ଚନ୍ଦ୍ରଶେଖରପୁର ୨୯/୧୨: ଶନିବାର  ରାତି ୧ଟା । ଇନଫୋସିଟି ନିକଟ ଏକ ପବ୍‌ରେ  କମେଣ୍ଟ ମରାକୁ ନେଇ ଝଗଡ଼ା ଆରମ୍ଭ ହେଲା ।  ଯିଏ ଯାହାକୁ ପାରିଲା ନିର୍ଧୁମ ପିଟିଲା । ପୁଅଙ୍କ  କଥା କିଏ ପଚାରେ, ଦୁଇ ଝିଅ ରାସ୍ତାରେ  ଗଡ଼ାତଡ଼ା ହେଲେ । ପୋଷାକ ଚିରି ଯାଉଥିଲେ  ହେଁ କାହାରିକୁ ନିଘା ନଥିଲା । ବିରୋଧ  କରିବାକୁ ଯାଇ ବାଉନ୍ସର ବି ହଟହଟା ହେଲେ ।

ରବିବାର ରାତି ସାଢେ ୧୧ଟା । ଚନ୍ଦ୍ରଶେଖରପୁର  ପେଟ୍ରୋଲ ପମ୍ପ ପଛ ଏକ ଦାମୀ ପବ୍‌ରେ  ଖଚାଖଚ ଭିଡ଼ ଥିଲା । ପବ୍‌ ବାହାରେ ୨  ଗୋଷ୍ଠୀର ୧୦-୧୨ ଯୁବକ ମୁହାଁମୁହିଁ ହେଲେ ।  ଚାଲିଲା ପିଟାପିଟି, ଠେଲାପେଲା । ରାସ୍ତାରେ  ଯାଉଥିବା ଲୋକଙ୍କୁ ମଧ୍ୟ ଛାଡ଼ି ନଥିଲେ ।  ଅଧଘଣ୍ଟା ପରେ ପିସିଆର ଭ୍ୟାନ୍‌ ପହଞ୍ଚିଲା ।  ସେତେବେଳକୁ ଝଗଡ଼ା ସରିଯାଇଥିଲା ।  

କେବଳ ଏହି ଦୁଇଟି ଘଟଣା ନୁହେଁ,  ପ୍ରତିଦିନ ଚନ୍ଦ୍ରଶେଖରପୁର, ପଟିଆ,  ଇନ୍‌ଫୋସିଟି ଅଞ୍ଚଳର ବାର ଓ ପବ୍‌ ସାମ୍ନାରେ  ଏମିତି ପାଲା ଚାଲିଛି । ବାହାରେ ତାଲା ପକାଇ  ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ବାର୍‌ ।  ପିସିଆର ଭ୍ୟାନ ଆସୁଛି ସତ । କେତେବେଳେ  ସେମାନଙ୍କୁ ତାଗିଦ୍‌ କରୁଛି ତ କେବେ କେବେ  ଗଣ୍ଡଗୋଳ ଭିତରେ ନପଶି ବାଟ କାଟି  ଚାଲିଯାଉଛି । ସବୁଠୁ ବଡ଼ କଥା ହେଉଛି  ପୁଲିସ ଜାଣୁଛି । ହେଲେ ବାର୍‌ ମାଲିକଙ୍କଠୁ  ସ୍ଥାନୀୟ ଥାନା ପୁଲିସ ମାସିକିଆ ବଟି ନେଇ  ଚୁପ୍‌ ବସୁଛି ବୋଲି ଅଭିଯୋଗ ହେଉଛି ।

ନିୟମ ରହିଛି, ରାତି ୧୨ଟା ଯାଏଁ ବାର୍‌  ଓ ପବ୍‌ ଖୋଲା ରହିବ । କୌଣସି ବାର୍‌  ଓ ପବ୍‌ ମାଲିକ ଦିନକ ପାଇଁ ଅବକାରୀ  କାର୍ଯ୍ୟାଳୟରୁ ଅନୁମତି ଆଣିଲେ, ଅଧିକ  ଦେଢ଼ ଘଣ୍ଟା ଯାଏ ଖୋଲା ରଖିପାରିବେ ।  ଏସବୁ ନିୟମ ଅଳ୍ପ କିଛି ବାର୍‌ ପବ୍‌ ମାନୁଛନ୍ତି ।  ଅଧିକାଂଶ ଖୋଲାଖୋଲି ଭାବେ ନିୟମ  ଉଲ୍ଲଂଘନ କରି ଚାଲିଛନ୍ତି । ବିଳମ୍ବିତ ରାତି  ଯାଏଁ ଖୋଲିବା ଦ୍ୱାରା ଅପରାଧ ବଢୁଛି ।  

ଗତ ମେ ୫ ତାରିଖରେ ଡମଣାରେ  ଥିବା କସମସ୍‌ ବାରରେ ପୂର୍ବ ଶତ୍ରୁତାକୁ  କେନ୍ଦ୍ର କରି ବାଉନ୍ସର ସୂରୟା ନାୟକଙ୍କୁ  ଗୁଳିମାଡ କରିଥିଲେ ଦୁବୃର୍ତ୍ତ । ଗତ ୧୩  ରାତି ୧୨ଟା ୧୫ରେ ଅବକାରୀ ବିଭାଗ  ପକ୍ଷରୁ ଚନ୍ଦ୍ରଶେଖରପୁର ରୋମିଓ ଲେନ୍‌  ରେସ୍ତୋରାଁରେ ଚଢଉ କରାଯାଇଥିଲା । ଏହି  ସମୟରେ ବାର୍‌ର ୪ କର୍ମଚାରୀ ପୁଲିସକୁ  ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା କରିବା  ସହ ଆକ୍ରମଣ କରିଥିଲେ । କେବଳ ସେତିକି  ନୁହେଁ କିଛି ଦିନ ପୂର୍ବରୁ ଡିଷ୍ଟ୍ରିକ୍ଟ ସେଣ୍ଟରରେ  ଥିବା ଓପିଡି ଓ ଏମ୍ବାସୀ ବାରରେ ଦୁଇ ଗୋଷ୍ଠୀ  ଭିତରେ ଗଣ୍ଡଗୋଳ ହୋଇଥିଲା । ଗତ ବର୍ଷକ  ମଧ୍ୟରେ ୩୦ରୁ ଅଧିକ ଥର ଗଣ୍ଡଗୋଳ  ହେଲାଣି । ତଥାପି ପୁଲିସର ଢିଲା ପାଟ୍ରୋଲିଂ  ପାଇଁ ବାର୍‌ ମାଲିକ ନିୟମକୁ ମାନୁନାହାଁନ୍ତି ।  

ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା  ଦ୍ୱାରା ଆଖ ପାଖରେ ରହୁଥିବା ଲୋକେ  ମଧ୍ୟ ଭଲରେ ଶୋଇ ପାରୁନାହାଁନ୍ତି । ଡିଜେ  ଶବ୍ଦରେ ପୁରା ଅଞ୍ଚଳ କମ୍ପୁଥିବା ଅଭିଯୋଗ  ହେଉଛି । ଆଗକୁ ନୂଆବର୍ଷ ଆସୁଛି । ଏଥିପାଇଁ  ବାର୍‌ ମାଲିକମାନେ ବଲିଉଡ୍‌, ଓଲିଉଡ୍‌  ଓ ଅନ୍ୟ କଳାକାରଙ୍କୁ ଆଣିବାକୁ ଯୋଜନା  କରୁଛନ୍ତି । ଭୋର୍‌ ପର୍ଯ୍ୟନ୍ତ ବାର୍‌ ଖୋଲାଯିବ  ବୋଲି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ  ଦେଉଛନ୍ତି । ଦର୍ଶକଙ୍କ ପାଇଁ ଆକର୍ଷଣୀୟ  ଅଫର ମଧ୍ୟ ରଖିଛନ୍ତି । ଅସୀମିତ ମଦ ଓ  ଖାଦ୍ୟ ପରସିଦେବାକୁ ପ୍ୟାକେଜ ପ୍ରସ୍ତୁତ  କରୁଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ  କହିଛନ୍ତି ଆମେ ମଝିରେ ମଝିରେ ବାର୍‌  ଉପରେ ଚଢଉ କରୁଛୁ । ବିଳମ୍ବିତ ଯାଏଁ  ଖୋଲା ଥିବା ବାର୍‌ ମାଲିକଙ୍କୁ ତାଗିଦ୍‌ କରୁଛୁ ।  ନୂଆବର୍ଷ ପାଇଁ ଜୋରଦାର ଚଢଉ ହେବ ।