ଢାକା,୨୭।୧୨: ବାଂଲଦେଶର ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି। ଛାତ୍ର ନେତା ଉସ୍ମାନ ହାଦିଙ୍କ ହତ୍ୟା ପରେ ତାଙ୍କ ଭାଇ ଶରିଫ୍ ଓମାର ବିନ୍ ହାଦି ମଇଦାନକୁ ଓହ୍ଲାଇଛନ୍ତି। ଓମାର କହିଛନ୍ତି, ସରକାର ଯେଉଁ ଭାବରେ ଯାଞ୍ଚ ଓ କାମ କରୁଛନ୍ତି, ଏହାଦ୍ବାର ସ୍ପଷ୍ଟ ଯେ ତାଙ୍କୁ ନ୍ୟାୟ ମିଳିବାରେ କୌଣସି ଇଛା ନାହିଁ। ସିଧା ୟୁନୁସଙ୍କୁ ଟାର୍ଗେଟ କରି ଓମାର କହିଛନ୍ତି, ଯଦି ସରକାର ନମାନ୍ତି ଓ ଦରକାର ନପଡେ ତେବେ ସେ କ୍ୟାଣ୍ଟନମେଣ୍ଟ ଓ ଜମୁନା (ୟୁନୁସଙ୍କ ବାସଭବନ)ଙ୍କୁ ଘେରାଉ କରିବେ।

ଉସ୍ମାନ ହାଦିଙ୍କ ହତ୍ୟା ବିରୋଧରେ ଜାରି ପ୍ରଦର୍ଶନକୁ ସମ୍ବୋଧିତ କରି ଓମାର କହିଛନ୍ତି, ଉସ୍ମାନ ହାଦିଙ୍କ ନ୍ୟାୟର ଦାବି ଏବେ ବାଂଲାଦେଶର ୧୮ କୋଟି ଲୋକଙ୍କ ଦାବି ପାଲଟି ଯାଇଛି। ସରକାରଙ୍କ ସ୍ଥିତି ଦେଖି ସ୍ପଷ୍ଟ ହୋଇଛି ଯେ,ସେ ନ୍ୟାୟ ଦେବାକୁ ଚାହାଁନ୍ତି ନାହିଁ। ଆମେ ସଡକକୁ ଓହ୍ଲାଇ ସାରିଛୁ ଓ ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି,  ଘରକୁ ଫେରିବୁନି।ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଦେଶର ସ୍ଥିତି ଆହୁରି ଅଧିକ ବିଗିଡିପାରେ। ଜମୁନାକୁ ଘେରାଉ କରିବାକୁ ଆମକୁ ବାଧ୍ୟ କରାନଯାଉ।’

ଏହା ପୂର୍ବରୁ ମଧ୍ୟ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ ଉପରେ ଓମାର ଗମ୍ଭୀର ଅଭିଯୋଗ କରିଥିଲେ। ସେ କହିଥିଲେ, ଆଗାମୀ ବାଂଲାଦେଶ ନିର୍ବାଚନକୁ ରଦ୍ଦ କରିବା ପାଇଁ ହାଦିଙ୍କୁ ହତ୍ୟା କରାଯାଇଛି। ଓମାର ରାଜନୈତିକ ନେତା ଓ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ ଦେଇ କହିଛନ୍ତି ପରିବାରକୁ ନ୍ୟାୟ ନମିଳିବା ସବୁଠାରୁ ବଡ଼ ବିଫଳତା। ସେ ଚେତାବନୀ ଦେଇଛନ୍ତି, ଯଦି କ୍ଷମତାରେ ଥିବା ଲୋକ ନ୍ୟାୟ ନଦିଅନ୍ତି ତେବେ ତାଙ୍କୁ କ୍ଷମତାକୁ ଛାଡିଦେବା ଦରକାର। ଓମାର ନିଜ ଭାଇର ହତ୍ୟା ପାଇଁ କ୍ଷମତାରେ ଥିବା ଲୋକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଆପଣ ଉସ୍ମାନ ହାଦିଙ୍କୁ ମାରିଛନ୍ତି ଓ ଏବେ ତାକୁ ଦେଖି ନିର୍ବାଚନ ରଦ୍ଦ କରିବାକୁ ଚାହାନ୍ତି। ଯଦି ହାଦିକୁ ନ୍ୟାୟ ନମିଳେ, ତେବେ ଆପଣଙ୍କୁ ଏହି ଦେଶ ଛାଡିବାକୁ ହେବ।

ଉଲ୍ଲେଖନୀୟ ଯେ, ୩୨ ବର୍ଷୀୟ ଛାତ୍ର ନେତା ଶରିଫ୍ ଉସ୍ମାନ ହାଦି ଶେଖ୍ ହାସିନାଙ୍କୁ କ୍ଷମତା ଛାଡିବାକୁ ବାଧ୍ୟ କରିବାକୁ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉସ୍ମାନ୍ ନିଜର ଭାରତ ବିରୋଧି ଆଭିମୁଖ୍ୟ ପାଇଁ ପରିଚିତ। ଆଗାମୀ ନିର୍ବାଚନରେ ସେ ମୈଦାନରେ ଥିଲେ। ପ୍ରଚାର ଅଭିଯାନ ବେଳେ ତାଙ୍କୁ ୧୨ ଡିସେମ୍ବରରେ ଗୁଳି ମାଡ଼ କରାଯାଇଥିଲା। ଚିକିତ୍ସା ବେଳେ ୧୮ ଡିସେମ୍ବରରେ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା। ଏହାପରେ ବାଂଲାଦେଶରେ ପୁଣିଥରେ ହିଂସା ଆରମ୍ଭ ହୋଇଛି।

ଆହୁରି ପଢନ୍ତୁ :ପାକିସ୍ତାନର ୫ ହଜାର ଡାକ୍ତର ଓ ୧୧ ହଜାର ଇଞ୍ଜିନିୟର ଦେଶ ଛାଡିସାରିଲେଣି, ମୁନୀର କହିଲେ ‘ବ୍ରେନ୍ ଗେମ୍’,