ଶୀତରୁତୁ ଆସିବା ମାତ୍ରେ ବଜାରରେ ଅଧିକାଂଶ ସତେଜ ସବୁଜ ପନିପରିବା ବିକ୍ରି ହୁଏ । ସବୁଜ ପରିପରିବା ଭିତରେ ଶାଗ ଦେହ ପାଇଁ ଖୁବ ଲାଭଦାୟକ । ଶାଗ ମଧ୍ୟରୁ ବଥୁଆ ଶାଗର କେବଳ ସ୍ୱାଦ ଭଲ ନୁହେଁ, ଏହା ସଞ୍ଜୀବନୀ ଭଳି ଦିଏ ବୋଲି କହିଲେ ଭୁଲ୍ ହେବନି । ଆୟୁର୍ବେଦରେ ବଥୁଆ ଶାଗ ରାମବାଣ ଔଷଧ ପରି । ଦୈନିକ ବଥୁଆ ଖାଇବା ଦ୍ୱାରା ଏହା ରକ୍ତକୁ ସଫା କରି ନାନା ରୋଗ ଦୂର କରେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ରୋଗପ୍ରତିରାଧକ ଶକ୍ତି ବଢ଼ାଇବାରେ ବଥୁଆର ମୁଖ୍ୟ ଭୂମିକା ରହିଛି । ବଥୁଆ ଶାଗ ଖାଇବା ଦ୍ୱାରା ବିଶେଷକରି ଡାଇବେଟିସ ଓ କୋଲେଷ୍ଟ୍ରୋଲ ଭଳି ଗମ୍ଭୀର ରୋଗ ନିୟନ୍ତ୍ରଣରେ ରହିଥାଏ । ଏହା ଭିଟାମିନ୍-ବି-୧, ବି-୨, ବି-୫ ଏବଂ ଭିଟାମିନ୍ ସିରେ ଭରପୂର । ଏଥିରେ କ୍ୟାଲସିୟମ, ଲୌହସାର, ମ୍ୟାଗ୍ନେସିୟମ୍ ଆଦି ରହିଛି । ବଥୁଆ ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ମଧୁମେହ ରୋଗୀଙ୍କ ପାଇଁ ବରଦାନ ବଥୁଆ ଶାଗ:
- ବଥୁଆରେ ଥିବା ପୋଷକ ତତ୍ତ୍ୱ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
- ବଥୁଆ ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରି ହୃଦ୍ଘାତ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରେ । ଏହା ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରି ହୃଦ୍ସ୍ୱାସ୍ଥ୍ୟକୁ ଉନ୍ନତ କରେ ।
- ବଥୁଆରେ ଭରପୂର ପରିମାଣରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା କୋଷ୍ଠକାଠିନ୍ୟ, ବଦହଜମୀ ଏବଂ ଅନ୍ୟାନ୍ୟ ପେଟ ସମସ୍ୟାରୁ ମୁକ୍ତି ଦିଏ ।
- ବଥୁଆ ରକ୍ତକୁ ପରିଷ୍କାର କରିଥାଏ ଏବଂ ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିଥାଏ । ଏହାକୁ ଶରୀରକୁ ବିଷମୁକ୍ତ କରିବାରେ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।
- ବଥୁଆ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯାହା ସୁସ୍ଥ ଚର୍ମ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ବ୍ରଣ, କୁଞ୍ଚନ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।
- ବଥୁଆଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଏବଂ ଫସଫରସ୍ ମିଳିଥାଏ, ଯାହା ହାଡ଼କୁ ମଜବୁତ କରିଥାଏ ଏବଂ ଅଷ୍ଟିଓପୋରୋସିସ୍ ଭଳି ରୋଗକୁ ରୋକିଥାଏ ।
- ବଥୁଆରେ କ୍ୟାଲୋରୀ କମ୍ ଏବଂ ଫାଇବର ଭରପୂର, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
- ବଥୁଆରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ । ଶୀତଦିନେ ଥଣ୍ଡା ଏବଂ କାଶ ରୋକିବାରେ ଏହା ବହୁତ ପ୍ରଭାବଶାଳୀ ।