ନୂଆଦିଲ୍ଲୀ : ଭାରତରେ ଶରଣାର୍ଥୀ ହୋଇ ରହିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନେଇ ବାଂଲାଦେଶ ପକ୍ଷରୁ ଲଗାତାର ଚାଲିଛି ବୟାନବାଜି। ବାଂଲାଦେଶର ଅନ୍ତରୀଣ ସରକାରରେ ଆଇନ୍ ମନ୍ତ୍ରୀ ଆସିଫ୍ ନଜରୁଲ ଶୁକ୍ରବାର କହିଛନ୍ତି ଯେ, ଯଦି ଭାରତ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ନେଇ ମନା କରେ ତ ଏହାର କଡ଼ା ବିରୋଧ କରାଯିବ।
ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନଲ ଗୁରୁବାର ଶେଖ ହସିନାଙ୍କ ବିରୋଧରେ ମାନବାଧିକାର ଗୁଡ଼ିକର ଉଲ୍ଲଙ୍ଘନ ମାମଲାରେ ଗିରଫଦାରୀ ୱାରେଣ୍ଟି ଜାରି କରିଥିଲେ। କୋର୍ଟ ଆଦେଶ ଜାରି କରି କହି ଥିଲେ ଯେ, ଶେଖ ହସିନାଙ୍କୁ ୧୮ ନଭେମ୍ୱର ସୁଦ୍ଧା ତାଙ୍କର ସମ୍ମୁଖରେ ହାଜର କରାଯାଉ। ଏହା ପରେ ଆଇନ ମନ୍ତ୍ରୀଙ୍କ ପକ୍ଷରୁ ଏହି ଟିପ୍ପଣୀ କରାଯାଇ ଥିଲା।
ବାଂଲାଦେଶୀ ନ୍ୟୁଜ୍ ଚ୍ୟାନେଲ ସହ କଥା ହୋଇ ନଜରୁଲ କହିଛନ୍ତି ଯେ, ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆମ ପାଖରେ ଅନେକ ଆଇନ ବ୍ୟବସ୍ଥା ଅଛି। ଭାରତ ଓ ବାଂଲାଦେଶ ମଧ୍ୟରେ ପୂର୍ବରୁ ହିଁ ପ୍ରତ୍ୟର୍ପଣ ସନ୍ଧି ରହିଛି। ହେଲେ ଭାରତ ଅନ୍ୟ ନିୟମ ଗୁଡ଼ିକୁ ଦର୍ଶାଇ ମନା କରି ପାରେ। କିନ୍ତୁ ଯଦି ସଚ୍ଚୋଟତାର ସହ ଦେଖିବା ଓ ଆଇନ୍ ଅନୁସାରେ ସବୁ ଚାଲେ,ତ ଭାରତ ଶେଖ ହସିନାଙ୍କର ପ୍ରତ୍ୟର୍ପଣ କରିବାକୁ ବାଧ୍ୟ।
ଶେଖ୍ ହସିନାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହେବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛି କି, ସେ ସୁରକ୍ଷା ଦୃଷ୍ଟିରୁ ଏଠାରେ ରହିଛନ୍ତି। ୫ ଅଗଷ୍ଟରେ ଶେଖ ହସିନା ନିଜର ସାନ ଭଉଣୀ ସହ ଭାରତରେ ପହଞ୍ଚି ଥିଲେ ଏବଂ ସେବେଠାରୁ ସେ ଏଠାରେ କୌଣସି ଅଜଣା ସ୍ଥାନରେ ରହିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ପକ୍ଷରୁ ତାଙ୍କର ଡିପ୍ଲୋମେଟିକ୍ ପାସପୋର୍ଟକୁ ରଦ୍ଦ କରି ଦିଆ ଯାଇଛି।