ଭୁବନେଶ୍ୱର, ୧୮/୦୩:  ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ  ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ  ଚଳିତ ମାସ ୨୪ ଓ ୨୫ରେ ୨  ଦିନିଆ ଧର୍ମଘଟ ଡାକରା ଦିଆଯାଇଛି ।  ଶନିବାର ଓ ରବିବାର (୨୨ ଓ ୨୩  ତାରିଖ)କୁ ମିଶାଇଲେ ଲଗାତର ୪  ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ । ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ  ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ  ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ୯ ଦଫା ଦାବିରେ ବ୍ୟାଙ୍କ  ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଉଥିବା  ସୂଚନା ମିଳିଛି । 

ଏଭଳି ସ୍ଥିତିରେ ବ୍ୟାଙ୍କରେ  ଜରୁରୀ କାର୍ଯ୍ୟ ଥିଲେ ତାହା ଆଗୁଆ ସାରିଦେବାକୁ ବିଶେଷଜ୍ଞ ପରାମର୍ଶ  ଦେଇଛନ୍ତି । ଏଟିଏମ୍‌ଗୁଡ଼ିକରେ ଟଙ୍କା ଖାଲି ହେବାର ମଧ୍ୟ  ଆଶଙ୍କା କରାଯାଉଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ  ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା,  ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ  ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି  ବ୍ୟାଙ୍କ କର୍ମଚାରୀ । ସେହିଭଳି ଆଇବିଏ ନିକଟରେ  ବିଚାରାଧୀନ ଅବଶିଷ୍ଟ ପ୍ରସଙ୍ଗର ସମାଧାନ,  ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ, ସର୍ବାଧିକ  ସୀମା ୨୫ ଲକ୍ଷ ଟଙ୍କା କରିବା, କର୍ମଚାରୀ କଲ୍ୟାଣ  ସୁବିଧା ଉପରେ ଆୟକର ଛାଡ଼, ଆଇଡିବିଆଇ  ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୫୧% ରଖିବାକୁ  ଦାବି ଦୋହରାଇଛନ୍ତି କର୍ମଚାରୀ ।  

ୟୁଏଫ୍‌ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ  ବିଶୋୟୀ କହିଛନ୍ତି, ବ୍ୟାଙ୍କ ଶିଳ୍ପରେ ଅନୁଚିତ ଶ୍ରମ  ଅଭ୍ୟାସ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରୁଛି ।  ସ୍ଥାୟୀ ବ୍ୟାଙ୍କିଙ୍ଗ ନିଯୁକ୍ତିର ଆଉଟସୋର୍ସିଂ ନିଯୁକ୍ତିକୁ  ବିପନ୍ନ କରୁଛି । ସେବା ସର୍ତ୍ତାବଳୀ ନୀତି ଉପରେ  ଡିଏଫ୍‌ଏସ୍‌ ଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର  ଅତ୍ୟଧିକ ସୁକ୍ଷ୍ମ ପରିଚାଳନା ଦ୍ୱିପାକ୍ଷିକତାକୁ ଦୁର୍ବଳ  କରୁଛି । ସାମ୍ବାଦିକ ସମ୍ମିଳନୀରେ ସଂଘର ସଦସ୍ୟ  ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ  ଏବଂ ପ୍ରକାଶ ରାୟ ଉପସ୍ଥିତ ରହି ବ୍ୟାଙ୍କିଙ୍ଗ ଶିଳ୍ପର  ସମସ୍ୟା ଏବଂ ଦାବି ସମ୍ପର୍କରେ ସୂଚନା ଦେଇଥିଲେ ।