ଢ଼ାକା,୧୫/୧୧: ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ମହମ୍ମଦ ଆସାଦୁଜ୍ଜମାନ୍ ଦେଶର ସମ୍ବିଧାନରୁ 'ସମାଜବାଦ' ଏବଂ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ଦାବି କରିଛନ୍ତି। ଏଜି କହିଛି ଯେ ବାଂଲାଦେଶର ୯୦% ଜନସଂଖ୍ୟା ମୁସଲମାନ, ତେଣୁ ଧର୍ମନିରପେକ୍ଷ ଶବ୍ଦକୁ ସମ୍ବିଧାନରୁ ହଟାଇବା ଉଚିତ୍। ଶେଖ ହସିନା ସରକାରଙ୍କୁ କ୍ଷମତାରୁ ହଟାଇବା ପରେ ବାଂଲାଦେଶରେ ବ୍ୟାପକ ପରିବର୍ତ୍ତନ କରାଯାଉଛି, ଗୋଟିଏ ପଟେ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ବିଧାନ ପୁନଃ ଲେଖନ ଉପରେ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟ ପଟେ ସ୍ୱାଧୀନତାର ନାୟକ ଭାବରେ ବିବେଚିତ ଶେଖ ମୁଜିବୁର ରହମାନଙ୍କ ଐତିହ୍ୟ ତଥା ଚିହ୍ନ ବର୍ଣ୍ଣ ଆଦି ଲିଭାଇଦେବାକୁ ସମସ୍ତେ ଲାଗିପଡ଼ିଛନ୍ତି। ଆଟର୍ଣ୍ଣି ଜେନେରାଲ ଆସଦୁଜ୍ଜମାନ୍ ମଧ୍ୟ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ ଦିଆଯାଇଥିବା 'ଜାତିର ପିତା' ଆଖ୍ୟାରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି।
କ'ଣ ଧର୍ମନିରପେକ୍ଷ ବାଂଲାଦେଶର ସମ୍ବିଧାନ?
ଧର୍ମନିରପେକ୍ଷ ଶବ୍ଦ ବାଂଲାଦେଶର ସମ୍ବିଧାନର ପ୍ରାରମ୍ଭରେ ଉଲ୍ଲେଖ କରାଯାଇଛି। ବାଂଲାଦେଶର ସମ୍ବିଧାନର ଧାରା ୮ 'ଧର୍ମନିରପେକ୍ଷତା'କୁ ଆଇନର ମୌଳିକ ନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରେ। ବାଂଲାଦେଶ ସରକାରଙ୍କ 'ସଂଘୀୟ ତଥା ସଂସଦୀୟ ବ୍ୟାପାର ବିଭାଗ' ୱେବସାଇଟରେ ଉପଲବ୍ଧ ବାଂଲାଦେଶ ସମ୍ବିଧାନର ପ୍ରସ୍ଥାବନା ଏବଂ ଧାରା ୮ ରେ ଦର୍ଶାଯାଇଛି ଯେ 'ଜାତୀୟତା, ସମାଜବାଦ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ରାଷ୍ଟ୍ର ନୀତିର ମୌଳିକ ନୀତି ହେବ । '
ବାଂଲାଦେଶରେ କେଉଁ ଧର୍ମରେ କେତେ ଜନସଂଖ୍ୟା?
୨୦୨୨ ଜନଗଣନା ଅନୁଯାୟୀ, ବାଂଲାଦେଶର ଜନସଂଖ୍ୟା ପ୍ରାୟ ୧୬.୫ କୋଟି। ଏଥିରେ ମୁସଲମାନ ଜନସଂଖ୍ୟା ପ୍ରାୟ ୯୧.୦୪ ପ୍ରତିଶତ, ହିନ୍ଦୁ ଜନସଂଖ୍ୟା ୭.୯୫ ପ୍ରତିଶତ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୧ ପ୍ରତିଶତ। ୨୦୧୧ ଜନଗଣନା ଆକଳନ ସହିତ ତୁଳନା କଲେ କେବଳ ମୁସଲମାନ ଜନସଂଖ୍ୟା ବୃଦ୍ଧି ପଞ୍ଜିକୃତ ହୋଇଥିବାବେଳେ ଅନ୍ୟ ସମସ୍ତ ଧର୍ମର ଜନସଂଖ୍ୟା ହ୍ରାସ ପାଇଛି।
କଣ କହିଲେ ଆଟର୍ଣ୍ଣି ଜେନେରାଲ?
ସମ୍ବିଧାନର ୧୫ ତମ ସଂଶୋଧନର ବୈଧତା ଉପରେ ଶୁଣାଣି ସମୟରେ ଏ.ଜି ଆସାଦୁଜ୍ଜମାନ ଯୁକ୍ତି କରିଛନ୍ତି ଯେ ଏହି ସଂଶୋଧନ ଗଣତନ୍ତ୍ରକୁ ସମର୍ଥନ କରିବା ଉଚିତ ନା କ୍ଷମତାବାଦୀକୁ... ସେ କହିଛନ୍ତି, 'ପୂର୍ବରୁ ଆଲ୍ଲାହାଙ୍କ ଉପରେ ନିରନ୍ତର ଭରସା ଏବଂ ବିଶ୍ୱାସ ରହିଥିଲା, ମୁଁ ଚାହେଁ ଯେ ଏହା ପୂର୍ବ ପରି ସମାନ ରହୁ।' ସେ ସମ୍ବିଧାନର ଧାରା ୨ (କ) ଏବଂ ୯କୁ ଦର୍ଶାଇ କହିଛନ୍ତି ଯେ, ରାଷ୍ଟ୍ର ସମସ୍ତ ଧର୍ମକୁ ପାଳନ କରିବା, ସମାନ ଅଧିକାର ଓ ସମାନତା ନିଶ୍ଚିତ କରିବା, ସେହିପରି ଧାରା ୯ 'ବଙ୍ଗାଳୀ ରାଷ୍ଟ୍ରବାଦ କଥା କହିଥାଏ, ଯାହାକି ବିରୋଧାଭାଷୀ ଅଟେ।'