ଭୁବନେଶ୍ୱର,୧୦/୦୪: ବିଧିର ବିଧାନ ସତରେ ବଡ଼  ବିଚିତ୍ର । ମୃତ୍ୟୁ କେତେବେଳେ ଯେ  କାହାକୁ କିପରି କବଳିତ କରିବ  ତାହା କାହାକୁ ଜଣାନଥାଏ । ଏମିତି ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ  ପିକ୍‌ଅପ୍‌ ଭ୍ୟାନ୍‌ ଚାଳକଙ୍କ ଜୀବନ ଯାଇଛି । ବରମୁଣ୍ଡା ଓଭରବ୍ରିଜ୍‌ରେ ଏକ  ଦ୍ରୁତ ଗତିରେ ଯାଉଥିବା ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅପରପକ୍ଷରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨  ପୁଲିସ୍‌ ଭ୍ୟାନ୍‌କୁ ଏକ ଟ୍ରେଲର ପିଟଛି । ପୁଲିସର ସ୍କର୍ପିଓ ଭ୍ୟାନ୍‌ଟି ଭାଙ୍ଗି ଚୂରମାର୍‌ ହୋଇଯାଇଛି । ସ୍କର୍ପିଓରେ ବସିଥିବା ଚାଳକଜଣକ  ଗୁରୁତର ଆହତ ହୋଇଛନ୍ତି । ଅନ୍ୟ  ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ବେଳେ  ଚାଳକଜଣକ ସାମାନ୍ୟ ଆହତ  ହୋଇଛନ୍ତି । 

ଘଟଣାଟି ଏହିପରି ବୁଧବାର  ରାତି ୧୨ଟା ୪୫ ହେବ । ଏକ ପିକ୍‌ଅପ୍‌  ଭ୍ୟାନ୍‌ (ଓଡି ୦୫ ଡବ୍ଲ୍ୟୁ-୨୧୯୪)  ରସୁଲଗଡ଼ ପଟୁ କୁକୁଡ଼ା ଚିଆଁ ବୋଝେଇ କରି ଖୋର୍ଦ୍ଧା ଆଡ଼କୁ ଯାଉଥିଲା । ବରମୁଣ୍ଡା ଓଭରବ୍ରିଜ୍‌ ପାଖରେ ଚାଳକ ଜଣକ ଭାରସାମ୍ୟ ହରାଇ ବସିଲେ । ଡିଭାଇଡର୍‌କୁ ପିଟି ଭ୍ୟାନ୍‌ଟି ଅପର ପାଶ୍ୱର୍କୁ ଓଲଟି  ପଡ଼ିଲା । ଦୁଇ ଗଡ଼ା ଦେଇ ଭ୍ୟାନ୍‌ଟି  ଆର ପଟକୁ ଓଲଟିପଡ଼ିବା ସମୟରେ  ସୌଭାଗ୍ୟକୁ ସେହି ପଟ ରାସ୍ତାରେ  କୌଣସି ଗାଡ଼ିମୋଟର ଆସୁନଥିଲା । ଗାଡ଼ିଟିର ତାରଜାଲି କଟିଯିବା  ଫଳରେ କୁକୁଡ଼ା ଚିଆଁ ଗୁଡ଼ିକ  ବିକ୍ଷିପ୍ତ ହୋଇ ରାସ୍ତାସାରା ପଡ଼ିଲା । ଚାଳକଜଣକ ଗାଡି ଭିତରେ ଚାପି  ହୋଇ ରହିଯାଇଥିଲେ । ବହୁ ଚେଷ୍ଟା  କରି ସେ ଗାଡ଼ିରୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ । ଲକ୍ଷ୍ୟ ଥିଲା, ଏନ୍‌ଏଚ୍‌ରେ ଯାଉଥିବା ଅନ୍ୟ କୌଣସି ଗାଡ଼ି ଚାଳକଙ୍କ ସାହାଯ୍ୟ ନେବେ । ହେଲେ ତାଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା ଥିଲା କଳ୍ପନାତୀତ । 

ସେ ଯେତେବେଳେ ତାଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାରକୁ ଆସି ରାସ୍ତା ମଝିକୁ ଚାଲି ଆସିଲେ, ସେତିକି ବେଳେ ରସୁଲଗଡ଼ ଆଡୁ  ଖୋର୍ଦ୍ଧା ଆଡ଼କୁ ଯାଉଥିବା ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଟ୍ରକଚାଳକ ଦୁର୍ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖୋର୍ଦ୍ଧା  ଅଭିମୁଖେ ଟ୍ରକକୁ ନେଇ ଖସି ପଳାଇଲେ ।  ରାସ୍ତାରେ ଯାଉଥିବା କେତେକ ବାଇକ୍‌ ଚାଳକ ପୁଲିସକୁ ଏନେଇ ଖବର ଦେଇଥିଲେ । ଖଣ୍ଡଗିରି  ଥାନାରୁ ଏକ ସ୍କର୍ପିଓ ଗାଡି (ଓଡି୦୫ବିୱାଇ  ୭୨୩୭) ଓ ପିସିଆର ଭ୍ୟାନ୍‌ (ଓଡି୦୫ଏସ୍‌  ୧୭୬୯) କିଛି ସମୟ ଭିତରେ ଦୁର୍ଘଟଣାସ୍ଥଳରେ  ପହଞ୍ଚିଥିଲା । ୨ଟି ପୁଲିସ ଗାଡି ଡିଭାଇଡରକୁ ଲାଗି  ରାସ୍ତାରେ ଛିଡ଼ା ହୋଇଥିଲା । ପୁଲିସ ପିକ୍‌ଅପ  ଭ୍ୟାନ୍‌ ଡ୍ରାଇଭରଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଏମ୍ସକୁ ପଠାଇଥିଲା । ବରମୁଣ୍ଡା ଓଭରବ୍ରିଜ୍‌ରେ  ଟ୍ରକ, ବସ୍‌ ଓ ଅନ୍ୟ ଗାଡି ଅଟକି ରହିଥିବାରୁ ପୁଲିସ ଟ୍ରାଫିକ୍‌ ହଟାଇବାରେ ଲାଗିଥିଲା । ପ୍ରାୟ ଅଧ  ଘଣ୍ଟା ପରେ ରାସ୍ତାରେ ଗାଡି ମୋଟର ଚଳାଚଳ  ସ୍ୱାଭାବିକ୍‌ ହୋଇଥିଲା । ରାସ୍ତାମଝିରୁ ପିକ୍‌ଅପ୍‌ ଭ୍ୟାନ୍‌ ହଟାଇବା ପାଇଁ କ୍ରେନ୍‌ ଅପେକ୍ଷାରେ ଥିଲା ପୁଲିସ ।  

ଠିକ୍‌ ଏତିକି ବେଳେ ଏକ ଟ୍ରେଲର ରସୁଲଗଡ଼ ଆଡୁ ଦ୍ରୁତଗତିରେ ମାଡି ଆସିଲା, ଆଉ ସିଧା  ୨ଟି ପୁଲିସ ଗାଡିକୁ ପିଟିଲା । ଦୁର୍ଘଟଣାଟି ଏତେ  ଭୟଙ୍କର ଥିଲା ଯେ ସ୍କର୍ପିଓ ଗାଡିଟି ଡିଭାଇଡର ଓ  ବତି ଖୁଣ୍ଟରେ ପିଟି ହୋଇ ଚେପା ହୋଇଗଲା ।  ଉକ୍ତ ଗାଡିରେ ବସିଥିବା ଚାଳକ ତଥା ହୋମଗାର୍ଡ ଚିତ୍ତରଞ୍ଜନ ପଟ୍ଟନାୟକ ଗୁରୁତର ଆହତ ହେଲେ । ଆଉ ପୁଲିସ ଭ୍ୟାନ୍‌ରେ ଥିବା ଚାଳକଜଣକ ମଧ୍ୟ  ଖଣ୍ଡିଆ ଖାବରା ହେଲେ । ପୁଲିସ ସ୍କର୍ପିଓରୁ ଚିତ୍ତଙ୍କୁ ବହୁ କଷ୍ଟରେ ବାହାର କରି ଏମ୍ସକୁ ପଠାଇଥିଲେ । ଚିତ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।  

ଉକ୍ତ ଟ୍ରେଲର ସମେତ ଦୁର୍ଘଟଣାଗ୍ରସ୍ତ ପିକ୍‌  ଅପ୍‌ ଭ୍ୟାନକୁ ପୁଲିସ ଜବତ କରିଛି । ଟ୍ରେଲର  ଚାଳକକୁ ପୁଲିସ ଅଟକ ରଖିଛି । ପ୍ରଥମ ଦୁର୍ଘଟଣା  ଘଟାଇଥିବା ଅଜଣା ଟ୍ରକକୁ ଠାବ କରିବାକୁ ପୁଲିସ  ସିସିଟିଭି ଯାଞ୍ଚ କରୁଛି । ମୃତ ଡ୍ରାଇଭରଙ୍କ ପରିଚୟ  ପାଇବା ପାଇଁ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ  କରୁଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି  ସମୟ ଭାରୀଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।  ଘଟଣାସ୍ଥଳରେ ଜୋନ୍‌ ଏସିପି ତାପସ ପ୍ରଧାନ ଓ  ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ସମ୍ଭାଳିଥିଲେ ।