ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଥରେ ବଢ଼ୁଛି ଉତ୍ତେଜନା । ମହମ୍ମଦ ୟୁନିସଙ୍କ ଅନ୍ତରୀଣ ସରକାରଙ୍କ ନୀତିକୁ ନେଇ ଦେଶରେ ପ୍ରଦର୍ଶନ । ସରକାରଙ୍କ ନିୟମ ବିରୋଧରେ ନାଗରିକ ପ୍ରଶାସନ ଓ ବ୍ୟବସାୟିକ କ୍ଷେତ୍ରରେ ବିରୋଧ ପ୍ରଦର୍ଶନ ହେଉଛି । ରାଜଧାନୀ ଢାକା ସହରରେ ଏହା ଭୀଷଣ ରୂପ ନେବ ବୋଲି ଆଶଙ୍କା କରାଯାଉଛି । 

ଏହା ମଧ୍ୟରେ ଏକ ପ୍ରମୁଖ ବ୍ୟବସାୟିକ ସମୁଦାୟର ନେତା ଶୌକତ ଅଜିଜ୍ ରସେଲ୍ କହିଛନ୍ତି, ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ବୁଦ୍ଧିଜୀବୀଙ୍କୁ ଯେଉଁ ଭଳି ହତ୍ୟା କରାଯାଉଥିଲା, ବର୍ତ୍ତମାନ ସମୟରେ ବ୍ୟବସାୟୀଙ୍କୁ ସେହିଭଳି ଭାବେ ହତ୍ୟା କରାଯାଉଛି । ଏହାଛଡ଼ା ଏଭଳି ସ୍ଥିତି ରହିଲେ ଦେଶରେ ଦୁର୍ଭିକ୍ଷ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି, କାରଣ ବାଂଲାଦେଶରେ ଏବେ ବେରୋଜଗାରୀ ବଢ଼ୁଛି । ବାଂଲାଦେଶ ଟେକ୍ସଟାଇଲ୍ ମିଲ୍ ଆସୋସିଏସନ (ବିଟିଏମଏ)ର ଅଧ୍ୟକ୍ଷ ରସେଲ୍ ସ୍ଥାନୀୟ ବ୍ୟବସାୟୀ ମଣ୍ଡଳକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଏଥିରେ କହିଛନ୍ତି, ଆମକୁ ଜଣାନାହିଁ, ‘ଇଦ୍-ଉଲ୍-ଜୁହା ପୂର୍ବରୁ କିପରି ଶ୍ରମିକଙ୍କୁ ବେତନ ଓ ବୋନସ୍ ଦେବୁ’ ।    

ଶୌକତ ଅଜିତ୍ ରସେଲ୍ ଆହୁରି ମଧ୍ୟ କହିଛନ୍ତି, ଅନ୍ତରୀଣ ସରକାର ନିବେଶକଙ୍କୁ କେବଳ ଦେଶ ବୁଲାଉଛନ୍ତି । ମାତ୍ର ବିଦେଶୀ ନିବେଶକ ଜାଣିଛନ୍ତି, ବର୍ତ୍ତମାନ ସମୟରେ ବାଂଲାଦେଶରେ ନିବେଶ ଠିକ୍ ନୁହେଁ । ବାଂଲାଦେଶ ଠାରୁ ଅଧିକ ଲାଭକାରୀ ହେବ ଭିଏତନାମ ।

ବାଂଲାଦେଶ ସଚିବାଳୟରେ ପ୍ରଦର୍ଶନ:

ଏହାରି ଭିତରେ, ସରକାରୀ କର୍ମଚାରୀମାନେ ଲଗାତାର ଦ୍ବିତୀୟ ଦିନରେ ସଚିବାଳୟ ଭିତରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ପ୍ରସ୍ତାବିତ ସରକାରୀ ସେବା ଅଧିନିୟମ, ୨୦୨୫ ବିରୋଧରେ କରାଉଛି । ଏହାକୁ ଫେରାଇ ନେବାକୁ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି । ସେମାନେ ଏହାକୁ କଳା ଆଇନ ବୋଲି କହିଛନ୍ତି । ଏହି ଆଇନ ଦ୍ବାରା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସୁବିଧା ହେବ । ତେଣୁ ଏହାକୁ ଅନ୍ତରୀଣ ସରକାର ଫେରାଇ ନେବାକୁ ଦାବି କରିଛନ୍ତି । 

ଦେଶରେ ଯୁଦ୍ଧ ସ୍ଥିତି:

ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ଶଫିକୁଲ୍ ଆଲାମ୍ ଏକ ବିବୃତ୍ତି ଜାରି କରି କହିଛନ୍ତି, ସେ କହିଛନ୍ତି, "ଦେଶ ଭିତରେ ଏବଂ ବାହାରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଅନ୍ତରୀଣ ସରକାର ଆଗକୁ ବଢ଼ିପାରୁନାହିଁ । ଦେଶରେ ସବୁକିଛି ଭୁଶୁଡ଼ି ପଡ଼ିଛି ଓ ଆମକୁ ପୁଣି ଦାସତ୍ୱ ଆଡ଼କୁ ଠେଲି ଦିଆଯାଇଛି।"

ସେପଟେ ଗୁରୁବାର ମହମ୍ମଦ ୟୁନୁସ୍ କିଛି ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିରାଶା ପ୍ରକାଶ କରି ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିବା ରିପୋର୍ଟ ଆସିବା ପରେ ଏହି ଆଲୋଚନା ହୋଇଥିଲା। ଶନିବାର ଦିନ ବିଏନପି, ଜମାତ-ଏ-ଇସଲାମି ଏବଂ ନ୍ୟାସନାଲ ସିଟିଜେନ ପାର୍ଟିର ନେତାମାନେ ୟୁନୁସଙ୍କୁ ପୃଥକ ଭାବରେ ଭେଟିଥିଲେ ।