ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Bangladesh: ଶେଖ ହସିନା ଓ ତାଙ୍କ ପରିବାରର ଜାତୀୟ ପରିଚୟ ପତ୍ର ଲକ୍‌ କଲା ବାଂଲାଦେଶ ନିର୍ବାଚନ ଆୟୋଗ...

Published By : Bijay Swain | April 22, 2025 12:22 AM

Image courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶର ନିର୍ବାଚନ ଆୟୋଗ (ଇସି) ଅଧୀନସ୍ଥ ଜାତୀୟ ପରିଚୟ ନିବନ୍ଧନ ବିଭାଗ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ପରିବାରର ୯ ଜଣ ସଦସ୍ୟଙ୍କ ଜାତୀୟ ପରିଚୟ ପତ୍ର (ଏନଆଇଡି) ଲକ୍‌ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଏକ ଆଭ୍ୟନ୍ତରୀଣ ନିର୍ଦେଶନାମା ଅନୁସାରେ କରାଯାଇଛି। 

ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ, ସାଧାରଣତଃ କୌଣସି ବ୍ୟକ୍ତି ମିଥ୍ୟା ତଥ୍ୟ ସହ ଭୋଟର ଭାବେ ନିବନ୍ଧନ କଲେ କିମ୍ବା ଏନଆଇଡି ଧାରକଙ୍କ ବିରୁଦ୍ଧରେ କୌଣସି ତଦନ୍ତ ଚାଲିଥିଲେ ଏନଆଇଡି ଲକ୍‌ କରାଯାଏ। ଏହି ୧୦ ଜଣଙ୍କ ଏନଆଇଡି ଲକ୍‌ କରିବାର ନିଷ୍ପତ୍ତି ଜାତୀୟ ପରିଚୟ ନିବନ୍ଧନ ବିଭାଗର ନିର୍ଦେଶକ ଜେନେରାଲ ଏଏସଏମ ହୁମାୟୁନ କବୀରଙ୍କ ମୌଖିକ ନିର୍ଦେଶ ଆଧାରରେ ନିଆଯାଇଛି ବୋଲି ବାଂଲାଦେଶୀ ଗଣମାଧ୍ୟମ ୟୁଏନବି ରିପୋର୍ଟ କରିଛି। ତେବେ, ନିର୍ବାଚନ ଆୟୋଗ ସଚିବାଳୟରୁ ଏକ ସିଧାସଳଖ ଆଦେଶ ଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ଲକ୍‌ କରାଯାଇଥିବା ଏନଆଇଡି ମଧ୍ୟରେ ଶେଖ ହସିନାଙ୍କ ସମେତ ତାଙ୍କ ପୁତ୍ର ସାଜୀବ ୱାଜେଦ, ଝିଅ ସାଇମା ୱାଜେଦ, ଭଉଣୀ ଶେଖ ରେହାନା ସିଦ୍ଦିକ, ତୁଲିପ ରିଜୱାନା ସିଦ୍ଦିକ, ଆଜମିନା ସିଦ୍ଦିକ, ଶାହୀନ ସିଦ୍ଦିକ, ବୁଶରା ସିଦ୍ଦିକ, ରାଦୱାନ ମୁଜିବ ସିଦ୍ଦିକ ଏବଂ ତାରିକ ଅହମ୍ମଦ ସିଦ୍ଦିକଙ୍କ ନାମ ରହିଛି। ଏହି ପଦକ୍ଷେପ ଯୋଗୁଁ ଏହି ବ୍ୟକ୍ତିମାନେ ଏନଆଇଡି ସମ୍ପର୍କିତ ତଥ୍ୟ ସଂଶୋଧନ, ଯାଞ୍ଚ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ। ଯାହା ସରକାରୀ ସେବା କିମ୍ବା ପରିଚୟ ଯାଞ୍ଚ ଆବଶ୍ୟକ କାର୍ଯ୍ୟରେ ପ୍ରଭାବ ପକାଇପାରେ। 

ଏହା ସହିତ, ବାଂଲାଦେଶକ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରକୁ ପତନ କରିବା ଷଡଯନ୍ତ୍ର ଅଭିଯୋଗରେ ଶେଖ ହସିନା ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ଇଣ୍ଟରପୋଲକୁ ‘ରେଡ ନୋଟିସ’ ଜାରି କରିବା ପାଇଁ ଅନୁରୋଧ କରାଯାଇଛି। ଏହି ‘ରେଡ ନୋଟିସ’ ଜାରି ହେଲେ ବିଶ୍ୱବ୍ୟାପୀ ଆଇନ ପ୍ରୟୋଗକାରୀ ସଂସ୍ଥାମାନେ ଅଭିଯୁକ୍ତମାନଙ୍କୁ ଖୋଜି ପ୍ରାଥମିକ ଭାବେ ଅଟକ ରଖି ପ୍ରତ୍ୟର୍ପଣ କିମ୍ବା ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ରହିଛି। 

ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଝିଅ ଶେଖ ହସିନା ୨୦୨୪ ଅଗଷ୍ଟ ୫ରେ ବାଂଲାଦେଶରେ ହୋଇଥିବା ଏକ ବିଶାଳ ଛାତ୍ର ଆନ୍ଦୋଳନ ପରେ ଦେଶ ଛାଡି ଭାରତକୁ ପଳାଇ ଆସିଥିଲେ। ଯାହାପରେ ତାଙ୍କ ଅୱାମୀ ଲିଗ ସରକାରର ୧୬ ବର୍ଷର ଶାସନର ଅବସାନ ଘଟିଥିଲା। ତାଙ୍କ ବିରୁଦ୍ଧରେ ବାଂଲାଦେଶରେ ବହୁ ଅଭିଯୋଗ ରହିଛି। ଯେଉଁଥିରେ ଗଣହତ୍ୟା, ମାନବାଧିକାର ଉଲ୍ଲଂଘନ ଏବଂ ଜବରଦସ୍ତି ନିରୁଦ୍ଦିଷ୍ଟ ଆଦି ଅଭିଯୋଗ ସାମିଲ ରହିଛି। 

ଏହି ଘଟଣା ବାଂଲାଦେଶର ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ୨୦୨୫ ଶେଷ କିମ୍ବା ୨୦୨୬ ଆରମ୍ଭରେ ଦେଶରେ ଆଗାମୀ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.