ନୂଆଦିଲ୍ଲୀ: ଏଟିଏମରୁ ଟଙ୍କା ଉଠାଣ ମହଙ୍କା ହୋଇଛି । ଆରବିଆଇର ନିର୍ଦେ୍ଦଶକ୍ରମେ ବ୍ୟାଙ୍କଗୁଡ଼ିକ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳ୍କ ଲଗାଇଛନ୍ତି । ଏହାକୁ ନେଇ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ବିଜେପି ସରକାରଙ୍କ ଉପରେ ଖୁବ ବର୍ଷିଛି କଂଗ୍ରେସ । ଲୋକଙ୍କୁ ଲୁଟିବା ପାଇଁ ବ୍ୟାଙ୍କଗୁଡ଼ିକୁ ବିଜେପି ‘କଲେକ୍ସନ ଏଜେଣ୍ଟ’ କରିଦେଇଛି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ।  

ଖଡ଼ଗେ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ‘ ୨୦୧୮ ରୁ ୨୪ ମଧ୍ୟରେ ସର୍ବନିମ୍ନ ବାଲାନ୍ସ ନଥିବା   ସେଭିଂସ୍‌ ଆକାଉଣ୍ଟ ଏବଂ ଜନଧନ  ଖାତାଧାରକଙ୍କ ପାଖରୁ ମୋଦୀ ସରକାର ୪୩,୫୦୦ କୋଟି ଟଙ୍କା ଆଦାୟ କରିଛନ୍ତି ।’ ଏହା ସହ ବିଭିନ୍ନ କାରଣ ଦର୍ଶାଇ ଲୋକଙ୍କ ପାଖରୁ ବ୍ୟାଙ୍କ ଆଦାୟ କରୁଥିବା ଶୁଳ୍କର ଏକ ତାଲିକା ମଧ୍ୟ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । 

୧. ନିଷ୍କ୍ରିୟତା ଦେୟ, ବର୍ଷକୁ ୧୦୦-୨୦୦ ଟଙ୍କା ।

୨. ବ୍ୟାଙ୍କ ଷ୍ଟେଟମେଣ୍ଟ ପାଇଁ ୫୦-୧୦୦ ଟଙ୍କା ।

୩. ପ୍ରତି ୩ ମାସକୁ ଏସଏମଏସ୍‌ ଆଲର୍ଟ ବାବଦରେ ୨୦-୨୫ ଟଙ୍କା ।

୪. ଋଣ କରାଇଦେବାକୁ ବ୍ୟାଙ୍କ  ୧-୩ ପ୍ରତିଶତ ଅର୍ଥ ଆଦାୟ କରୁଛି ।

୫. ସଠିକ ସମୟରେ ଋଣ ପରିଶୋଧ କରିବା ପରେ ମଧ୍ୟ ଅତିରିକ୍ତ ଚାର୍ଜ ନେଉଛି ବ୍ୟାଙ୍କ ।

୬. ଏନଇଏଫଟି ଏବଂ ଡିଡି ଲାଗି ଅତିରିକ୍ତ ଚାର୍ଜ ।

୭. କେଓ୍ବାଇସି ଅପଡେଟ୍‌ ନାଁରେ ଟଙ୍କା ଆଦାୟ ହେଉଛି ।

ବିଭିନ୍ନ ଉପାୟରେ ବ୍ୟାଙ୍କ ଆଦାୟ କରୁଥିବା ଅର୍ଥ ସଂପର୍କରେ ସରକାର ସଂସଦରେ ସଠିକ୍‌ ତଥ୍ୟ ଦେଉନାହାନ୍ତି ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି । ଏହା ସହ ଯନ୍ତ୍ରଣାଦାୟକ ମୂଲ୍ୟ ବୃଦ୍ଧି + ବେଲଗାମ ଲୁଟ୍‌ = ବିଜେପିର ଆଦାୟ ମନ୍ତ୍ର  ବୋଲି ସେ ଏକ୍ସରେ ଲେଖିଛନ୍ତି ।ସୂଚନାଯୋଗ୍ୟ, ଏଟିଏମରୁ ମାଗଣା ଟଙ୍କା ଉଠାଣ ସୀମାଠୁ ଅଧିକ ଉଠାଇଲେ ଶୁଳ୍କ ଦେବାକୁ ପଡ଼େ । କିନ୍ତୁ ଏବେ ଏିହି ଶୁଳ୍କ ଆହୁରି ବଢ଼ାଇ ଦେଇଛି ଆରବିଆଇ । ୧ ମେ’ ୨୦୨୫ରୁ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ ହେବ ।

ସେପଟେ ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି । ବିଜେପି ସରକାରଙ୍କ ଅର୍ଥନୀତି ପଲିସି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । କୋଟିପତି ବନ୍ଧୁଙ୍କ ପାଇଁ ବିଜେପି ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛି  ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ । 

ଏକ୍ସ ପୋଷ୍ଟରେ ରାହୁଲ ଲେଖିଛନ୍ତି, ‘କୋଟିପତି ବନ୍ଧୁଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ର ପ୍ରଭାବ ବ୍ୟାଙ୍କର ଛୋଟ କର୍ମଚାରୀଙ୍କ ଉପରେ ପଡ଼ିଛି । ସେମାନେ ଚାପରେ ଥିବା ବେଳେ ଏକ ଅପ୍ରୀତିକର ବାତାବରଣରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ।’ ଏହା ସହ ସେ ୭୮୨ ଆଇସିଆଇସିଆଇ କର୍ମଚାରୀଙ୍କୁ ଭେଟିଥିବା କହିଛନ୍ତି । ସେମାନେ ବ୍ୟାଙ୍କରେ ଭୋଗୁଥିବା ଅବସ୍ଥା ସଂପର୍କରେ ତାଙ୍କୁ କହିଛନ୍ତି । ଏହା ହିଁ ବୟା‌ନ କରୁଛି ସେମାନେ କେଉଁ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ବୋଲି ଲେଖିଛନ୍ତି ରାହୁଲ ଗାନ୍ଧୀ ।