ନୂଆଦିଲ୍ଲୀ,୧୬/୧୦: ରାଜସ୍ଥାନର ବାଡ଼ମେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରେଲର ସହ ଧକ୍କା ହୋଇ କାରରେ ଲାଗିଲା ନିଆଁ। ଫଳରେ ୪ଜଣ ବନ୍ଧୁଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସିନ୍ଧାରୀ ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ୩୦ ମିନିଟରେ ସମୟରେ ଏହି ଦୁର୍ଘଟଣା ଘଟିଛି ।
ରିପୋର୍ଟ ଅନୁଯାୟୀ, ପାଞ୍ଚ ଜଣ ବନ୍ଧୁ କୌଣସି କାମରେ ଯାଇ ଘରକୁ ଫେରୁଥିଲେ। ଏହି ଘଟଣା ଘଟିବା ସମୟରେ ସେମାନେ ଘରଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିଲେ। ମୃତ ସମସ୍ତ ଯୁବକଙ୍କ ବୟସ ୨୨ରୁ ୩୦ ବର୍ଷ ହେବ । ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ମୋହନ ସିଂହ, ଶମ୍ଭୁ ସିଂହ, ପଞ୍ଚରାମ ଦେୱାସି ଏବଂ ପ୍ରକାଶ ଅଛନ୍ତି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁର୍ଘଟଣା ପରେ ସ୍କୋର୍ପିଓ ଏବଂ ଟ୍ରଲର ଉଭୟରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ମେଗା ହାଇୱେ ବନ୍ଦ ହୋଇଯାଇଥିଲା। ଉଭୟ ଗାଡ଼ିକୁ ସାଇଡ୍ କରିବା ପରେ ଏକ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଆଜି ବାରମେର ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ୍ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।