ପୁରୀ ୧୪/୦୧: ଶ୍ରୀକ୍ଷେତ୍ରରେ ମଥୁରାନରେଶ କଂସ ମହାରାଜ। ମହୋଦଧିରେ ବୁଡ଼ ପକାଇ ପାପ ଧୋଇଲେ ବରଗଡ଼ ଧନୁଯାତ୍ରାରେ କଂସ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ। ପରେ ଶ୍ରୀମନ୍ଦିରରେ ମହାପ୍ରଭଙ୍କୁ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନ କରିଥିଲେ। ସେଠାରେ ବିଶେଷ ପୂଜା ମଧ୍ୟ କରିଥିବା ସୂଚନା ମିଳିଛି।

ସୂଚନା ମୁତାବିକ, ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି । ଭଣଜା କହ୍ନେଇଙ୍କ ହାତରେ ନିହତ ହୋଇ ମୋକ୍ଷପ୍ରାପ୍ତି  ହୋଇଛନ୍ତି ମାମୁ କଂସାସୁର । ଅନ୍ୟାୟ ଅତ୍ୟାଚାରର  ପ୍ରତୀକ କଂସ ନିଧନ ପରେ ମଥୁରା କଟକର ଘରେ ଘରେ ପାଳିତ ହୋଇଛି ପୁଷପୁନୀ ଉତ୍ସବ ।

ଅନ୍ତିମ ଦିବସ ନାଟ୍ୟାଭିନୟରେ କୃଷ୍ଣ-ବଳରାମ  ମଥୁରା ପରିଭ୍ରମଣ କରିଥିଲେ । ଅପରାହ୍ନରେ ଗୋପାଳ  ବାଳକଙ୍କ ଗହଣରେ କଂସ ଦରବାରରେ ପହଞ୍ଚି  କୁବଳୟା, ଚାଣୁର, ମୁଷ୍ଟିକ, ହଂସଧ୍ୱଜ, ପ୍ରଦ୍ୟୁତ,  ଚନ୍ଦ୍ରକେତୁ, ଧୂମକେତୁ, ସିଂହଧ୍ୱଜ, ଚନ୍ଦ୍ରଧ୍ୱଜ ଆଦି  ରାକ୍ଷସଙ୍କୁ ନିଧନ କରିଥିଲେ । ଶିବଧନୁ ଭାଙ୍ଗିଥିଲେ ।  ସମ୍ମୁଖ ଯୁଦ୍ଧରେ କଳାକହ୍ନେଇଙ୍କ ହାତରେ କଂସ ନିହତ  ହୋଇଥିଲେ । କୃଷ୍ଣ-ବଳରାମ ମଥୁରା ସିଂହାସନରେ  ଉଗ୍ରସେନଙ୍କୁ ସିଂହାସନରୁଢ଼ କରାଇ ଧର୍ମର ବିଜୟବାନା  ଉଡ଼ାଇଥିଲେ । ପରେ କାରାଗାରରେ ବନ୍ଦୀ ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଳାଇଥିଲେ ।  ଏଥିସହ ଧନୁଯାତ୍ରାର ନାଟ୍ୟାଭିନୟରେ ପରିସମାପ୍ତି  ଘଟିଥିଲା । ଏଥିପୂର୍ବରୁ ରାଜଦରବାରରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ମଙ୍ଗଳବାର କଂସ ଚରିତ୍ରରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ କୃଷ୍ଣ-ବଳରାମଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ।