ନୂଆଦିଲ୍ଲୀ, ୧୯/୦୨ : ବାଂଲାଦେଶରେ ମାରି ଭାରତରେ ଲୁଚିଥିଲା ହତ୍ୟାକାରୀ। ଦିଲ୍ଲୀରୁ ଧରାପଡ଼ିଲା ବାଂଲା ହିନ୍ଦୁ ପୁଲିସ ଅଫିସରଙ୍କ ହତ୍ୟା ଅଭିଯୁକ୍ତ ଅହମ୍ମଦ ରଜା ହସନ ମେହଦି। ୟୁରୋପ ଫେରାର୍ ହେବା ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟରେ ମାଡ଼ି ବସିଲା ଇମିଗ୍ରେସନ ବିଭାଗ। ନ୍ୟାୟିକ ପ୍ରକ୍ରିୟା ପରେ ଅହମ୍ମଦକୁ ଏବେ ବାଂଲାଦେଶ ପଠାଯାଇଛି।
ସୂଚନା ଥାଉକି, ୨୦୨୪ରେ ବାଂଲାଦେଶରେ ହିଂସାକାଣ୍ଡ ସମୟରେ ପୁଲିସ ଅଧିକାରୀ ସନ୍ତୋଷ ଚୌଧୁରୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଥିଲା ଅହମ୍ମଦ ରଜା ହସନ ମେହଦି। ସେ ଥାନାରେ ବସି ହତ୍ୟାକାଣ୍ଡ ବେଳର ଭିଡିଓ ରେକର୍ଡିଂ କରି ହତ୍ୟା ପଛରେ ନିଜକୁ ଦାୟୀ କରିଥିଲା। ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।
୨୦୨୪ରେ ଅଗଷ୍ଟ ୫ରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ବାନିୟାଚଙ୍ଗ ଥାନାରେ ନିୟୋଜିତ ଥିବା ସବ-ଇନ୍ସପେକ୍ଟର ସନ୍ତୋଷ ଚୌଧୁରୀଙ୍କୁ ବିକ୍ଷୋଭକାରୀମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ଅହମ୍ମଦ ରଜା ହସନ ଥିଲା। ସେ ଥାନାରେ ବସି ହତ୍ୟା ବେଳର ଭିଡିଓ ରେକର୍ଡିଂ କରିବା ସହ ଏହି ଘଟଣା ପାଇଁ ନିକୁ ଦାୟୀ କରିଥିଲା। ଖାଲି ସେତିକି ନୁହେଁ ପୁଲିସ ଅଧିକାରୀଙ୍କ ଶବକୁ ଗଛରେ ଟାଙ୍ଗି ଦେଇଥିଲା। ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ୯ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବାନିୟାଚଙ୍ଗ ଅଞ୍ଚଳରେ ଅରାଜକତା ଖେଳି ଯାଇଥିଲା। ଏହି ହିଂସାକାଣ୍ଡ ପରେ ଲୁଟପାଟ୍ ଏବଂ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥିଲା। ବିଶେଷ କରି ହିନ୍ଦୁ ସମୁଦାୟକୁ ଟାର୍ଗେଟ୍ କରାଯାଉଥିଲା।
ଏହି ଖବରଟିକୁ ପଢନ୍ତୁ- ଆମେରିକା ସହିତ ଉତ୍ତେଜନା ଭିତରେ ଇରାନରେ ବିସ୍ଫୋରଣ, ତେହେରାନ ଆକାଶରେ ଛାଇଗଲା ଧୂଆଁର କଳା ବାଦଲ