ଫିରିଙ୍ଗିଆ,୧୦/୧୨ : ସରକାର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପ୍ରାୟତଃ ଅନେକ ଜାଗାରେ ଏହା ପରିଚାଳନାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଜନସାଧାରଣ ଯୋଜନାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଇଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ପଞ୍ଚାୟତ ଠାରେ ।
ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାର ଦ୍ୱାରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ ଅଧିନରେ ୨୦୨୦ ମସିହାରେ କାଶିନିପଦର ପଞ୍ଚାୟତ ବରେବାଟାଠାରେ ୫୯.୫୧ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ବରେବାଟା ଓ ଶାଶିପଦର ଦୁଇଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି। ପ୍ରକଳ୍ପର ପାଣି ଟାଙ୍କି ନିର୍ମାଣ ଓ ବରେବାଟା ଗ୍ରାମର ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ସମ୍ପୁର୍ଣ୍ଣ ହୋଇଛି । ଅନ୍ୟପଟେ ଶାଶିପଦର ଗ୍ରାମର କିଛି ଘରକୁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ହେଇଥିବାବେଳେ କିଛି ଘରକୁ ସଂଯୋଗ କରାଯାଇ ନାହିଁ। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଦୁଇ ଗ୍ରାମବାସୀଙ୍କୁ ଏ ପର୍ଯ୍ୟନ୍ତ ପାଣି ଟୋପାଏ ମିଳି ପାରିନାହିଁ ।
ଏ ସଂକ୍ରାନ୍ତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳିତ ଯୋଗୁଁ ଆଜି ଦୁଇ ଗ୍ରାମବାସୀ ବସୁଧା ପ୍ରକଳ୍ପର ଲାଭ ଉଠେଇବାରୁ ବଞ୍ଚିତ ଅଛନ୍ତି। ସରକାର ଲୋକମାନଙ୍କ ହିତ ସକାଶେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଯୋଜନାର ଲାଭ ଜନସାଧାରଣ ପାଇଁ ପାରୁ ନାହାନ୍ତି।
ଏଥିପାଇଁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଶାଶିପଦର ଗ୍ରାମର ସଂଯୋଗ ହୋଇନଥିବା ଘରମାନଙ୍କୁ ପାଇପ୍ ଲାଇନ୍ ସଂଯୋଗ କରି ଷ୍ଟାଣ୍ଡପୋଷ୍ଟ ତିଆରି କରିବା ସହିତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି। ଯଦି ପ୍ରସାଶନ ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାନୀୟ ଜଳ ଯୋଗାଇ ନ ଦିଅନ୍ତି ତେବେ ବାଧ୍ୟ ହୋଇ ଅଞ୍ଚଳ ବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।