଦ୍ୱାରା ଲାଞ୍ଛିତ ହୋଇଛନ୍ତି । ବାବୁ ବଙ୍କିମ ଚନ୍ଦ୍ର ଡଫିନ୍‌ଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଦାଏର କରିଛନ୍ତି । ଏ ଖବର ସାରା ବଙ୍ଗଳାରେ ଚହଳ ସୃଷ୍ଟିକଲା । ଡଫିନ କୋର୍ଟରୁ ସମନ ପାଇବା ପରେ ଜାଣିପାରିଲେ, ସେ ସୁପ୍ତ ସିଂହକୁ ଆଘାତ କରିଛନ୍ତି । ବରହମପୁରର ଦେଢ଼ଶହ ଓକିଲ ଓ ମୁକ୍ତାର ବଙ୍କିମଙ୍କ ଓକାଇତ ନାମାରେ ସ୍ୱାକ୍ଷର ଦେଉଥିଲେ । ମକଦ୍ଦମା ବିଚାର ହୋଇଥିଲା ମାଜିଷ୍ଟ୍ରେଟ ଉଇଣ୍ଟାରଙ୍କ ଇଜିଲାସରେ । ବରହମପୁରର ଦୁର୍ଗାଚରଣ ଭଟ୍ଟାଚାର୍ଯ୍ୟ ଏବଂ ଲାଲଗୋଲ୍ଳାର ଜମିଦାର ରାଜା ଯୋଗେନ୍ଦ୍ର ନାରାୟଣ ପ୍ରତ୍ୟକ୍ଷଦର୍ଶୀ ଭାବରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଡଫିନ୍‌ ଦୋଷୀ ସାବ୍ୟସ୍ତ ହେଲେ । ସାହେବମାନେ ଜାଣିପାରିଲେ, ଡଫିନଙ୍କୁ ଶାସ୍ତି ଭୋଗିବାକୁ ପଡ଼ିବ । ବଙ୍କିମଙ୍କ ସଚ୍ଚୋଟତା, କର୍ମନିଷ୍ଠା ଓ ଦୃଢ଼ତା ବିଷୟରେ କମିଶନ ଅବଗତ ଥିଲେ । ତେଣୁ ସେ ବଙ୍କିମଙ୍କୁ ମକଦ୍ଦମା ପ୍ରତ୍ୟାହାର କରିବା ପାଇଁ କହିଲେନାହିଁ । ସାହେବମାନେ ଅନ୍ୟତମ ବିଚାରପତି ବେସବ୍ରିଜଙ୍କ ପାଖରେ ପହଞ୍ଚିଲେ । ସେ ମଧ୍ୟ କର୍ମଦକ୍ଷତା ଓ ସତ୍ୟତା ଯୋଗୁଁ ବଙ୍କିମଙ୍କୁ ସ୍ନେହ କରୁଥିଲେ । ସେ କହିଲେ, ଡଫିନ ଯଦି ବଙ୍କିମଙ୍କୁ କ୍ଷମା ପ୍ରାର୍ଥନା କରିବେ, ତାହାହେଲେ ସେ ଏ ଘଟଣାରେ ମୁଣ୍ଡ ଭର୍ତ୍ତି କରିବେ ।

୧୮୭୪ ଜାନୁଆରୀ ୧୨ ତାରିଖରେ ରାୟ ବାହାରିବା କଥା । ପ୍ରାୟ ହଜାରେ ବଙ୍କାଳୀ ନେଟିଭ ଓ କିଛି ଇଂରେଜ ଅଦାଲତରେ ଉପସ୍ଥିତ ଥିଲେ । ବେସବ୍ରିଜ ମାଜିଷ୍ଟ୍ରେଟଙ୍କ କକ୍ଷରେ କିଛି ଆଲୋଚନା କଲେ । ଡଫିନ, ବଙ୍କିମ ଚନ୍ଦ୍ରଙ୍କୁ ଭରା ଅଦାଲତରେ ହାତ ଧରି କ୍ଷମା ମାଗିଲେ । ବଙ୍କିମ ଚନ୍ଦ୍ର ମକଦ୍ଦମା ପ୍ରତ୍ୟାହାର କରିନେଲେ । କିନ୍ତୁ ଏ କ୍ଷମା ଯାଚନାକୁ ଗୋରାମାନେ ସହିପାରିଲେ ନାହିଁ । ସେମାନେ ବଙ୍କିମ ଚନ୍ଦ୍ରଙ୍କୁ ସବୁଦିନ ପାଇଁ ବିଦାୟ କରିବା ପାଇଁ ସ୍ଥିର କଲେ । ଏହାର ସୂଚନା ପାଇ ଜମିଦାର ଯୋଗେନ୍ଦ୍ର ନାରାୟଣ ବଙ୍କିମଙ୍କୁ ଛୁଟିରେ ରହିବା ପାଇଁ କହିଲେ । ବଙ୍କିମ ତିନିମାସ ପାଇଁ ମେଡିକାଲ ଲିଭ୍‌ରେ ଜମିଦାରଙ୍କ ଅତିଥି ହୋଇ ତାଙ୍କ ଘରେ ରହିଲେ । ୧୭୭୨-୭୩ରେ ୱାରେନ ହେଷ୍ଟିଂସ୍‌ ନାଟୋରର ଜମିଦାରୀର ଅଧିକାଂଶ ବାଜ୍ୟାପ୍ତ କଲେ । ଅର୍ଥାଭାବରୁ ରାଣୀ ସନ୍ନ୍ୟାସୀମାନଙ୍କୁ ଆଉ ସାହାଯ୍ୟ ଦେଇପାରିଲେ ନାହିଁ । ବଙ୍ଗଳାରେ ସେତେବେଳେ ଭୟଙ୍କର ଦୁର୍ଭିକ୍ଷ । ଏଭଳି ଘଟଣା ଅନ୍ୟାନ୍ୟ ଜମିଦାରୀରେ ମଧ୍ୟ ଘଟିଥିଲା । ସନ୍ନ୍ୟାସୀମାନେ ବିଦ୍ରୋହ ଆରମ୍ଭ କଲେ । ୧୮୮୨ରେ ବଙ୍କିମ ଚନ୍ଦ୍ରଙ୍କ ଲିଖିତ ସନ୍ନ୍ୟାସୀ ବିଦ୍ରୋହ ଉପରେ ଆଧାରିତ ‘ଆନନ୍ଦ ମଠ’ ଉପନ୍ୟାସ ପୁସ୍ତକ ଆକାରରେ ପ୍ରକାଶିତ ହେଲା । ଏଥିପୂର୍ବରୁ ଏହା ବଙ୍କିମ ଚନ୍ଦ୍ରଙ୍କ ‘ବଙ୍ଗ ଦର୍ଶନ’ ପତ୍ରିକାରେ ଧାରାବାହିକ ରୂପେ ପ୍ରକାଶିତ ହୋଇଥିଲା । ଏ ପୁସ୍ତକ ମାତୃଭୂମି ପ୍ରତି ଏହି ମହାନ୍‌ ଲେଖକଙ୍କ ଏକ ଅନନ୍ୟ ଅବଦାନ, ଯାହା ଆଜି ପ୍ରାୟ ଦେଢ଼ଶହ ବର୍ଷ ପରେ ମଧ୍ୟ ସାରା ଭାରତକୁ ମାତୃଭୂମି ପ୍ରତି ଯେଉଁଭଳି ଅନୁପ୍ରାଣୀତ କରିଛି ତାହା ପ୍ରକୃତରେ ଅତୁଳନୀୟ । ଏଣୁ ‘ବନ୍ଦେ ମାତରମ୍‌’ ଆଜି ଜାତିର ମୁଖ୍ୟ ଜାତୀୟ ସଙ୍ଗୀତ ।

​​​​​​​