ନୂଆଦିଲ୍ଲୀ,୧୬।୬: ବାଂଲାଦେଶର ଶେଖ ହାସିନା ସରକାର ଯିବା ପରେ କ୍ଷମତାକୁ ଆସିଛନ୍ତି ତାରିକ୍ ରହମାନ ସରକାର। ସେ ୨.୧ କିଲୋମିଟର ଲମ୍ବା ‘ପଦ୍ମା ବ୍ୟାରେଜ୍’ ତିଆରି କରିବାର ଘୋଷଣା କରିଛନ୍ତି। ବାଂଲାଦେଶରେ ଗଙ୍ଗା ନଦୀକୁ ପଦ୍ମା କୁହାଯାଏ। ବାଂଲାଦେଶର ଏହି ନୂଆ ‘ପଦ୍ମା ବ୍ୟାରେଜ୍’ ପଶ୍ଚିମବଙ୍ଗର ଫରକ୍କା ବ୍ୟାରେଜ୍ଠାରୁ ୧୮୦ କିଲୋମିଟରର ଦୂରରେ ରହିଛି। ବାଂଲାଦେଶର ଅଭିଯୋଗ ହେଉଛି ଯେ, ଏହି ଫରକା ବ୍ୟାରେଜ୍ କାରଣରୁ ତା’ର ପାଣିର ଅଭାବ ଦେଖିବକାୁ ମିଳିଛି। ଫରକ୍କା ଭାରତର ସବୁଠାରୁ ବିଶାଳ ନଦୀ ବନ୍ଧ ମଧ୍ୟରୁ ଅନ୍ୟତମ, ଯେଉଁଥିରୁ ଏକ ନାଳ ବାହାରିଛି। ଏହି ଗଙ୍ଗାର ପାଣିକୁ ଭାଗରଥୀ-ହୁଗୁଳି ନଦୀକୁ ପଠାଇବାକୁ ତିଆରି କରାଯାଇଛି, ଯାହାଫଳରେ କୋଲକାତା ବନ୍ଦରକୁ ସଫା ରଖିହେବ। ନୂଆ ‘ପଦ୍ମା ବ୍ୟାରେଜ୍’ରେ ୨,୯୦୦ ମିଲିୟନ କ୍ୟୁବିକ୍ ପାଣି ରଖିବାର କ୍ଷମତା ରହିବ। ଦାବି କରାଯାଉଛି ଯେ, ଏହା ଦକ୍ଷିଣ ପଶ୍ଚିମ ଓ ଉତ୍ତର ବାଂଲାଦେଶର ୬.୫ କୋଟି ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ।
ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ବିଶାଳ ବନ୍ଧ ନିର୍ମାଣ ପାଇଁ ବାଂଲାଦେଶ ସରକାର ଆଗାମୀ ସାତ ବର୍ଷ ମଧ୍ୟରେ ୩୯,୧୭୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୧୯୯୬ ଗଙ୍ଗା ଜଳ ଚୁକ୍ତିନାମା ଅନୁଯାୟୀ, ଫରକ୍କା ବନ୍ଧରୁ ଅଧା ଜଳ ବାଂଲାଦେଶକୁ ଯିବ ଯେତେବେଳେ ଜଳ ପ୍ରବାହ ୭୦ ହଜାର କ୍ୟୁସେକ୍ ହେବ। ମାର୍ଚ୍ଚ ଏବଂ ମେ ମଧ୍ୟରେ ସୁଖିଲା ଥିବାରୁ, ପ୍ରତ୍ୟେକ ଦେଶ ପ୍ରତି ୧୦ ଦିନରେ ଅତି କମରେ ୩୫୦୦୦ କ୍ୟୁସେକ୍ ପାଣି ପାଇବେ। ଏହି ଚୁକ୍ତିନାମା ବର୍ତ୍ତମାନ ଡିସେମ୍ବର ୨୦୨୬ ରେ ଶେଷ ହେବାକୁ ଯାଉଛି। ଭାରତ ଏବଂ ବାଂଲାଦେଶ ଉଭୟ ଏହାକୁ ବୃଦ୍ଧି କରିବାକୁ ଆଲୋଚନା କରିଛନ୍ତି।
ଭାରତ ଓ ବାଂଲାଦେଶ ମଧ୍ୟରେ ତିସ୍ତା ନଦୀକୁ ନେଇ ବିବାଦ
ସେଭଳି ବାଂଲାଦେଶ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଭାରତର ଫରକ୍କା ନଦୀ ବନ୍ଧ ତାଙ୍କ ଦେଶରେ ପାଣି ସମସ୍ୟା ପାଇଁ ଦାୟୀ। ଏହି ବିବାଦ କାରଣରୁ ଭାରତ ଓ ବାଂଲାଦେଶ ଭିତରେ ତିସ୍ତା ସହିତ ବହୁ ନଦୀ ପାଣି ବଣ୍ଟନ ନେଇ ଚୁକ୍ତି ସାକ୍ଷର ହୋଇପାରିନି। ବିଶେଷଜ୍ଞଙ୍କ ମତରେ ସୀମା ପାର ପାଣି ସମ୍ପର୍କୀତ ସବୁ ପ୍ରସଙ୍ଗ ପାଣିର ସମୟ ସମୟରେ ପ୍ରବାହର ଅଭାବ ନେଇ ରହିଛି। ବାଂଲାଦେଶ ଏହି ନୂଆ ବ୍ୟାରେଜ୍ ଜରିଆରେ ନିଜର ଜଳ ସମ୍ବଳ ଉପରେ କିଛି ଦୂର ପର୍ଯ୍ୟନ୍ତ ନିୟନ୍ତ୍ରଣ ପାଇବାର ମାଧ୍ୟମ ହେବ। ତେବେ ଏଥିପାଇଁ ବାଂଲାଦେଶକୁ ଏହାର ପରିଣାମ ଭୋଗିବାକୁ ହେବ। ବାଂଲାଦେଶ ପୂର୍ବରୁ ହିଁ ମରୁଡି ଦେଇ ଗତି କରୁଛି।
ବାଂଲାଦେଶରେ ଫରକ୍କା ବ୍ୟାରେଜ୍ର କ’ଣ ରହିଛି ପ୍ରଭାବ ?
ଭାରତୀୟ ଫରକ୍କା ବନ୍ଧ ଦ୍ବାରା ବାଂଲାଦୋ ଉପରେ ଖରାପ ପ୍ରଭାବ ପଡୁଛି। ଗଙ୍ଗା ପାଣିକୁ ମୋଡି ଦିଆଯାଇଛି, ଯାହାଫଳରେ ବାଂଲାଦେଶରେ ଏହି ପଦୀର ସ୍ବରୂପ ଓ ଇକୋଲୋଜି ବଦଳି ଯାଇଛି। ତାହା ପୁଣି ଯେତେବେଳେ ବାଂଲାଦେଶର ଏକ ତୃତୀୟାଶଂ ଗଙ୍ଗା ବେସିନ୍ ଉପରେ ନିର୍ଭର କରେ। ଫରକ୍କା ବନ୍ଧ କାରଣରୁ ବାଂଲାଦେଶର ବହୁ ନଦୀ ସୁଖି ଯାଇଛି। ଏହାଦ୍ବାରା ବାଂଲାଦେଶର ବହୁ ଅଞ୍ଚଳରେ ଭୂତଳ ଜଳ ସ୍ତର ଖୁବ୍ ହ୍ରାସ ପାଇଛି। ସେଭଳି ସୁନ୍ଦରବନରେ ପାଣି ଯିବା ଆସିବା ମଧ୍ୟ କମ୍ ହୋଇଯାଇଛି। ବିଶେଷଜ୍ଞଙ୍କ ମତରେ ଯଦି ସମୁଦ୍ରର ଜଳସ୍ତର ବଢେ ତେବେ ବାଂଲାଦେଶର ୧୭% ଅଞ୍ଚଳ ବୁଡିଯିବ। ଏହାଦ୍ବାରା ୨ କୋଟି ଲୋକ ଶରଣାର୍ଥୀ ହୋଇଯିବ। ଏଭଳି ୧୫୦ ବର୍ଷରେ ହୋଇପାରେ।
ବାଂଲାଦେଶ ସରକାରୀ ଅଧିକାରୀମାନେ ଦାବି କରୁଛନ୍ତି ଯେ ସେମାନେ ନିଜେ ‘ପଦ୍ମା ବ୍ୟାରେଜ’ ନିର୍ମାଣ କରିବେ, କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଢାକା ପାଖରେ ଇଞ୍ଜିନିୟରିଂ ସମ୍ବଳ କିମ୍ବା ଅର୍ଥର ଅଭାବ ଅଛି। ତେଣୁ, ବାଂଲାଦେଶ ଏହାର ନିର୍ମାଣରେ ଚୀନର ସହାୟତା ଲୋଡ଼ିପାରେ। ଚୀନ୍ ପୂର୍ବରୁ ଏହି ଅଞ୍ଚଳରେ ଅନେକ ଭିତ୍ତିଭୂମି ପ୍ରକଳ୍ପରେ ସାମିଲ ଅଛି। ଭାରତର ଚିକେନ୍ ନେକ୍ ଭାବରେ ଜଣାଶୁଣା ସିଲିଗୁଡ଼ି କରିଡର ଏବଂ ଉତ୍ତର-ପୂର୍ବ ସହିତ ଚୀନ୍ର ନିକଟତା ଭାରତର ସନ୍ଦେହକୁ ବୃଦ୍ଧି କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ତାରିକ ରହମାନ ପ୍ରଶାସନ ଭାରତକୁ ଅସହଜ କରିବାକୁ ଚେଷ୍ଟା କରୁଛି।
ଦକ୍ଷିଣ ଏସିଆର ପାଣି ଉପରେ ଡ୍ରାଗନ୍ ଚାହୁଁଛି ନିୟନ୍ତ୍ରଣ
୨୦୧୬ ମସିହାରେ ବାଂଲାଦେଶ ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ ବାଂଲାଦେଶ ଏବଂ ଚୀନ୍ ଗୋଟିଏ ନଦୀରୁ ପାଣି ପାଆନ୍ତି। ଚୀନ୍ ଦକ୍ଷିଣ ଏସିଆରେ ପାଣିର ମ୍ୟାନେଜର ହେବାକୁ ଚାହେଁ। ଏଥିପାଇଁ ଦକ୍ଷିଣ ପୂର୍ବ ଏସିଆରେ ମେକଙ୍ଗ୍ ନଦୀକୁ ନିୟନ୍ତ୍ରଣ କରି ଏହା ହାସଲ କରିଛି। ଚୀନର ଏହି ବଡ଼ ଖେଳରେ ଫସିଯାଇଛି ଭାରତ। ଏହି ସମୟରେ, ବାଂଲାଦେଶ କହିଛି ଯେ ଭାରତ ସହିତ ତା’ର ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ। ଚୀନ୍ ପୂର୍ବରୁ ବ୍ରହ୍ମପୁତ୍ର ଉପରେ ବିଶ୍ୱର ସର୍ବବୃହତ ନଦୀବନ୍ଧ ନିର୍ମାଣ କରୁଛି, ଯାହା ବାଂଲାଦେଶକୁ ପ୍ରଭାବିତ କରିବ। ତାରିକ୍ ରହମାନ ଚୀନ୍ ଯାଉଛନ୍ତି, କୁହାଯାଉଛି ଯେ, ତିସ୍ତା ସହିତ ଏହି ବନ୍ଧ ଉପରେ ଚର୍ଚ୍ଚା କରିପାରନ୍ତି।