ଖୋର୍ଦ୍ଧା,୨୭/୦୯: ୨୦୧୯ ମସିହାରେ ବେଗୁନିଆ ଥାନା ଅନ୍ତର୍ଗତ କୁଣ୍ଡାମଳିମ ଗ୍ରାମର ସତ୍ୟବ୍ରତ ପାତ୍ର ହତ୍ୟା ମାମଲା। ଅଭିଯୁକ୍ତ ନରେନ୍ଦ୍ର ମହାରଣାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ପ୍ରଥମ ଅତିରକ୍ତ ଦୌରା ଜଜ୍ ରଞ୍ଜୁଲତା ଲେଙ୍କା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ୍ ଦଣ୍ଡାଦେଶ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାକୁ ପରିଚାଳନା କରୁଥିବା ସରକାରୀ ଆଇନଜୀବୀ ରଜନୀକାନ୍ତ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ କୁଣ୍ଡାମଳିମ ଗ୍ରାମରେ ଗୋପାଳ ଚନ୍ଦ୍ର ପାତ୍ରଙ୍କର ଏକ ନୂତନ ଘର ନିର୍ମାଣ ହୋଇଥିଲା। ଏହାର ଦେଖାଶୁଣା ଗୋପାଳଙ୍କ ବଡ଼ପୁଅ ସତ୍ୟବ୍ରତ କରୁଥିବା ବେଳେ ବାଙ୍କୀ ଥାନା ଅର୍ନ୍ତଗତ ଘୋଳପୁର ଗ୍ରାମର ନରେନ୍ଦ୍ର ମହାରଣା କେୟାର ଟେକର ଭାବେ କାମ କରୁଥିଲେ । ମଦ୍ୟପାନକୁ ଦେଇ ସତ୍ୟବ୍ରତ ଓ ଅଭିଯୁକ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଗତ ୨୦୧୯ ମସିହା ଜାନୁଆରୀ ମାସ ୨୯ ତାରିଖରେ ଅଭିଯୁକ୍ତ ନରେନ୍ଦ୍ର ସତ୍ୟବ୍ରତକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା । ପରେ ଘର ବାହାରୁ ତାଲା ପକାଇ ଚମ୍ପଟ ମାରିଥିଲା । ଘଟଣା ପରଦିନ ମୃତକ ସତ୍ୟବ୍ରତଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଖୋର୍ଦ୍ଧା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଦୀର୍ଘ ୯ ମାସ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ନରେନ୍ଦ୍ର ମହାରଣାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି।