ଜଗତସିଂହପୁର,୧୭/୧୧: ଜଗତସିଂହପୁର ସହର ଉପକଣ୍ଠ ତରିକୁନ୍ଦ ବେରାହିମ୍ପୁରରେ ପୁଲିସ ହାତରେ ଲାଗିଛି ଦେଶୀ ପିସ୍ତଲ ସହ ବିପୁଳ ପରିମାଣର ମାରଣାସ୍ତ୍ର । ଚଢ଼ଉ ବେଳେ ବି ପୁଲିସକୁ ଆକ୍ରମଣ କରାଯାଇଛି । ଏଥିରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି । ସେଠାରେ ସନ୍ଦିଗ୍ଧ ବାଂଲାଦେଶୀମାନେ ଆଡ୍ଡା ଜମାଇଥିବା ଖବର ପାଇ ପୁଲିସ ଟିମ୍ ରବିବାର ସନ୍ଧ୍ୟାରେ ଅତର୍କିତ ଚଢ଼ଉ କରିଥିଲେ । ତେବେ ପୁଲିସକୁ ଆକ୍ରମଣ କରି ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଫେରାର୍ ହୋଇଯାଇଥିଲା । ତଥାପି ପୁଲିସ ଦୁଇ ଜଣ ସନ୍ଦିଗ୍ଦ ବାଂଲାଦେଶୀ ମହିଳାଙ୍କୁ କାବୁ କରିଥିବା ଜଗତସିଂହପୁର ଏସ୍ଡିପିଓ ଆଜିଙ୍କ୍ୟ ବାବୁରାଓ ମାଣେ ସୂଚନା ଦେଇଛନ୍ତି ।
ପୁଲିସ ଉପରୋକ୍ତ ଦୁଇ ମହିଳାଙ୍କ ସମେତ ଆଉ ଜଣେ ଯୁବକଙ୍କୁ ହେପାଜତ୍କୁ ନେଇଛି । ଦୁଇ ମହିଳା ମୁଖ୍ୟ ଅଭିଯୁକ୍ତ ସିକନ୍ଦରଙ୍କ ଭଉଣୀ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଭାଇ ବୋଲି କୁହାଯାଉଛି । ଏପଟେ ସିକନ୍ଦରଙ୍କ ଆଉ ଜଣେ ଭଉଣୀ ଉଭାନ ହୋଇ ଯାଇଥିବା ଆଲୋଚନା ପରିଧିକୁ ଆସିଛି । ବେରାହିମ୍ପୁରରେ ଥିବା ୯/୧୦ ବଖରା ଘରେ ଏକକାଳୀନ ପୁଲିସ ଟିମ୍ ଚଢଉ କରିଥିଲେ । ସେତେବେଳେ ଏସବୁ ଘର ତାଲା ପଡ଼ିଥିଲା । ତାଲା ଭାଙ୍ଗି ତନଖି ପରେ ଘର ଭିତରୁ ବନ୍ଧୁକ, କଟୁରି, ଶାବଳ, ଫାର୍ସା ଖଣ୍ଡା, ଦାଆ ଆଦି ମିଳିଥିଲା । ଏଣେ କିନ୍ତୁ ଉକ୍ତ ଘରଗୁଡ଼ିକ ପୁରୁଷ ଶୂନ୍ୟ ହୋଇପଡ଼ିଥିଲା । ଅର୍ଥାତ ପୁଲିସ ଚଢ଼ଉର ସୁରାକ ପାଇ ଅନେକ ବାଂଲାଦେଶୀ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି ।
ଏପଟେ ଚଢ଼ଉ ହୋଇଥିବା ଏକ ପ୍ରକୋଷ୍ଠରେ ଜଣେ ଯୁବକଙ୍କ ସନ୍ଧାନ ମିଳିଥିଲା । ସଂପୃକ୍ତ ଯୁବକ କୋଲକାତା ମୁର୍ଶିଦାବାଦର ବାସିନ୍ଦା ଏବଂ ସେଣ୍ଟ୍ରିଂ ବ୍ୟବସାୟ କରୁଥିବା କଥା ଗଣମାଧ୍ୟମକୁ କହିଥିଲେ । ନାଜିର ଖାନ୍ ନାମକ ଯୁବକଙ୍କ ସହାୟତାରେ ସେ ଏଠାରେ ଘର ଭଡ଼ା ପାଇଥିବା ଜଣାଇଥିଲେ । ଗତ ୧୦ ତାରିଖରେ ସେ ପତ୍ନୀଙ୍କ ସହ ଏଠାକୁ ଆସିଥିଲେ । କିଛି ବର୍ଷ ହେବ ସେ ଓଡ଼ିଶାକୁ ଆସି ସେଣ୍ଟ୍ରିଂ କାମ କରୁଥିଲେ । ପୂର୍ବରୁ ବି ଜଗତସିଂହପୁର କଲେଜ ଛକ, କାଳିଆବୋରା, ସିପି ଛକ ଆଦିରେ ଘରର ସେଣ୍ଟ୍ରିଂ କାମ କରିଥିଲେ । ରବିବାର ମଧ୍ୟ ଜୟପୁର କାମ କରିବାକୁ ଯାଇଥିଲେ । ଏଠାରେ ଘର ଭଡ଼ା ନେବା ପୂର୍ବରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର ମୋବାଇଲ ଫୋନ୍ରେ ଘର ମାଲିକଙ୍କ ନିକଟକୁ ପଠାଇଥିଲେ । ଅଗ୍ରୀମ ଆକାରରେ କିଛି ଟଙ୍କା ବି ଦେଇଥିବା କହିଥିଲେ । ଅନ୍ୟପଟେ ଦେଖିଲେ ଉକ୍ତ ୯/୧୦ ବଖରା ଘର ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା କୁହାଯାଉଛି । ଚଢ଼ଉ ବେଳେ ସେଇ ଘରର ଏକ ପ୍ରକୋଷ୍ଠରେ ଆଉ ଏକ ପରିବାର ରହୁଥିବା ଜଣାପଡ଼ିଛି ।
ପୁଲିସ ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେରାହିମପୁରର ଏହି ଘରେ ରହି ସନ୍ଦେହଜନକ କାରବାରରେ ଲିପ୍ତ ଥିବା ଖବର ମିଳିଥିଲା । ତନଖି କରିବା ସମୟରେ ପୁଲିସ ଟିମକୁ ବିରୋଧ ସହ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ଯେତିକି ବନ୍ଧୁକ, ମାରଣାସ୍ତ୍ର ମିଳିଛି ତାହା କେଉଁ ସୂତ୍ରରୁ ଏବଂ କ’ଣ ପାଇଁ ଗଚ୍ଛିତ ରଖାଯାଇଥିଲା ସେ ଦିଗରେ ତଦନ୍ତ ଜାରି ରଖାଯାଇଛି । ସିକନ୍ଦର ଆଲାମ୍ ପୁଲିସ ପଞ୍ଝାକୁ ଆସିବା ପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ହସ୍ତଗତ ହୋଇପାରିବ । ପୂରା ପ୍ରସ୍ତୁତ ହୋଇ ପୁଲିସ ସେଠାକୁ ଚଢ଼ଉ କରିବାକୁ ଯାଇଥିଲେ । ଘଟଣାସ୍ଥଳରେ ୨/୩ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାଶ ଓ ଅନ୍ୟ ବହୁ ପୁଲିସ ଅଫିସର ତନାଘନା ଚଳାଇଥିବା ଲକ୍ଷ୍ୟ କରାଯାଇଛି । ତଥାପି ଏହି ଲମ୍ବା ଦାଣ୍ଡି ବିଶିଷ୍ଟ ୯/୧୦ ବଖରା ଘର ପୁରୁଷଶୂନ୍ୟ ହୋଇଯିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ନିଜେ ସିକନ୍ଦର ଆଲାମ ମଧ୍ୟ ଏଠାରେ ରହୁଥିଲା । ହେଲେ ସେ ବି ପୁଲିସ ଆଖିରେ ଧୂଳିଦେଇ ଛୁ ମାରିଛି । ସିକନ୍ଦର ହିଁ ବାଂଲାଦେଶୀଙ୍କୁ ଏଠାକୁ ଆଣି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଯୋଗାଇ ଦେଉଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଇଛି ।
ନିକଟରେ ଏହି ଅଞ୍ଚଳରୁ ବେଆଇନ ମଦ୍ରାସାର ସନ୍ଧାନ ମିଳିଥିଲା । ସେତେବେଳେ ବିହାରର କିଛି ନାବାଳକଙ୍କୁ ଉକ୍ତ ମଦ୍ରାସାରୁ ଉଦ୍ଧାର କରାଯାଇ ଜଗତସିଂହପୁର ଶିଶୁ ଆଶ୍ରମରେ ଥଇଥାନ କରାଯାଇଥିଲା । ବେଆଇନ ମଦ୍ରାସା ସମ୍ବନ୍ଧରେ ପ୍ରଥମେ ଏସ୍ପି ଅଙ୍କିତ କୁମାର ବର୍ମାଙ୍କୁ ସୁରାକ ମିଳିଥିଲା । ଏସ୍ପି ଏ ସମ୍ବନ୍ଧରେ ସିଡବ୍ଲୁସିକୁ ଅବଗତ କରିଥିଲେ । ପରେ ପରେ ସିଡବ୍ଲୁସି ଓ ପୁଲିସ ସହାୟତାରେ ଉକ୍ତ ମଦ୍ରାସାରେ ଚଢ଼ଉ କରାଯାଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଅର୍ଥାତ ତରିକୁନ୍ଦର ଆଖପାଖ ଅଞ୍ଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ଲୋକଙ୍କ ଆଡ୍ଡା ଜମିଥିବା ସନ୍ଦେହ ଦୃଢ଼ିଭୂତ ହୋଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ବେରାହିମ୍ପୁର ତଥା ଅଙ୍କିରାର ଆଉ କିଛି ଘରକୁ ପୁଲିସ ଖାନ୍ତଲାସ ଚଳାଇଛି । କେତେକ ଘର ତାଲା ପଡ଼ିଥିବାରୁ ଭଙ୍ଗା ଯାଉଛି । ମାଛଗାଁ କେନାଲ ପାଶ୍ୱର୍ ତଥା ଧନିପୁର ଲକ୍ ନିକଟରେ ଏସବୁ ଆଜବେଷ୍ଟସ୍ ଘର ନିର୍ମାଣ ହୋଇଛି । ଜନବସତିଠାରୁ କିଛି ଦୂରରେ ଏହି ଘର ତିଆରି କରାଯାଇଛି । ଏଣୁ ଏଠାରେ ହିଁ ବେଶ ଆରାମରେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଆଶ୍ରୟ ଦିଆଯାଉଥିବା ଅନୁମାନ । ୪/୫ ବର୍ଷ ତଳୁ ଏସବୁ ଘର ବେନିୟମ ଭାବେ ସରକାରୀ ଜାଗାରେ ନିର୍ମାଣ କରାଯାଇଥିବା ସ୍ଥାନୀୟ କିଛି ବାସିନ୍ଦା ପ୍ରକାଶ କରିଛନ୍ତି ।