ନୂଆଦିଲ୍ଲୀ, ୧୯।୧୨:ପୂର୍ବତନ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କୁ ନେଇ ବଡ଼ ଦାବି । ଦେଶ ଛାଡ଼ି ଯିବା ପୂର୍ବରୁ ଇସ୍ରାଏଲକୁ ଦେଇଥିଲେ ଗୁପ୍ତ ସୂଚନା । ଡିପୋ, କ୍ଷେପଣାସ୍ତ୍ର ଓ ଯୁଦ୍ଧ ବିମାନର ଦେଇଥିଲେ ସୂଚନା । ଯାହା ପରେ ସିରିଆର ସାମରିକ ଟାର୍ଗେଟରେ ଏୟାର ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ । ଶତ୍ରୁ ଦେଶ ଇସ୍ରାଏଲ ସହ ହାତ ମିଳାଇଛନ୍ତି କି ଅସଦ ? 

ଡିସେମ୍ବର ୮ ରାଜଧାନୀ ଦମସକସକୁ କାବୁ କରିଥିଲେ ସିରିଆର ବିଦ୍ରୋହୀଦଳ । ଯାହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡ଼ି ଋଷରେ ଆଶ୍ରୟ ନେଇଥିଲେ । ଯେଉଁଠାରେ ରାଷ୍ଟ୍ରପତି ପୁଟିନ ତାଙ୍କୁ ଆଶ୍ରୟ ଦେଇଛନ୍ତି । ଏହି ଘଟଣା ପରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ବିଷୟରେ ଏକ ବଡ଼ ଦାବି କରାଯାଉଛି । ରିପୋର୍ଟ ଅନୁଯାୟୀ, ବସର-ଅଲ-ଅସଦ ଦେଶ ଛାଡ଼ି ଯିବା ପୂର୍ବରୁ ଶତ୍ରୁ ଦେଶ ଇସ୍ରାଏଲକୁ ସାମରିକ ସୂଚନା ଦେଇଥିଲେ । ସେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଡିପୋ ବିଷୟରେ ସୂଚନା ଦେଇଛନ୍ତି ବୋଲି କୁହାଯାଉଛି । ଯାହା ପରେ ଇସ୍ରାଏଲ କ୍ରମାଗତ ଭାବେ ଏହି ଅଞ୍ଚଳଗୁଡ଼ିକରେ ବୋମା ମାଡ଼ କରିଥିଲା । 

ତୁର୍କୀର ଖବରକାଗଜ ହୁରିୟତର ସାମ୍ବାଦିକ ଅବଦୁଲକାଦିର ସେଲଭିଙ୍କ ଅନୁଯାୟୀ, ବସର-ଅଲ-ଅସଦ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଡିପୋ, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନର ଅବସ୍ଥିତି ବିଷୟରେ ଅବଗତ କରାଇଥିଲେ, ଯେପରି ବିମାନ ଉଡ଼ାଣ ସମୟରେ ସେମାନଙ୍କୁ ଆକ୍ରମଣ କରାଯିବନାହିଁ । ଅବଦୁଲକାଦିର ସେଲଭଙ୍କ କହିବାନୁଯାୟୀ, ଅସଦ ଦେଶ ଛାଡ଼ି ପଳାଇବାରେ ଇସ୍ରାଏଲର ବଡ଼ ଭୂମିକା ରହିଛି । ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହାଁନ୍ତି । ଅନ୍ୟପଟେ ଦେଶ ଛାଢ଼ିବା ସମ୍ପର୍କରେ ଅସଦ କହିଛନ୍ତି ଯେ, କିଛି ରିପୋର୍ଟରେ କୁହାଯାଇଛି ଯେ, ସେ ଦେଶ ଛାଡ଼ି ଋଷରେ ସ୍ଥାୟୀ ଭାବେ ରହିବାକୁ ଯାଉଛନ୍ତି । କିନ୍ତୁ, ଏଥିରେ କୌଣସି ସତ୍ୟତା ନାହିଁ ।